ସାଢ଼େ ୩ କୋଟିରୁ ଅଧିକ ଅର୍ଥ ହେର୍‌ଫେର ଉଦ୍ୟମ !

ବାଲେଶ୍ବର : ବାଲେଶ୍ବର ସହରାଞ୍ଚଳରେ ପୁରାତନ ତଥା ପ୍ରମୁଖ ଜଳାଶୟଗୁଡ଼ିକୁ ସରକାରୀ ଅନୁଦାନରେ ‌ସଂସ୍କାର ବା ପୁନରୁଦ୍ଧାର କାମ କରୁଛି ପୌରପାଳିକା । ଏଥିପାଇଁ ୩ କୋଟି ୬୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଆବଶ୍ୟକ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ ହୋଇ ପାରୁନଥିବାରୁ ନିର୍ମାଣଧୀନ ଉକ୍ତ ଜଳାଶୟଗୁଡ଼ିକର ଅବସ୍ଥା ଯଥାପୂର୍ବ ତଥା ପର ଭଳି ଅବସ୍ଥା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଫଳରେ କୋଟିକୋଟି ଟଙ୍କାରେ ଚାଲିଥିବା ଏହି କାମ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବାଲେଶ୍ବର ସହରାଞ୍ଚଳରେ ଜଳାଶୟ ସଂସ୍କାର ଯୋଜନାରେ ୬ଟି ପୋଖରୀକୁ ସାମିଲ କରାଯାଇଥିବା ବେଳେ ୩ କୋଟି ୬୭ ହଜାର ଟଙ୍କାର ବ୍ୟୟ ଅଟକଳ ହୋଇଛି । ୮ ନମ୍ବର ୱାର୍ଡର ମଠସାହି ସ୍ଥିତ ହରଗଂଗା ପୋଖରୀ ପାଇଁ ୩୫ ଲକ୍ଷ ଏବଂ ୫ ନମ୍ବର ୱାର୍ଡ ମାନସିଂ ବଜାରସ୍ଥିତ ହରିଚନ ପୋଖରୀ ପାଇଁ ୫୨ ଲକ୍ଷ ୪୩ ହଜାର ଟଙ୍କା ମଂଜୁର ହୋଇଥିଲା । ସେହିପରି ୧୬ ନମ୍ବର ୱାର୍ଡ ଆଜିମାବାଦ ସ୍ଥିତ ନୂଆପୋଖରୀ ପାଇଁ  ୫୨ ଲକ୍ଷ ୧୯ ହଜାର, ଶୋଭାରାମପୁର ପୋଖରୀ ପାଇଁ ୫୭ ଲକ୍ଷ ୬୮ ହଜାର, ଗଡ଼ଗଡ଼ିଆ ପୋଖରୀ ପାଇଁ ୬୯ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟବରାଦ ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ମଠସାହି ସ୍ଥିତ ହରଗଂଗା ପୋଖରୀ ଏବଂ ମାନସିଂବଜାର ସ୍ଥିତ ହରିଚନ ପୋଖରୀ କାମ ୯୦ ପ୍ରତିଶତ ସରିଥିବା ବେଳେ ଆଜିମାବାଦସ୍ଥିତ ନୂଆପୋଖରୀ, ଶୋଭାରାମପୁର ପୋଖରୀ ଏବଂ ଗଡ଼ଗଡ଼ିଆ ପୋଖରୀ କାମ ୬୦ ଭାଗ କାମ ସରିଯାଇଛି ।

ସେହିପରି ୨ ନମ୍ବର ୱାର୍ଡର ବଡ଼ଖୁଆ ପୋଖରୀ ଉନ୍ନତି ପାଇଁ ୧ କୋଟି ଟଙ୍କା ମଂଜୁର ହୋଇଥିଲା । ସେଥି ମଧ୍ୟରୁ ଠିକାଦାର ପ୍ରାୟ ୪୦ ଭାଗ କାମ ଶେଷ କରିଥିବା ଦେଖାଯାଇଛି । ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏବେ ବର୍ଷାଋତୁ ଆରମ୍ଭ ହୋଇଥିବା ଯୋଗୁଁ ଜଳାଶୟ ସଂସ୍କାର କାମ ବନ୍ଦ କରାଯାଇଛି । ସହରବାସୀଙ୍କ ଅଭିଯୋଗ ହେଉଛି ଯେ ଯେତେବେଳେ ଗ୍ରୀଷ୍ମଋତୁ ଥିଲା ସମୟସୀମା ମଧ୍ୟରେ ଏହି କାମ ଠିକାଦାର ନିଶ୍ଚୟ ସାରି ପାରିଥାନ୍ତେ । ସମୟସୀମା ମଧ୍ୟରେ କାମ ନସରିବା ନେଇ କାର୍ଯ୍ୟର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠୁଛି । ଏ ସଂପର୍କରେ ୨ ମାସ ପୂର୍ବରୁ ଏକ ଖବର ପ୍ରକାଶ ପାଇବା ସହ ବର୍ଷା ପୂର୍ବରୁ କାର୍ଯ୍ୟ ସରିବା ନେଇ ଆଶଙ୍କା ପ୍ରକାଶ କରାଯାଇଥିଲା । କିନ୍ତୁ ପୌର କର୍ତ୍ତୃପକ୍ଷ ଏବଂ ଠିକାସଂସ୍ଥା ଜାଣିଶୁଣି ଏ କାମକୁ ବିଳମ୍ବ କରିବା ଏବଂ ଏ ବାବଦରେ ଖର୍ଚ୍ଚ ହେବାକୁ ଥିବା କୋଟିକୋଟି ଟଙ୍କାକୁ ଆତ୍ମସାତ କରିଛନ୍ତି ବୋଲି ସହରବାସୀ ଅଭିଯୋଗ କରିଛନ୍ତି । ଯାହାର ଫଳ ସ୍ବରୂପ ଏବେ ମୌସୁମୀ ବର୍ଷା ଆସି ଯାଇଥିବାରୁ ଉକ୍ତ କାମକୁ ବନ୍ଦ କରି ଦିଆଯାଇଛି ।

ସେପଟେ ପୌରାଧ୍ୟକ୍ଷା ସବିତା ସାହୁଙ୍କୁ ଏନେଇ ପଚାରିବାରୁ ଜଳାଶୟ ସଂସ୍କାର କାମ ବିଳମ୍ବ ହୋଇଥିବା ସେ ସ୍ବୀକାର କରିଥିଲେ । ବର୍ତ୍ତମାନ ବର୍ଷା ଦିନ ଆସୁଥିବାରୁ ଡ୍ରେନ ଓ ରାସ୍ତାକୁ ପ୍ରାଥମିକସ୍ତରରେ ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି । ତେଣୁ ପୋଖରୀ ଖୋଳାରେ ଠିକାଦାର ଯେତିକି କାମ କରିଛନ୍ତି ସେତିକିରେ ବିଲ୍‌ ପାସ୍‌ କରାଯିବ ବୋଲି ଶ୍ରୀମତୀ ସାହୁ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *