ପାଣି ପାଇଁ ଚାହିଁ ରହିଛନ୍ତି ୪୭୫ ଗାଁର ୯୧ ହଜାର ଲୋକ

ଫୁଲବାଣୀ : ମରୁଡ଼ିପ୍ରବଣ କନ୍ଧମାଳ ଭଳି ଉଚ୍ଚ ପାର୍ବତ୍ୟାଞ୍ଚଳରେ ଜଳ ସଂକଟ ଏକ ପ୍ରମୁଖ ସମସ୍ୟା । ବି‌ଶେଷ କରି ଗ୍ରୀଷ୍ମ ଋତୁରେ ଜିଲ୍ଲାର ବିଭିନ୍ନ ସହରାଞ୍ଚଳରେ ପାନୀୟ ଜଳ ସଂକଟ ଉତ୍କଟ ହୋଇଥାଏ । ପାଣି ଟୋପାଏ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ । ମହିଳାମାନଙ୍କୁ ପାଣି ଗରାଏ ପାଇଁ ଟେପ୍ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଧାଡ଼ି ଲଗାଇବାକୁ ପଡ଼େ । ସେହିପରି କିଛି ମହିଳା ପାଣି ଆଣିବା ପାଇଁ କିଲୋମିଟର ‌ବ୍ୟାପୀ ଚାଲିଥାନ୍ତି । ଏହି ସମସ୍ୟା ବର୍ଷ କିମ୍ବା ଦୁଇ ବର୍ଷର ନୁହେଁ । ଦୀର୍ଘ ଦଶନ୍ଧି ହେଲା ଜିଲ୍ଲାରେ ଏହି ସମସ୍ୟା ଲାଗି ରହିଛି ।

ଏ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ଓ ଅନେକ ଦାବି ପରେ ଜିଲ୍ଲାର ଜଳକଷ୍ଟ ଦୂର ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଥିଲେ । ‘ଜଳ ଜୀବନ ମିସନ’ ପ୍ରକଳ୍ପରେ ୪୦୦ କୋଟି ଟଙ୍କା ବ୍ୟୟ ଅଟକ‌ଳରେ ‘ବୃହତ୍‌ କନ୍ଧମାଳ ଜଳ ଯୋଗାଣ ପ୍ରକଳ୍ପ’ର ପରିକଳ୍ପନା କରାଯାଇଥିଲା । ଏହି ପ୍ରକଳ୍ପ ମାଧ୍ୟମରେ ବୌଦ୍ଧ ଜିଲ୍ଲାର ମହାନଦୀର ଜଳକୁ କନ୍ଧମାଳ ଜିଲ୍ଲାବାସୀଙ୍କ ନିକଟରେ ସୁବିଧାରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ୨୦୨୧ ନଭେମ୍ବର ୨ ତାରିଖରେ ଉକ୍ତ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ଏହାକୁ ୨୦୨୩ ନଭେମ୍ବର ସୁଦ୍ଧା ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା ।

ଚିର କାଳ ଧରି ଜଳକଷ୍ଟ ଭୋଗି ଆସୁଥିବା କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଏହି ପ୍ରକଳ୍ପର ପରିକଳ୍ପନା ଖୁସି ଖବର ଆଣିଥିଲା । ଲୋକେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ । ତେବେ ବର୍ତ୍ତମାନ ସ୍ଥିତିରେ ଯେଉଁ ମନ୍ଥର ଗତିରେ କାମ ଚାଲିଛି ତାହା ଲୋକଙ୍କ ଖୁସିରେ ଭଟ୍ଟା ଆଣିଛି । କାମ ଶେଷ ହେବା ପାଇଁ ୨୦୨୫ ଲାଗିଯିବ ବୋଲି ବୁଦ୍ଧିଜୀବୀ ତଥା ସମୀକ୍ଷକମାନେ କହିଛନ୍ତି ।

