ଆଦର୍ଶ ଶିକ୍ଷକ ଭାବେ ରାଷ୍ଟ୍ରପତି ପୁରସ୍କାର ପାଇଥିବା ଏବିଇଓ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ

ରାଜନଗର : ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ଶ୍ରେଣୀଗୃହ ଭିତ‌ରେ ଅସଦାଚରଣ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ରାଜନଗର ଅତିରିକ୍ତ ବ୍ଲକ୍‌ ଶିକ୍ଷାଧିକାରୀ (ଏବିଇଓ) ସୁବାସ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ ରାଜନଗର ଥାନାରେ ନାବାଳିକା ଛାତ୍ରୀଙ୍କ ମା’ କରିଥିବା ଅଭିଯୋଗ ମୁତାବକ, ତାଙ୍କ ଝିଅ ଷଷ୍ଠ ଶ୍ରେଣୀରେ ପାଠ ପଢେ । ଗତକାଲି ସେ ସ୍କୁଲକୁ ପଢିବାକୁ ଯାଇଥିବା ବେଳେ ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ପିଲାମାନେ ଖେଳୁଥିବା ବେଳେ ଝିଅଟି ଶ୍ରେଣୀ ଗୃହରେ ବସି ଟିଉସନ ପାଠ କରୁଥିଲା । ଏହି ସମୟରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ମହାନ୍ତି ପହଞ୍ଚି ନାବାଳିକା ଝିଅ ସହ ଅସଦାଚରଣ ଉଦ୍ୟମ କରିଥିଲେ । ଝିଅ ପାଟି କରିବାରୁ କାହାକୁ ନ କହିବାକୁ କହି ପଳାଇଥିଲେ । ଝିଅ ଘରକୁ ଆସି ଟିଉସନ ଦିଦିଙ୍କୁ ଘଟଣା ସମ୍ପର୍କରେ କହିଥିଲା । ଏ ସମ୍ପର୍କରେ ଜାଣିବା ପରେ ଝିଅର ବାପା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ଏବିଇଓଙ୍କୁ ଫୋନ ଯୋଗେ ପଚାରିଥିଲେ । ଆଜି ସକାଳେ ଏବିଇଓ ଶ୍ରୀ ମହାନ୍ତି ଛାତ୍ରୀଙ୍କ ଘର ନିକଟରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ପୁଲିସ ଜିମା ଦେଇଥିଲେ । ଛାତ୍ରୀଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଛାତ୍ରୀଙ୍କ ବୟାନ ରେକର୍ଡ କରିବା ସହ ଏବିଇଓଙ୍କୁ ଗିରଫ କରିଛି ।

ଏବିଇଓ ଶ୍ରୀ ମହାନ୍ତି ରାଜନଗର ବ୍ଲକ୍‌ର ପ୍ରଥମ ଆଦର୍ଶ ଶିକ୍ଷକ ଭାବେ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ଅନ୍ୟପଟେ ଏବିଇଓଙ୍କୁ ତୁରନ୍ତ କୋର୍ଟଚାଲାଣ ପାଇଁ ଗାଁର ଶତାଧିକ ଲୋକେ ଥାନାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ ।

Leave a Reply

Your email address will not be published. Required fields are marked *