ପୋଖରୀ ଖୋଳା ନାଁରେ ଅର୍ଥ ହରିଲୁଟ୍‌

ଭୋଗରାଇ : ଭୋଗରାଇ ବ୍ଲକର ସଦର, ଜଳେଶ୍ବରପୁର ପଞ୍ଚାୟତର, ବାଡି ଜଳେଶ୍ବରପୁର ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ଦୁର୍ନୀତି, ପୋଖରୀ ପୁନରୁଦ୍ଧାର ନାଁରେ ବ୍ୟକ୍ତିଗତ କାର୍ଯ୍ୟ ଓ ବ୍ୟାପକ ଅର୍ଥ ହରିଲୁଟ ନେଇ ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ଗ୍ରାମର ଲୋକେ । ଏନେଇ ମଙ୍ଗଳବାର ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସୂଚନା ମୁତାବକ ଭୋଗରାଇ ବ୍ଲକ ଜଳେଶ୍ବରପୁର ପଞ୍ଚାୟତର ବାଡି ଜଳେଶ୍ବରପୁର ଗାଁରେ ଥିବା ଘୋଡ଼ାମରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କାର ଅର୍ଥ ବ୍ୟୟ ମଞ୍ଜୁର ହୋଇଥିବା ବେଳେ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ବିଭିନ୍ନ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୋଖରୀ ଖୋଳିବା ପରିବର୍ତ୍ତେ ଜନୈକ ବ୍ୟକ୍ତିଙ୍କ ଉଠାଜଳସେଚନ ପ୍ରକଳ୍ପରୁ ପାଣି ଯିବା ପାଇଁ ପ୍ରାୟ ୩୦୦ ଫୁଟ ଲମ୍ବର ଏକ ନାଳ ଖୋଳାଯାଇଛି । ଏପରିକି ପୋଖରୀ ଖୋଳା ନହୋଇ ପୋଖରୀର ଗୋଟିଏ ପାର୍ଶ୍ବରୁ ମାଟି ଖୋଳି ଅନ୍ୟ ପାର୍ଶ୍ବରେ ଥିବା ସେହି ବ୍ୟକ୍ତିଙ୍କ ଉଠାଜଳସେଚନ ପ୍ରକଳ୍ପ ପାଖରେ ଉକ୍ତ ମାଟି ଭର୍ତ୍ତି କରାଯାଇଛି । ଯୋଜନା ଅନୁଯାୟୀ କାମ ନକରି ବିଭିନ୍ନ ଲୋକଙ୍କ ନାଁରେ ମଷ୍ଟରରୋଲ୍ ତିଆରି କରି ଟଙ୍କା ଉଠାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପୁଣି ଜଣେ ମହିଳାଙ୍କ ଫାର୍ମଫଣ୍ଡ ଯୋଜନାରେ ନୂତନ ପୋଖରୀ ନଖୋଳି ପୁରୁଣା ପୋଖରୀକୁ ଜେସିବି ଲଗାଇ ଖୋଳିବା ସହ ଲୋକମାନଙ୍କ ନାଁରେ  ମାଷ୍ଟରରୋଲ୍ ତିଆରି କରି ଟଙ୍କା ଉଠାଣ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫଳକରେ ଲେଖା ଯାଇଥିବା ସମୁଦାୟ ୧୦ ଲକ୍ଷ ଟଙ୍କାର କାର୍ଯ୍ୟକୁ ମାତ୍ର ଲକ୍ଷେ ଟଙ୍କା ଖର୍ଚ୍ଚ କରି ବାକି ଟଙ୍କା ହଡ଼ପ କରାଯାଇଥିବା ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି ।

ତେବେ ଆଗାମୀ ୭ ଦିନ ମଧ୍ୟରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟର ତଦନ୍ତ କରିବା ସହିତ ସମାଧାନ କରାନଗଲେ ବିଡିଓଙ୍କ ଅଫିସ୍ ସମ୍ମୁଖରେ ଧାରଣାରେ ବସିବେ ବୋଲି ମନ୍ମଥ କୁମାର ଜେନା, ଅନନ୍ତ କୁମାର ଜେନା, ସପନ କୁମାର ଦାସ, ଦେବବ୍ରତ ସେନାପତି, ବିଷ୍ଣୁପଦ ସାହୁ, ରାମଚନ୍ଦ୍ର ଦାସ ପ୍ରମୁଖ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଅନ୍ୟ ପକ୍ଷରେ ଏ ସମ୍ପର୍କରେ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭୋଗରାଇ ବିଡିଓ ଶଙ୍କର ପଟ୍ଟନାୟକ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *