କାମରେ ଲାଗୁନି ବିଧାନସଭା ଅତିଥି ଭବନ ; ମାଡ଼ି ବସିଛନ୍ତି ଠିକାଦାର, ରାତି ଗଡ଼ିଲେ ଜମୁଛି ନିଶାଡ଼ିଙ୍କ ଆଡ଼ା

ପୁରୀ : ଜବରଦଖଲରେ ପୁରୀର ବିଧାନସଭା ଅତିଥି ଭବନ । ଜୋର ଜବରଦସ୍ତ ଏହି ଭବନକୁ ମାଡ଼ି ବସିଛନ୍ତି ଠିକାଦାର । ଚାବି ବି ଠିକାଦାର ହାତରେ । ପରିସ୍ଥିତି ଏପରି ହୋଇଛି ଯେ ଠିକାଦାରଙ୍କ ଇଛା ହେଲେ ବିଧାନସଭା ଅତିଥି ଭବନ ଖୋଲୁଛି । ନ‌ଚେତ୍‌ ୨୪ ଘଣ୍ଟା ତାଲା ଝୁଲୁଛି । ପୁରୀ ଛାତି ଉପରେ ଥିବା ଏହି ବିଧାନସଭା ଅତିଥି ଭବନର ଏଭଳି ସ୍ଥିତି ଏବେ ସ୍ଥାନୀୟ ଜନସାଧାରଣଙ୍କୁ ବି ଆନ୍ଦୋଳିତ କରିଛି ।

ଅନ୍ୟପଟେ ଠିକାଦାର ବର୍ଷ ବର୍ଷ ଧରି ନିଜ ଦଖଲରେ ଏହି ଅତିଥି ଭବନକୁ ରଖିଥିବା ବେଳେ ପ୍ରଶାସନ ବି ଏ ଦିଗରେ ନିରବ ରହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ସେପଟେ ରାତି ଗଡ଼ିଲେ, ଏଠାରେ ନିଶାଡ଼ିଙ୍କ ଭିଡ଼ ଜମୁଛି । ମଦର ଆସର ଜମୁଥିବା ଅଭିଯୋଗ ହୋଇଛି । ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଥିବାରୁ ପୁରୀ ବୁଲି ଆସୁଥିବା ଅବା କୌଣସି ସଭାସମିତିରେ ଯୋଗଦେବାକୁ ଆସିବାବେଳେ ରାଜ୍ୟର ବିଧାୟକ, ମନ୍ତ୍ରୀମାନଙ୍କ ରହଣୀ ପାଇଁ ବିଧାନସଭା ଅତିଥି ଭବନର ପରିକଳ୍ପନା କରାଯାଇଥିଲା । ପେଣ୍ଠକଟା ଠାରେ ଜାଗା ଚିହ୍ନଟ ପରେ ବିସ୍ତୃତ ଜାଗାରେ ବିଧାନସଭା ଅତିଥି ଭବନ ନିର୍ମାଣ ହେଲା ପରେ ରକ୍ଷଣାବେକ୍ଷଣ ଅଭାବରୁ ଚୋରମାନେ ପଶି ଏଠାରୁ ଦାମୀ ଏସି, ଫ୍ୟାନ୍‌ ଆଦି ଚୋରି କରିନେଲେ । କେହି କେହି ଅଭିଯୋଗ କଲେ ଠିକାଦାର ଟଙ୍କା ନ ପାଇବାରୁ ଏଭଳି ନାଟକ ରଚିଲେ ।

ସେ ଯାହା ବି ହେଉନା କାହିଁକି ୨୦୧୮ ମସିହାରେ ଏହି ଖବର ପ୍ରକାଶ ପାଇବା ପରେ ବିଧାନସଭାରେ ତମ୍ବିତୋଫାନ ହେଲା । ବିରୋଧୀ ଦଳ ନେତା ତଥା ବିଧାୟକ ନରସିଂହ ମିଶ୍ର ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇ ରକ୍ଷଣାବେକ୍ଷଣ ଦାବି କଲେ । ପରେ ତିନିଟି ପର୍ଯ୍ୟାୟରେ ଏହି ଅତିଥି ଭବନ ପିଛା ପ୍ରାୟ ଅଧ କୋଟି ଟଙ୍କା ଖର୍ଚ୍ଚ କରାଗଲା । ଭଙ୍ଗା କୋଠାକୁ ନୂଆ ରୂପ ଦିଆଗଲା । ଅତିଥି ଭବନ ଭିତରେ ୪ଟି ରହଣୀ କକ୍ଷ ସହ ଖୋଲା ପଡ଼ିଆ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଗଲା । ପୁଣିଥରେ ଦାମୀ ଏସି, ଫ୍ୟାନ୍‌ ଆଦି ଲାଗିଲା ।

ଏ ଭିତରେ କୋଠା ନୂଆ ରୂପ ପାଇବା ବର୍ଷେ ବିତିଲାଣି । କିନ୍ତୁ ଏବେ ବି କୋଠାର ପୁନରୁଦ୍ଧାର ଟେଣ୍ଡର କାମ ନେଇଥିବା ଠିକାଦାର ଏହାକୁ ନିଜ ଦଖଲରେ ରଖିଛନ୍ତି । ଠିକାଦାର ବି ଠିକା କାର୍ଯ୍ୟ ଓ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଗାଡ଼ି, ଯନ୍ତ୍ରାଂଶ ଏହା ଭିତରେ ରଖିଛନ୍ତି । ଏ ସଂପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଅଜିତ କୁମାର ମହାପାତ୍ର କହିଛନ୍ତି, ମୋ ପୂର୍ବରୁ ଥିବା ନିର୍ବାହୀ ଯନ୍ତ୍ରୀ ଦୁଇଥର ଏହି କୋଠା ହସ୍ତାନ୍ତର ଉପରେ ବିଧାନସଭା କର୍ତ୍ତୃପକ୍ଷଙ୍କୁ ଚିଠି କରିଥିଲେ । କିନ୍ତୁ କୌଣସି ଫଳ ମିଳିନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *