ଯାଜପୁର : ଲଘୁଖଣିଜ ସମ୍ପଦ କେଳେଙ୍କାରୀକୁ ନେଇ ରାଜସ୍ବ ବିଭାଗ ନାକେଦମ୍ । ଲଘୁଖଣିଜ ସମ୍ପଦ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା ପାଇଁ ତହସିଲଦାର ଓ ତାଙ୍କ ସହଯୋଗୀମାନେ ଫସିବାରେ ଲାଗିଛନ୍ତି । ଯାଜପୁର ଜିଲ୍ଲାର ୨ଟି ତହସିଲର ୨୨ ଜଣ ତହସିଲଦାର ଏହି କେଳେଙ୍କାରୀରେ ଫସିଛନ୍ତି ।
ଲଘୁ ଖଣିଜ ସମ୍ପଦରେ ଯାଜପୁର ଜିଲ୍ଲା ଭରପୁର । ଜିଲ୍ଲାର ତହସିଲଗୁଡ଼ିକ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସେବାରୁ ଦୂରେଇ ଯାଇ ଲଘୁ ଖଣିଜ ବ୍ୟବସାୟରେ ମାତିଛନ୍ତି । ପରିସ୍ଥିତିକୁ ଠିକଣା ଢଙ୍ଗରେ ନିୟନ୍ତ୍ରଣ କରିପାରୁନଥିବା ଅଧିକାରୀମାନେ ମଧ୍ୟ ବିଭିନ୍ନ ସମୟରେ ବାଲି ଓ ପଥର ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଅନ୍ୟ କେତେକ ଅଧିକାରୀ ଆଇନ୍ର ଗଳାବାଟରେ କୋଟିପତି ଲଘୁଖଣିଜ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ କାଠଗଡ଼ାରେ ଠିଆ ହେଉଛନ୍ତି ।
ରାଜ୍ୟର ଅନ୍ୟତମ ଧନୀ ତହସିଲ ଧର୍ମଶାଳାର କଳାପଥର କେଳେଙ୍କାରୀ ତଦନ୍ତ ପରିସରଭୁକ୍ତ ହୋଇଥିବା ବେଳେ ଜିଲ୍ଲା ସଦର ମହକୁମା ଯାଜପୁର ତହସିଲର ରୟାଲଟି ଅର୍ଥ ଚଳୁ କରି ଅଧିକାରୀ ଓ କର୍ମଚାରୀ ଅଡିଟ୍ରେ ଧରାପଡ଼ିଛନ୍ତି । ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀ ପାହାଡ଼ର ୫୮ କୋଟି ୬୨ ଲକ୍ଷ ଟଙ୍କା କଳାପଥର କେଳେଙ୍କାରୀ ମାମଲାରେ ୧୦ ଜଣ ତହସିଲଦାର, ୬ ଜଣ ଉପଜିଲ୍ଲାପାଳ ଓ ୧୦ ଆରଆଇଙ୍କ ବିଚାର ଚାଲିଛି । ଏହି ତହସିଲର ଆରୁହା ପାହାଡ଼ରେ ୧୦ କୋଟି ଟଙ୍କା ଜରିମାନା ମାମଲାରେ ୪ ଜଣ ତହସିଲଦାର ଓ ୨ ଜଣ ଆରଆଇଙ୍କ ନାମରେ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି, ଯାଜପୁର ତହସିଲର ୪ କୋଟି ୯୪ ଲକ୍ଷ ଟଙ୍କା ରାଜସ୍ବ ହଡ଼ପ ଘଟଣାରେ ୮ ତହସିଲଦାରଙ୍କ ସମେତ ୨୧ କର୍ମଚାରୀ ଫସିଛନ୍ତି ।
ଜିଲ୍ଲାର ହଜାର ହଜାର ଭୂମିହୀନ ପରିବାରକୁ ଆଜି ପର୍ଯ୍ୟନ୍ତ ବସୁନ୍ଧରା ଯୋଜନାରେ ଘରଢିହ ଯୋଗାଇବାରେ ତହସିଲଗୁଡ଼ିକ ବିଫଳ ହୋଇଛନ୍ତି । ସେହିପରି ଜଙ୍ଗଲ ଜମି ଅଧିକାର ଆଇନ ବି ଯାଜପୁର ଜିଲ୍ଲାରେ ବିଫଳ ହୋଇଛି । ୧୨ ବର୍ଷ ହୋଇଗଲା ହଜାର ହଜାର ଭୂମିହୀନ ପରିବାର ଜମି ଖଣ୍ଡେ ପାଇ ପାରିଲେ ନାହିଁ । ଘର ପାଇଁ ଅତ୍ୟାବଶ୍ୟକ ଜମି ନଥିବାରୁ ସରକାରୀ ଆବାସ ହୋଇନପାରି ଫେରିଯାଉଛି । ଅପରପକ୍ଷରେ, ଭୂମିହୀନ ହଜାର ହଜାର ଗରିବ ପରିବାର ଭଙ୍ଗା କୁଡ଼ିଆରେ ପଡ଼ିରହିଛନ୍ତି । ତହସିଲ ପ୍ରଶାସନ ମୁଖ୍ୟତଃ ଲଘୁ ଖଣିଜ ସମ୍ପଦ କାରବାରରେ ମାତିଛନ୍ତି । ରାଜସ୍ବ ଆଦାୟ ନାମରେ ସରକାରୀ ଭୂସମ୍ପତ୍ତିକୁ ଲଘୁ ଖଣିଜ ବେପାରୀଙ୍କ ହାତରେ ଟେକି ଦେବାକୁ ପଛାଉ ନାହାନ୍ତି । ପରିବେଶ ନଷ୍ଟ ସହିତ ହଜାର ହଜାର କୋଟି ଟଙ୍କାର ସରକାରୀ ଭୂସମ୍ପତ୍ତି ପରିତ୍ୟକ୍ତ ହେବାରେ ଲାଗିଛି । ବିକାଶ ନାମରେ ସବୁ ଆଇନକୁ ଦଳିମକଚି ଦିଆଯାଉଛି । ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ମଧ୍ୟ ଲଘୁ ଖଣିଜ କାରବାର ମୁଖ୍ୟ ଭୂମିକା ଗ୍ରହଣ କରିଛି । ଖଣି ବିଭାଗ ଭଳି ଲଘୁଖଣିଜ ପରିଚାଳନା ପାଇଁ ସ୍ବତନ୍ତ୍ର ବିଭାଗର ଆବଶ୍ୟକତା ଜରୁରି ହୋଇପଡ଼ିଛି ବୋଲି କେତେକ ଅଭିଜ୍ଞ ଅଧିକାରୀ ମତବ୍ୟକ୍ତ କରିଛନ୍ତି ।
