ବରଗଡ଼ : ଚାଷୀଙ୍କୁ ବର୍ବାଦ କଲାଣି ମଣ୍ଡି ଯନ୍ତ୍ରଣା । ବରଗଡ଼ ଜିଲ୍ଲାର ବିଭିନ୍ନ ମୁକ୍ତାକାଶ ମଣ୍ଡିରେ ଲକ୍ଷ ଲକ୍ଷ ବସ୍ତା ଡାଳୁଅ ଧାନ ମୌସୁମୀ ବର୍ଷାରେ ଭିଜି ନଷ୍ଟ ହେଉଛି । ନିଜର କଷ୍ଟ ଉପାର୍ଜିତ ସୁନାର ଫସଲ ଆଖି ଆଗରେ ଭିଜି ନଷ୍ଟ ହୋଇ ଯାଉଥିବା ଦେଖି ଚାଷୀ କାନ୍ଦୁଥିବା ବେଳେ ବରଗଡ଼ ଜିଲା ପ୍ରଶାସନ, ଜିଲ୍ଲା ଯୋଗାଣ ବିଭାଗ ଓ ସମବାୟ ସଂସ୍ଥା ନିର୍ବିକାର ଅଛନ୍ତି । ଭେଡ଼େନ ବ୍ଲକର ୯ଟି ମଣ୍ତିରେ ମୋଟ ୩ ଲକ୍ଷ ୨୯ ହଜାର ୪୬୫ ପ୍ୟାକେଟ ଧାନ ବର୍ଷାରେ ଭିଜି ନଷ୍ଟ ହେଉଛି ।
ପ୍ରଶାସନିକ ଅବ୍ୟବସ୍ଥାର ସଦ୍ୟତମ ନମୁନା ପାଲଟିଛି ଭେଡ଼େନ ବ୍ଲକ । ସରକାରୀ କାଗଜପତ୍ରରେ ମଣ୍ଡି ବୋଲି କୁହାଯାଉଥିବା ଏହି ଖୋଲା ପଡ଼ିଆଗୁଡ଼ିକରେ ହଜାର ହଜାର ବସ୍ତା ଧାନ ବର୍ଷା ପାଣିରେ ଭିଜି ନଷ୍ଟ ହେଉଛି । ବିଶେଷ କରି ଗତ ୧୫ ରୁ ୨୦ ଦିନ ହେଲା ସହରାଟିକ୍ରା ମାର୍କେଟ ୟାର୍ଡରେ ଖୋଲା ଆକାଶରେ ମାଟି ଉପରେ ପଡ଼ିଥିବା ୨୦ ହଜାର ୩୭୩ ବସ୍ତା ଧାନ ୩ ଦିନ ହେଲା ଭିଜୁଛି । ଜୁନ ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ମଣ୍ଡିକୁ ଆସିଥିବା ଧାନ ପଡ଼ିଛି ।
