କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଘୋଷଦା ପଞ୍ଚାୟତରେ ଅବାଧରେ ଦେଶୀ ମଦ କାରବାର ଚାଲିଛି । ଅବକାରୀ ବିଭାଗ ଜାଣି ନ ଜାଣିଲା ପରି ଚୁପ୍ ହୋଇ ବସିଛି । ଏହାର କୁପ୍ରଭାବ ଯୁବଗୋଷ୍ଠୀ ଉପରେ ପଡୁଛି । ଘୋଷଦା ଗ୍ରାମରେ ୪ଟି ବେଆଇନ ମଦ ଭାଟି ରହିଛି । ଏଠାରୁ ସରକାରଙ୍କୁ ଟଙ୍କାଟିଏ ବି ରାଜସ୍ବ ମିଳୁନାହିଁ । ମଦ ମାଫିଆମାନେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଅବକାରୀ ବିଭାଗ ଓ ପୁଲିସ ବିଭାଗ ସ୍ଥାଣୁ ପାଲଟିବାରୁ ଯୁବ ଗୋଷ୍ଠୀ ନିର୍ଭୟରେ ମଦ ପିଉଥିବାବେଳେ, ସାମାଜିକ ଓ ପାରିବାରିକ ଅଶାନ୍ତି ବଢ଼ି ଚାଲିଛି । ବହୁ ଲୋକଙ୍କ ଆର୍ଥିକ ସ୍ଥିତି ଅବନ୍ନତି ହେବାକୁ ବସିଛି ।
ତରୁଣ ବୟସରୁ ମଦ ପିଇବା ଆରମ୍ଭ କରୁଥିବାରୁ କିଡନି ଓ ଲିଭର ରୋଗରେ ଆକ୍ରାନ୍ତ ହୋଇ ଶେଷରେ ଜୀବନ ହାରୁଛନ୍ତି । ଗତ ବର୍ଷ ଏହି ଗ୍ରାମରୁ ୨୦ ରୁ ଊର୍ଦ୍ଧ୍ବ ଲୋକ ଯକୃତ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଗତ ମାସରେ କେବଳ ଘୋଷଦା ଗ୍ରାମରେ ୬ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି । ସେମାନେ କିଡନି ଓ ଲିଭର୍ ରୋଗରେ ଆକ୍ରାନ୍ତ ଥିଲେ । ସେହିଭଳି କରଞ୍ଜିଆ ସହରରେ ୱାର୍ଡ ନମ୍ବର ୮, ୭,୧୩ ଓ ୧୪ରେ ଏକାଧିକ ଯୁବକଙ୍କର ମଦ୍ୟପାନଜନିତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସଂପୃକ୍ତ ଅଂଚଳରେ ଅବାଧରେ ଦେଶୀ ଓ ବିଦେଶୀ ମଦ କାରବାର ହେଉଛି । ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଘୋଷଦା ଗ୍ରାମକୁ ମଦମୁକ୍ତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
