କଟକ : ରାଜ୍ୟରେ ୮୮ ଜେଲ୍ରେ ଚିକିତ୍ସା ବ୍ୟବସ୍ଥା ଏଭଳି ବିପର୍ଯ୍ୟସ୍ତ ହୋଇପଡ଼ିଛି ଯେ କଏଦୀ ଡାକ୍ତରୀ ଚିକିତ୍ସା ପାଇଁ ବିକଳ ହେଉଛନ୍ତି । ୧୯ ହଜାର ୭୯୯ ଜଣ କଏଦୀଙ୍କୁ ଚିକିତ୍ସା କରିବାକୁ ଅଛନ୍ତି ମାତ୍ର ୩୪ ଜଣ ଡାକ୍ତର । କରୋନା ପରେ ଜେଲ୍ରେ ମାନସିକ ରୋଗୀ ସଂଖ୍ୟା ବୃଦ୍ଧି ପାଇ ୭୯୨ରେ ପହଞ୍ଚିଛି । ଏତେ ସଂଖ୍ୟକ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ କିନ୍ତୁ ଜଣେ ମାନସିକ ରୋଗ ଡାକ୍ତର ଅଛନ୍ତି । ବିପିଆରଡି(ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ)ର ନୂଆ ନିର୍ଦ୍ଦେଶାବଳୀ ଆଧାରରେ ଓଡ଼ିଶା ସରକାର ଜେଲରେ ଡାକ୍ତର ପଦବି ସଂଖ୍ୟା ତରବରିଆ ବୃଦ୍ଧି କରି ଦେଇଛନ୍ତି । କିନ୍ତୁ, ଡାକ୍ତର ନିଯୁକ୍ତି ହୋଇନାହିଁ । ଚିକିତ୍ସା ଭଳି ମୌଳିକ ସୁବିଧା କଏଦୀଙ୍କୁ ଯୋଗାଇ ନପାରି ବିପିଆରଡିକୁ କେବଳ ଅନ୍ଧାରରେ ରଖିଛନ୍ତି ସରକାର ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ବିପିଆରଡି(ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ) ୨୦୨୦ ସେପ୍ଟେମ୍ବର ୨୮ ତାରିଖରେ ଜାରି କରିଥିବା ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟରେ ଜେଲ୍ଗୁଡ଼ିକୁ ‘ଏ’ ଓ ‘ବି’ ଦୁଇଟି ଶ୍ରେଣୀରେ ଭାଗ କରାଯାଇଛି । ୩୦ ରୁ ଅଧିକ ବେଡ୍ ଥିବା ଜେଲ୍ର ଡାକ୍ତରଖାନାକୁ ‘ଏ’ ଶ୍ରେଣୀଭୁକ୍ତ କରାଯାଇଛି । ଏହି ଶ୍ରେଣୀର ଜେଲ୍ରେ ୩ ଜଣ ଡାକ୍ତର, ୩ ଜଣ ନର୍ସ, ୪ ଜଣ ଫାର୍ମାସିଷ୍ଟ, ୩ ଜଣ ନର୍ସିଂ ଆଟେଣ୍ଡାଣ୍ଟ, ଜଣେ ସାଇକ୍ରିଆଟିକ୍ ଡାକ୍ତର, ୨ ଜଣ ଲାବୋରେଟୋରି ଟେକ୍ନିସିଆନ୍ ରହିବେ । ସେହିଭଳି ୩୦ ରୁ କମ୍ ବେଡ୍ ଥିବା ଜେଲ୍ର ଡାକ୍ତରଖାନାକୁ ‘ବି’ ଶ୍ରେଣୀଭୁକ୍ତ କରାଯାଇଥିବା ବେଳେ ସେଠାରେ ୨ ଜଣ ଡାକ୍ତର, ଦୁଇ ଜଣ ନର୍ସ, ୩ ଜଣ ଫାର୍ମାସିଷ୍ଟ, ୨ ଜଣ ନର୍ସିଂ ଆଟେଣ୍ଡାଣ୍ଟ, ଜଣେ ଲେଖାଏ ସାଇକ୍ରିଆଟିକ୍ ଡାକ୍ତର, ଜଣେ ଲାବୋରେଟୋରି ଟେକନିସିଆନ୍ ରହିବା ନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଓଡ଼ିଶାର ଜେଲ୍ ବିଭାଗ ନିକଟରେ ରହିଛି ।
