ସମ୍ବଲପୁର : ସବୁ ମେଧାବୀ ଛାତ୍ରଛାତ୍ରୀଙ୍କ ଜୀବନରେ ସ୍ବର୍ଣ୍ଣପଦକ ପାଇବା ପାଇଁ ସ୍ବପ୍ନ ରହିଥାଏ । ସ୍ବର୍ଣ୍ଣ ପଦକ ହାସଲ କରିବା ନିମନ୍ତେ ସେମାନେ ପାଠପଢ଼ାରେ ଦିନରାତି ଏକ୍ କରିଦେଇଥା’ନ୍ତି । ହେଲେ, ବାସ୍ତବତା ହେଉଛି ଯେ ସେହି ସ୍ବର୍ଣ୍ଣପଦକ ପୂରା ସୁନା ତିଆରି ହୋଇନଥାଏ । ଏଥିରେ ମାତ୍ର କିଛି ଗ୍ରାମ ଶୁଦ୍ଧ ସୁନା ଏବଂ ଅନ୍ୟ ଧାତୁ ରହିଥାଏ । ତେବେ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଗତ ୩୧ ତମ ସମାବର୍ତ୍ତନ ଉତ୍ସବରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଯେଉଁ ପଦକ ଦିଆଯାଇଛି, ସେଥିରେ ଶୁଦ୍ଧତାର ପ୍ରତିଶତ ବହୁତ କମ୍ ରହିଥିବା ଅଭିଯୋଗ ସାମ୍ନାକୁ ଆସିଛି ।
ଗତ ୨୨ ଏପ୍ରିଲ ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟର ୩୧ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମାବର୍ତ୍ତନ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ ହେବା ପରେ ବିବାଦ ଆରମ୍ଭ ହୋଇଯାଇଥିଲା । ଏତେ ତରବରିଆ ସମାବର୍ତ୍ତନ ଉତ୍ସବ ଆୟୋଜନ ନେଇ ଆପତ୍ତି ଉଠିଥିଲା । ସେହି ସମୟରେ ଜଣେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଶିଳ୍ପୋଦ୍ୟୋଗୀଙ୍କୁ ସମ୍ମାନସୂଚକ ଡି.ଲିଟ୍ ଉପାଧି ପ୍ରଦାନକୁ ବି ବିରୋଧ କରାଯାଇଥିଲା । ଏହି ବିବାଦ ଥମି ନଥିବାବେଳେ ଏବେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ସ୍ବର୍ଣ୍ଣପଦକରେ ସୁନାର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଛି । ଏ ନେଇ ସନ୍ଦେହ ହେବାରୁ ଜଣେ ଛାତ୍ରୀଙ୍କ ଅଭିଭାବକ ଦେଶର ଏକ ପ୍ରତିଷ୍ଠିତ କଂପାନିର ସମ୍ବଲପୁରରେ ଥିବା ଅଳଙ୍କାର ଦୋକାନରୁ ଗତକାଲି ଉକ୍ତ ସ୍ବର୍ଣ୍ଣପଦକର ଶୁଦ୍ଧତା ପରୀକ୍ଷା କରାଇଥିଲେ । ଯାହା ରିପୋର୍ଟ ଆସିଲା, ତାହା ଦେଖି ସେ ବିସ୍ମିତ ହୋଇଯାଇଥିଲେ । ଉକ୍ତ ସ୍ବର୍ଣ୍ଣପଦକ ଓଜନ ୭.୫୨୮ ଗ୍ରାମ ରହିଥିବା ବେଳେ ଏଥିରେ ଥିବା ସୁନାର ଶୁଦ୍ଧତା(ପ୍ୟୁରିଟି) ମାତ୍ର ୧.୪୨ ପ୍ରତିଶତ ରହିଥିବା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି ।
ସ୍ବର୍ଣ୍ଣ ପଦକରେ କେତେ ପରିମାଣର ସୁନା ଓ ଅନ୍ୟ ଧାତୁ ରହିବ, ତାହା ବିଭିନ୍ନ ବିଶ୍ବବିଦ୍ୟାଳୟର ନିୟମ ଉପରେ ନିର୍ଭର କରିଥାଏ । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଦିଆଯାଉଥିବା ସ୍ବର୍ଣ୍ଣପଦକରେ ୨ ଗ୍ରାମ ଶୁଦ୍ଧ ସୁନା ଏବଂ ବାକି ଅନ୍ୟ ଧାତୁ ରହିଥାଏ । ତେବେ, ସେହି ସୁନାର ଶୁଦ୍ଧତା ୨୩ କ୍ୟାରେଟ୍ରୁ ଅଧିକ ରହିବା କଥା । ଅର୍ଥାତ୍ ଏହାର ଶୁଦ୍ଧତା ୯୫.୮ ପ୍ରତିଶତରୁ ବେଶୀ ରହିବା ଉଚିତ । ଉକ୍ତ ରିପୋର୍ଟ ମିଳିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଦତ୍ତ ସ୍ବର୍ଣ୍ଣପଦକ କେଉଁ ସ୍ତରର ତାହା ଅନୁମାନ କରାଯାଇପାରେ ବୋଲି ସଂପୃକ୍ତ ଛାତ୍ରୀଙ୍କ ଅଭିଭାବକ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କରୋନା କଟକଣା ଯୋଗୁ ମଝିରେ ସମାବର୍ତ୍ତନ ଉତ୍ସବ ହୋଇପାରିନଥିଲା । ତେଣୁ, ଉକ୍ତ ସମାବର୍ତ୍ତନ ଉତ୍ସବରେ ଏକ ସଂଗରେ ୨୦୨୦ ଓ ୨୦୨୧ ଶିକ୍ଷାବର୍ଷ ନିମନ୍ତେ ପ୍ରତ୍ୟେକ ବର୍ଷ ପାଇଁ ୩୩ଟି ଲେଖାଏଁ ସ୍ବର୍ଣ୍ଣପଦକ ଏବଂ ଉଭୟ ବର୍ଷର ୧୫ଟି ଲେଖାଏଁ ସ୍ମାରକୀ ପଦକ ଦିଆଯାଇଥିଲା । ଅର୍ଥାତ୍ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ହୋଇଥିବା ସର୍ବମୋଟ ୯୬ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ଦିଆଯାଇଥିଲା । ଏ ସଂକ୍ରାନ୍ତରେ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା । ତେବେ, କୁଳସଚିବ ଡ. ନୃପରାଜ ସାହୁଙ୍କୁ ପଚାରିବାରୁ ସେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ଉତ୍ତର ରଖିନଥିଲେ । ଯେହେତୁ, ସ୍ବର୍ଣ୍ଣପଦକ ତିଆରି ନିମନ୍ତେ ନିୟୋଜିତ ଅଧିକାରୀ/କର୍ମଚାରୀମାନଙ୍କ ମଧ୍ୟରେ ସେ ନଥିଲେ, ତେଣୁ ଏନେଇ ସେ କିଛି କହିପାରିବେ ନାହିଁ ବୋଲି ଡ. ସାହୁ କହିଥିଲେ । ତଥାପି, ସ୍ବର୍ଣ୍ଣପଦକ ଯାଞ୍ଚ କରାଯିବା ପରେ ତାହା ସ୍ପଷ୍ଟ ଜଣାପଡ଼ିବ ବୋଲି ସେ ମତ ଦେଇଛନ୍ତି ।
