ପୁଲିସ୍‌ ଆକ୍ସନ୍‌କୁ ଡରୁନାହାନ୍ତି ଲୁଟେରା, ଦିନଦ୍ବିପ୍ରହରରେ ହେଉଛି ଲୁଟ

ବାଲେଶ୍ବର : ଗୋଟିଏ ପଟେ ଅପରାଧ ମୁକାବିଲା ପାଇଁ ଜିଲ୍ଲା ପୁଲିସ ସ୍ବତନ୍ତ୍ର ଟିମ୍‌ ଓ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିବା କୁହାଯାଉଛି । ମାତ୍ର ଅନ୍ୟପଟେ ଅପରାଧୀ ଗ୍ୟାଙ୍ଗ୍‌ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ପୁଲିସକୁ ଚ୍ୟାଲେଞ୍ଜ୍‌ ଦେବାରେ ସଫଳ ହେଉଛନ୍ତି । ପୁଲିସ ଆଜିି ଗୋଟିଏ ଘଟଣାରେ ଜଣେ ଦୁଇଜଣ ଅପରାଧୀଙ୍କୁ ଗିରଫ କରିଲେ ପରଦିନ ଆଉ ଏକ ‌ଗ୍ୟାଙ୍ଗ୍‌ ଅପରାଧ ଘଟାଇ ପୁଲିସକୁ ଚକ୍‌ମା ଦେଖାଉଛନ୍ତି । ବାଲେଶ୍ବର ସହରରେ ଏବେ ଅପରାଧୀ ଓ ପୁଲିସଙ୍କ ମଧ୍ୟରେ ଏହି ଲୁଚକାଳି ଖେଳ ସାଧାରଣ ଜନଜୀବନ ପ୍ରତି ବିପଦ ସୃଷ୍ଟି କରିଛି ।

ଘଟଣା କ୍ରମରେ ଆଜି ବାଲେଶ୍ବର ସହରର ବିଭିନ୍ନ ସ୍ଥାନରେ ମୋବାଇଲ ଛିନ୍‌ତାଇ କରୁଥିବା ଜଣେ ଲୁଟେରା ଶେଷରେ ଲୋକଙ୍କ ହାତରେ ଧରାପଡ଼ି ଖସିଯିବାରେ ସଫଳ ହୋଇଛି । ଲୁଟେରା ଜଣକ ପୂର୍ବାହ୍ନରେ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଜଣେ ମହିଳାଙ୍କ ମୋବାଇଲ ଲୁଟିଥିଲା । ଲୁଟ୍‌ବେଳେ ମହିଳାଜଣକ ବଡ଼ପାଟି କରି ତାକୁ ଧରିବା ପାଇଁ ଡାକ ପକାଇ ଥିଲେ ହେଁ ଆଖିପିଛୁଳାକେ ଲୁଟେରାଜଣକ ଫେରାର ହୋଇଯାଇଥିଲା । ସବୁଠୁ ବଡ଼କଥା ହେଉଛି ଡାକ୍ତରଖାନାରେ ୨୪ ଘଣ୍ଟା ସୁରକ୍ଷାକର୍ମୀ ଓ ପୁଲିସ ଫାଣ୍ଡିର ବ୍ୟବସ୍ଥା ରହିଥିଲେ ହେଁ ଦିନ ଦ୍ବିପ୍ରହରରେ ଏମିତି ଘଟଣା ପୁଲିସ ଓ ସୁରକ୍ଷାକର୍ମୀଙ୍କ ପାରିବାପଣିଆକୁ ପଦାରେ ପକାଇଛି । ଏହାପରେ ଆଜିମାବାଦ ଅଞ୍ଚଳରେ ସେହି ଲୁଟେରା ଆଉଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଲୁଟିବାରେ ସଫଳ ହୋଇଥିଲା । ସେଠାରେ ସେହି ସମାନ ଘଟଣା ଘଟିଥିଲା । ଆଜିମାବାଦ ରାସ୍ତା ସହରର ଏକ ବ୍ୟସ୍ତବହୁଳ ତଥା ସବୁବେଳେ ଜନସମାଗମ ଓ ଗା‌ଡ଼ିମୋଟର ଯାତାୟାତ ହେଉଥିବା ରାସ୍ତା । ତା’ ଛଡ଼ା ଏହି ରାସ୍ତାରେ ଗଲେ ଏସ୍‌ପି, ଆଇଜି କ୍ବାର୍ଟର୍ସ ଓ ପୁଲିସ କଲୋନି ପଡ଼ିଥାଏ । ତେଣୁ ଏ ଅଞ୍ଚଳରେ ମଧ୍ୟ ସବୁବେଳେ ପୁଲିସ କର୍ମୀ ମୁତୟନ ହୋଇଥାନ୍ତି ଏବଂ ପିସିଆର ଭ୍ୟାନ୍‌ ଲଗାତାର ପାଟ୍ରୋଲିଂ କରିଥାଏ । ତେବେ ଲୁଟେରାଜଣକ ନିର୍ଭୟରେ ଲୁଟ୍‌ କରି ଏଠାରୁ ବି ଖସିବାରେ ସଫଳ ହେଲା ।

ସେହିପରି ସନ୍ଧ୍ୟାବେଳେ ସେ ପୁଣି ଫାଣ୍ତିଛକ ନିକଟସ୍ଥ ଏକ ‌ଦୋକାନରୁ ମୋବାଇଲ ଲୁଟ୍ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ତାକୁ କାବୁ ନିର୍ଧୂମ୍‌ ଛେଚିଥିଲେ । ତା’ ନିକଟରୁ ୩ଟି ମୋବାଇଲ ଓ ବାଇକ ଜବତ କରିବା ପ‌େର ଦିନସାରା ସେ କରିଥିବା ଲୁଟ୍‌ ଘଟଣା ସାମ୍‌ନାକୁ ଆସିଥିଲା । ଲୋକେ ତାକୁ ଘେରିଯାଇ ସହଦେବଖୁଣ୍ଟା ଥାନାକୁ ଖବର ଦେଇଥିଲେ । ହେଲେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେ କୌଶଳକ୍ରମେ ଲୋକଙ୍କ ଭିଡ଼ ମଧ୍ୟରୁ ଫେରାର ହେବାରେ ସଫଳ ହୋଇଥିଲା‌ । ତେବେ ତା’ ଠାରୁ ଜବତ କରାଯାଇଥିବା ମୋବାଇଲଗୁଡ଼ିକୁ ଲୋକେ ପୁଲିସକୁ ଦେଇଥିଲେ । ସେଥିରୁ ଗୋଟିଏ ମୋବାଇଲକୁ କଲ୍‌ ଆ‌ସିବା ପରେ ପୁଲିସ ତା’ର ମାଲିକଙ୍କୁ ଡକାଇ ମୋବାଇଲ ଫେରାଇଥିବା ବେଳେ ଅନ୍ୟ ମୋବାଇଲ ସହ ଲୁଟେରାର ବାଇକ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି । ତା’ର ମୋବାଇଲ ଓ ‌ବାଇକ୍‌କୁ ଜବତ କରାଯାଇଥିବାରୁ ସମ୍ପୃକ୍ତ ଲୁଟେରା ଓ ତା’ର ଗ୍ୟାଙ୍ଗ୍‌ ସମ୍ପର୍କରେ ଖୁବ୍‌ଶୀଘ୍ର ପର୍ଦ୍ଦାଫାସ କରାଯିବ ବୋଲି ପୁଲିସ ଆଶାବାଦୀ ଥିବା ଜଣାଇଛି ।

Leave a Reply

Your email address will not be published. Required fields are marked *