ବାଲିଆପାଳ : ବାଲିଆପାଳ ବ୍ଲକର ବାଲିଆପାଳ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ ଥିବା ନେତାଜୀ ଷ୍ଟାଡିୟମରେ ନୂଆ ବସଷ୍ଟାଣ୍ଡ ନିର୍ମାଣକୁ କେନ୍ଦ୍ର କରି ଉପୁଜିଥିବା ଉତ୍ତେଜନା ଥମିବାର ନାଁ ଧରୁନି। ବରଂ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏନେଇ ବାଲେଶ୍ଵର ଉପଜିଲ୍ଲାପାଳ କିଶୋର ସ୍ବାଇଁ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ ଓ ଆଇ ଆଇ ସି ପର୍ଶୁରାମ ସାହୁଙ୍କ ଉପସ୍ଥିତରେ ବାଳିଆପାଳ ବ୍ଲକ ସଭା ଗୃହ ପରିସରରେ ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ଶୁଣିଛନ୍ତି । ଅଭିଯୋଗକାରୀଙ୍କ ପକ୍ଷରୁ କଂଗ୍ରେସ ନେତା ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜନ ନାୟକ, ବାଲିଆପାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ଦାସ, ମଧୁପୁରା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଲମ୍ବୁଦର ମାହାନା ପ୍ରମୁଖ ଅଭିଯୋଗ କରି କହିଥିଲେ ଯେ ବାଲିଆପାଳର ଏକମାତ୍ର ଖେଳ ପଡିଆକୁ ବନ୍ଦ କରି ସେଥିରେ ବସଷ୍ଟାଣ୍ଡା କରା ନ ଯାଉ । ଏହି ଖେଳ ପଡିଆରେ ପ୍ରତିଦିନ ପିଲାମାନେ ଖେଳକୁଦ କରିବା ସହିତ ଏଠାରେ ଆଦିବାସୀ ପିଲାଙ୍କ ଦ୍ୱାରା ପ୍ରତିବର୍ଷ ଫୁଟବଲ ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଇଥାଏ । ଏଠାରେ ପ୍ରତିବର୍ଷ ବାଲିଆପାଳ ମହୋତ୍ସବ ମଧ୍ୟ ହେଉଛି । ଏକମାତ୍ର ଏହି ପଡ଼ିଆରେ ବସଷ୍ଟାଣ୍ଡ କରାଗଲେ ସବୁ ପ୍ରକାର କାର୍ଯ୍ୟକ୍ରମ ବନ୍ଦ ହେବ । ଖେଳ ପଡିଆ ସଂଗଲଗନ୍ନ ତିନି ପାଖରେ ରହିଛି ବହୁ ସରକାରୀ ଜାଗା। ତାହା ଏବେ ଲୋକଙ୍କ କବଜାରେ ପ୍ରଥମେ ସରକାରୀ ଜାଗାକୁ ବାହାର କରାଯାଉ । ତା’ପରେ ଏଠାରେ ବସଷ୍ଟାଣ୍ଡ ହେବା ସହିତ ଖେଳପଡ଼ିଆ ମଧ୍ୟ ହେଉ ବୋଲି ବହୁ ବ୍ୟକ୍ତିମାନେ ମତ ଦେଇଥିଲେ । ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତଙ୍କ ଅଭିଯୋଗ ଶୁଣି ପ୍ରଥମେ ଉକ୍ତ ସ୍ଥାନରେ ବସଷ୍ଟାଣ୍ଡ ହେବ ତା’ ପରେ ଖେଳ ପଡିଆ କଥା ବିଚାର କରାଯିବ ବୋଲି କହିଥିଲେ । ବାଲିଆପାଳ ତହସିଲଦାର ଦିପକ କୁମାର ଦାଶ ବସଷ୍ଟାଣ୍ଡ ନିର୍ମାଣକୁ କେହି ବିରୁଦ୍ଧ କରନ୍ତୁ ନାହିଁ । ବସ ଷ୍ଟାଣ୍ଡ ପାଇଁ ଅର୍ଥ ମଞ୍ଜୁର ହୋଇଛି । ପୁଣି ଖେଳ ପଡିଆ ପାଇଁ ଅର୍ଥ ମଞ୍ଜୁର ହେଲେ ତା’ କଥା ବୁଝାଯିବ। ଯେଉଁମାନେ ସରକାରୀ ଜାଗାକୁ ଅବରୋଧ କରିଛନ୍ତି ସେ ଜାଗାକୁ ନିଶ୍ଚିତ ଭାବେ ମାପ କରାଯାଇ ବାହାର କରାଯିବ। ତେବେ ଖେଳ ପଡିଆକୁ ପ୍ରଥମେ ମାପ କରାଯାଇ ସୀମା ନିର୍ଧାରଣ କରାଯିବ।ତା’ ପରେ ଆଗ ବସଷ୍ଟାଣ୍ଡ ହୋଇସାରିବ, ପରେ ଖେଳ ପଡିଆ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ କହିଛନ୍ତି।