କିନ୍ତୁ, ରାଜ୍ୟରେ ସ୍ଥିତି ସଂଗିନ । ଜେଲରେ ୧୯ ହଜାର ୭୯୯ କ୍ଷମତା (ପୁରୁଷ ୧୭ ହଜାର ୯୫୭ ଏବଂ ମହିଳା ୧୮ ଶହ ୪୨) ଥିବାବେଳେ ବିପିଆରଡିର ନିର୍ଦ୍ଦେଶାବଳୀ ଆଧାରରେ ବର୍ତ୍ତମାନ ଜେଲ୍ ଡାକ୍ତରଖାନାର ଡାକ୍ତର ଓ ଡାକ୍ତରଖାନାର ସଂଖ୍ୟା କଏଦୀଙ୍କ ଅନୁପାତରେ ନାହିଁ । ଜେଲ୍ ବିଭାଗ ବ୍ରିଟିସ୍ ଅମଳର ଜେଲ୍ ମାନୁଆଲକୁ ଜାବୁଡ଼ି ବସିଛି । ବିପିଆରଡିର ନୂଆ ନିର୍ଦ୍ଦେଶାବଳୀ ଆଧାରରେ, ରାଜ୍ୟରେ ଡାକ୍ତର ମଞ୍ଜୁରୀ ପଦବି ୧୦୮ ଥିବାବେଳେ ୩୪ ଜଣ ଡାକ୍ତର ଅଛନ୍ତି । ଫାର୍ମାସିଷ୍ଟ ମଞ୍ଜୁରିପ୍ରାପ୍ତ ପଦବି ୮୬ ଥିବା ବେଳେ ୬୧ ଜଣ ଅଛନ୍ତି । ମାନସିକ ରୋଗ ଡାକ୍ତର ପଦବି ୪ ଥିବାବେଳେ ଅଛନ୍ତି ଚୌଦ୍ବାର ସର୍କଲ ଜେଲରେ ଜଣେ । ପୁରୁଷ ନର୍ସ ୭ଟି ପଦବି ଥିବାବେଳେ ୩ ଜଣ ଅଛନ୍ତି ।
ଓଡ଼ିଶାରେ କୌଣସି ଜେଲରେ ପାଥୋଲାବ୍ ନାହିଁ କି ଲାବୋରେଟୋରି ଟେକନିସିଆନ୍ ବି ନାହାନ୍ତି । ଅସୁସ୍ଥ କଏଦୀଙ୍କ ମଳ, ମୂତ୍ର, ରକ୍ତ, ଏକ୍ସରେ ଇତ୍ୟାଦି ପରୀକ୍ଷା ପାଇଁ କଏଦୀଙ୍କୁ ସୁରକ୍ଷା ବଳୟ ଭିତରେ ଘରୋଇ ପାଥୋଲାବ୍ କିମ୍ବା ସରକାରୀ ଡାକ୍ତରଖାନାକୁ ନିଆଯାଉଛି । ଜେଲ୍ ବିଭାଗ କଏଦୀଙ୍କୁ ସ୍ଥାନାନ୍ତର କରିବାରେ ଅଯଥା ପରିବହନ ବାବଦରେ ଖର୍ଚ୍ଚାନ୍ତ ହେଉଥିବା ବେଳେ ପୁଲିସ ବଳ ଅଯଥାରେ ଅପଚୟ ହେଉଛି ।
ରାଜ୍ୟରେ ଜଣେ ମାତ୍ର ମାନସିକ ରୋଗ ବିଭାଗ ଡାକ୍ତର ଚୌଦ୍ବାର ସର୍କଲ ଜେଲରେ ଅଛନ୍ତି । ଅନ୍ୟ କୌଣସି ଜେଲ୍ରେ ନାହାନ୍ତି । ଏହି ଡାକ୍ତର ଏବେ ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ପାଇଲେଣି । ଏକୁଟିଆ ଦୀର୍ଘବର୍ଷ ହେବ ରାଜ୍ୟର ସମସ୍ତ ଜେଲ୍ର ମାନସିକ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝୁଛନ୍ତି । ଚୌଦ୍ବାରର ଚଳିତ ସପ୍ତାହର ତଥ୍ୟ ଅନୁଯାୟୀ, ଏହି ଡାକ୍ତରଙ୍କ ପାଖରେ ୭୭ ଜଣ ମାନସିକ ରୋଗୀ ଚିକିତ୍ସିତ ହେଉଛନ୍ତି ।
