ଅସ୍ତରଙ୍ଗ : ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରକୃତି ଖେଳୁଛି ଖେଳ । ପ୍ରକୃତିର କୋପ କାୟା ମେଲାଇ କରାଳ ରୂପ ଦେଖାଇଲାଣି । ସମୁଦ୍ର ପତନ ବଢୁଛି, ସାମୁଦ୍ରିକ ଜୁଆର ଆଗକୁ ମାଡ଼ିଆସି ପ୍ରଖର ସ୍ରୋତରେ ଦେବୀ ମୁହାଣ ନିକଟସ୍ଥ ଜଙ୍ଗଲଙ୍କୁ ଧୋଇ ନେଲାଣି । ଖାଲି ସେତିକି ନୁହେଁ, ନଦୀର ଗତିପଥ ବଦଳୁଥିବା ବେଳେ ତା’ର ପ୍ରଭାବରେ ହେନ୍ତାଳ ବଣ ବା ଲୁଣା ଜଙ୍ଗଲ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ସେହିପରି ନଦୀବନ୍ଧର ସୁରକ୍ଷା ନିମନ୍ତେ ବିଭିନ୍ନ ସ୍ଥାନରେ ପଥର ପ୍ୟାକିଂ ଓ ନଦୀ ଭିତରକୁ ପଥର ସ୍ପର ହେବାରେ ନଦୀବନ୍ଧ ସିନା ସୁରକ୍ଷିତ କିନ୍ତୁ ଅନ୍ୟପଟେ ଜୁଆର ଭଟ୍ଟା ସମୟରେ ନଦୀକୂଳ ଖାଇବା ଜାରିରହିଛି । ଦେବୀ ନଦୀ ମୁହାଣ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ପ୍ରତି ଏବେ ବିପଦ ମୁଣ୍ତ ଟେକିଛି ।
ସହନ ବିଟ୍ ହାଉସ୍ ଠାରୁ ମାତ୍ର କେତେ ହାତ ଦୂରରେ ଜଙ୍ଗଲ ବିଭାଗ ଦ୍ବାରା ଚିହ୍ନଟ ୯ ନମ୍ବର ଖମ୍ବ ପାଖରେ ଜୁଆର ମାଡରେ ଜଙ୍ଗଲ ନଷ୍ଟ ହେଲାଣି । ଜଙ୍ଗଲ ଭିତରକୁ ପ୍ରାୟ ୧୦ ମିଟର ପର୍ଯ୍ୟନ୍ତ ୩ ରୁ ୪ ଫୁଟର ପାଣି ମାଡ଼ିଆସୁଛି । ଜୁଆର ଭଟ୍ଟାର ପ୍ରଖର ସ୍ରୋତରେ ବାଲି ଧୋଇହୋଇ ଗଛ ମୂଳ ଉପୁଡ଼ିବା ସହ ଜଙ୍ଗଲର ଧ୍ବଂସ ହେବାରେ ଲାଗିଛି । ବିଗତ ଦୁଇବର୍ଷ ମଧ୍ୟରେ ଦେବୀ ମୁହାଣ ସଂଲଗ୍ନ ନିକଟସ୍ଥ ଜଙ୍ଗଲ ଯେଉଁ ହାରରେ କ୍ଷୟ ହେଉଛି ତାହା ଆଗକୁ ଜାରି ରହିଲେ ଜଙ୍ଗଲ ସମ୍ପଦ ପାଇଁ ବଡ଼ ବିପଦ ସୃଷ୍ଟିହେବା ଆଶଙ୍କା ସୃଷ୍ଟି ହୋଇଛି ।

ପ୍ରକାଶ ଥାଉକି, ଜଳବାୟୁର ବ୍ୟାପକ ପରିବର୍ତ୍ତନ ଯୋଗୁ ନଦୀ ଓ ସମୁଦ୍ର ଜଳ ପତନ ବୃଦ୍ଧିପାଇବାରେ ଲାଗିଛି । ଜୁଆର ସମୟରେ ଜଳରାଶି କୂଳ ଆଡ଼କୁ ମାଡ଼ିଆସି କେଉଁଠି ବାଲିଚରରେ ପରିଣତ ହେଲାଣି ତ ଅନ୍ୟ କେଉଁଠି ଗଭୀର ଗଣ୍ତ ସୃଷ୍ଟି କଲାଣି । ସମୁଦ୍ରକୁ ସଂଲଗ୍ନ ଦେବୀ ନଦୀରେ ପ୍ରତିଦିନର ଜୁଆର ଭଟ୍ଟାର ପ୍ରଖର ସ୍ରୋତ କୂଳ ଖାଇବା ଫଳରେ ନଦୀର ଗତିପଥ ବଦଳୁଛି । ଦେବୀର ଦକ୍ଷିଣ ପାର୍ଶ୍ବରେ ବ୍ୟାପକ ପ୍ରଭାବ ପଡ଼ି ଗତ ତିନି ଦଶନ୍ଧି ମଧ୍ୟରେ ବିଭିନ୍ନ ସ୍ଥାନରେ ପୂର୍ବରୁ ଥିବା ହଜାର ହଜାର ଏକର ଚାଷଜମି ନଦୀ ଗର୍ଭରେ ହଜିଗଲାଣି । ଜମିବାଡ଼ି, ଭିଟାମାଟି ହରାଇ ଲୋକେ ଅନ୍ୟତ୍ର ରହୁଛନ୍ତି । ସେହିପରି ଦେବୀନାଶୀର ନୂଆଗଡ଼ ଠାରୁ ସହନ, ଦେବୀମୁହାଣ, କଣମଣ ଓ କେଉଟଜଙ୍ଗା ପର୍ଯ୍ୟନ୍ତ ଜୁଆରପାଣି ମାଡ଼ରେ ବିଭିନ୍ନ ସ୍ଥାନରେ କୂଳ ଖାଇବାରେ ଲାଗିଛି । ଫଳରେ ପାଣି ଆସି ନଦୀବନ୍ଧକୁ ଛୁଇଁବା ଦେଖିବାକୁ ମିଳୁଛି ।
୧୯୯୯ ମହାବାତ୍ୟା ପରେ ସାମୁଦ୍ରିକ ଝଡ଼ କିମ୍ବା ସମୁଦ୍ର ଅଶାନ୍ତ ସମୟରେ କେଉଟଜଙ୍ଗା, ଉଦୟକଣି ନିକଟରେ ସମୁଦ୍ର ବହୁବାର କୂଳ ଲଙ୍ଘିବାରୁ ସେଠାରେ ପୂର୍ବରୁ ଭିଟାମାଟି ସମୁଦ୍ରରେ ନିଶ୍ଚିହ୍ନ ହୋଇଯାଇଥିଲା । ଫଳରେ ସ୍ଥାନୀୟ ଲୋକେ ଅନ୍ୟତ୍ର ବିସ୍ଥାପିତ ହୋଇଛନ୍ତି । ଯେଉଁଠି ଦିନେ ଜନବସତି ଥିଲା ସେଠି ଏବେ ସମୁଦ୍ର ଲହଡି ପିଟିବା ସମେତ ଅନେକ ସ୍ଥାନରେ ବାଲିବନ୍ତ ଛିଡ଼ା ହେଲାଣି । ତେଣୁ ଏହି ଉପକୂଳର ସୁରକ୍ଷା ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ବୈଜ୍ଞାନିକ ପଦ୍ଧତିରେ ଯୋଜନା ପ୍ରଣୟନ ସହ ବ୍ୟାପକ ବୃକ୍ଷରୋପଣ ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