୪୦୦ କୋଟି ଟଙ୍କାର ଏହି ମେଗା ପ୍ରକଳ୍ପର କାର୍ଯ୍ୟ ଏଲ୍‌ଆଣ୍ଡ୍‌ଟି ଠିକା ସଂସ୍ଥା ନେଇଛି । କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଏହାର ତଦାରଖ କରୁଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ଫୁଲବାଣୀ ଉପଖଣ୍ଡ ଅଧୀନ ଫୁଲବାଣୀ, ଖଜୁରୀପଡ଼ା, ଫିରିଙ୍ଗିଆ ଏବଂ ଚକାପାଦ ବ୍ଲକର ଜନସାଧାରଣଙ୍କୁ ପାନୀୟ ଜଳ ମିଳିପାରିବ । ଖଜୁରୀପଡ଼ା ବ୍ଲକର ୧୩ ଟି ପଞ୍ଚାୟତ, ଫୁଲବାଣୀ ବ୍ଲକର ୧୧, ଫିରିଙ୍ଗିଆ ବ୍ଲକର ୧୨ ଏବଂ ଚକାପାଦ ବ୍ଲକର ୫ଟି ପଞ୍ଚାୟତର ମୋଟ ୪୭୫ ଗାଁର ୯୧ ହଜାର ଲୋକେ ଲାଭବାନ ହୋଇପାରିବେ ।

ଏହି ପ୍ରକଳ୍ପ ଜରିଆରେ ବୌଦ୍ଧ ଜିଲ୍ଲାର ମହାନଦୀରୁ ପାଣି କନ୍ଧମାଳ ଜିଲ୍ଲାକୁ ଅଣାଯିବ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ଠାରେ ମହାନଦୀ କୂଳରେ ଏକ ବୃହତ୍‌ ଇନ୍‌ଟେକ୍‌ ୱେଲ୍ ଏବଂ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇ ଏଠାରୁ ଶକ୍ତିଶାଳୀ ପାଇପ ଯୋଗେ ହରଭଙ୍ଗାରୁ ରାଣୀପଥର ଓ ଭେଟଖୋଲ ଘାଟି ରାସ୍ତା ଦେଇ କନ୍ଧମାଳ ଜିଲ୍ଲାକୁ ପାଣି ଅଣାଯିବ । ହରଭଙ୍ଗା ଠାରେ ଯେଉଁ ବିଶାଳ ଇନ୍‌ଟେକ୍‌ ୱେଲ ନିର୍ମାଣ କରାଯାଇଛି ତାହାର ଦୈନିକ ଜଳଧାରଣ କ୍ଷମତା ୯ ନିୟୁତ ଲିଟର ରହିଛି । ସେହିଭଳି କନ୍ଧମାଳ ଜିଲ୍ଲାର ୪୧ଟି ପଞ୍ଚାୟତ ମୁଖ୍ୟାଳୟରେ ୪୧ଟି ଓଭରହେଡ୍‌ ଟାଙ୍କି ନିର୍ମାଣ କରାଯାଇ ପ୍ରତି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରହିଛି । ତେବେ କାମ ବହୁତ ପଛେଇ ଥିବାରୁ ଏହି ଲକ୍ଷ୍ୟ କେବେ ପୂରଣ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏ ନେଇ କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଜଳ ‌ଯୋଗାଣ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିକାଶ ଚନ୍ଦ୍ର ଦାଶ କହିଥିଲେ, ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ହରଭଙ୍ଗା ଠାରେ ଇନ୍‌ଟେକ୍‌ ୱେଲ୍‌ ଏବଂ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ କାମ ଆରମ୍ଭ ହୋଇଗଲାଣି । ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଉଦ୍ୟମ କରାଯାଉଛି । ଅନ୍ୟ ପକ୍ଷରେ ପ୍ରକଳ୍ପଟି ଜଙ୍ଗଲ ବିଭାଗର ମଞ୍ଜୁରୀ ଅପେକ୍ଷାରେ ରହିଥିବା ଜଣାପଡ଼ିଛି । ମଞ୍ଜୁରୀ ମିଳିଲା ପରେ କାମ ଦ୍ରୁତ ଗତିରେ ଆଗେଇ ପାରିବ ବୋଲି ଠିକା ସଂସ୍ଥା ପକ୍ଷରୁ କହାଯାଇଛି । ଏହା ମଧ୍ୟରେ ପାଇପ୍‌ ବିଚ୍ଛା କାମ ଆରମ୍ଭ ହୋଇଛି । ଏସବୁ ସତ୍ତ୍ବେ ପ୍ରକଳ୍ପ କାର୍ଯ୍ୟ ଯେଉଁଭଳି ମନ୍ଥର ଗତିରେ ଚାଲିଛି ତାହା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ ହେଲା ଭଳି ଦିଶୁନାହିଁ ।

Leave a Reply

Your email address will not be published. Required fields are marked *