୧୯.୮୩ କୋଟିର ଋଷିକୁଲ୍ୟା ହାଇଲେବଲ୍ ସେତୁ ୫ ବର୍ଷ ‌ହେଲା ସରୁନି, ଜମି ଅଧିଗ୍ରହଣ ବାଧକ

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଅଧୀନ ଚେରମାରିଆ-କେନ୍ଦୁପଦର ଗ୍ରାମକୁ ଋଷିକୁଲ୍ୟା ନଦୀ ଉପରେ ସଂଯୋଗ କରିବା ଓ ଯାତାୟାତ ସୁଗମ ପାଇଁ ‌ହାଇଲେବଲ୍ ସେତୁର କାମ ୫ ବର୍ଷ ହେଲା ଶେଷ ହୋଇପାରୁନି । ଫଳରେ ଆଜି ବି ଦୁଇ ଗାଁର ଲୋକେ ବର୍ଷା ଦିନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଋଷିକୁଲ୍ୟା ଉପରେ ଏହି ବ୍ରିଜ୍ ନିର୍ମାଣ ପାଇଁ ୨୦୧୭ ମସିହା ମେ’ ମାସ ୭ ତାରିଖରେ ତତ୍କାଳୀନ ସାଂସଦ ସ୍ବର୍ଗତ ଲଡ଼ୁକିଶୋର ସ୍ଵାଇଁଙ୍କ ପୌରୋହିତ୍ୟରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ୧୯ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ସହ ୩୨୧ ମିଟର ଲମ୍ବ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା । ପରେ ଅଧିକ ୫ କୋଟି ଟଙ୍କା ବ୍ୟୟ ଅଟକଳ ସରକାରଙ୍କ ମଞ୍ଜୁର ପାଇଁ ପଠାଯାଇଛି ।

କିନ୍ତୁ ଇତିମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ସେତୁ ନିର୍ମାଣ କାମ ଶେଷ ହେବାର ନାଁ ନେଉନି । କେବଳ ଦିନ ପରେ ଦିନ ଗଡ଼ି ଚାଲିଛି । ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଥିବା ବେ‌ଳେ, କେବେ ଏହି ସେତୁ ପୂର୍ଣ୍ଣାଙ୍ଗ ରୂପ ନେଇ କାର୍ଯ୍ୟକ୍ଷମ ହେବ ଏହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆସିକା ବ୍ଲକ୍‌ର ବରଗାଁ, ଜୟପୁର, ହରିଡ଼ାପଦର ଓ ଶେରଗଡ଼ ବ୍ଲକର ବ୍ରାହ୍ମଣଛାଇ ପଞ୍ଚାୟତବାସୀ ଏହି ନଦୀ ଦେଇ ଯାତାୟାତ କରନ୍ତି । ଚାଷୀମାନେ ଉତ୍ପାଦିତ ପନିପରିବା ଓ ଖାଦ୍ୟଶସ୍ୟ ବଜାରରେ ବିକ୍ରି କରିବାକୁ ଓ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନ ଯିବା ପାଇଁ ଏହି ନଦୀ ଉପର ବାଉଁଶ ପୋଲ ଉପରେ ଯାତାୟାତ କରୁଥିଲେ । ଏହା ସହ ରୋଗୀଙ୍କୁ ଡଙ୍ଗାରେ ନିଆଯାଉଥିଲା । କିନ୍ତୁ ବର୍ତ୍ତମାନ ସେତୁ କାମ ସରୁ ନଥିବାରୁ ସେମାନଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଛି ।

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ହରିହର ଦାଶଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ସେତୁ ନିର୍ମାଣ କାମ ଶେଷ ହୋଇଛି । କିନ୍ତୁ ଆପ୍ରୋଚ ରୋଡ଼୍ ନିର୍ମାଣ ପାଇଁ କେନ୍ଦୁପଦର ପଟେ ଜମି ଅଧିଗ୍ରହଣର ସମସ୍ୟା ସେତୁ କାର୍ଯ୍ୟକ୍ଷମରେ ବାଧକ ସାଜିଛି । ବେସରକାରୀ ବ୍ୟକ୍ତିଙ୍କଠୁ ଜମି ଆପ୍ରୋଚ୍ ରୋଡ଼୍ ନିର୍ମାଣ କାମ ଶୀଘ୍ର ଶେଷ କରାଯିବ । ତିତ୍‌ଲି ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତି ଦେଖିବା ପରେ ଜଳସ୍ତରକୁ ଦୃଷ୍ଟିରେ ରଖି ସେତୁର ଡିଜାଇନ୍‌ରେ ପରିବର୍ତ୍ତନ କରାଯାଇ ଏହାର ଉଚ୍ଚତାକୁ ଏକମିଟର ବଢ଼ା ଯାଇଥିଲା । ସେତୁର ଉଚ୍ଚତା ବୃଦ୍ଧି ପରେ ଆପ୍ରୋଚ୍ ରୋଡ଼ ନିର୍ମାଣରେ ସମସ୍ୟା ଦେଖାଦେଇଛି ।

ଚେରମାରିଆ ପାର୍ଶ୍ବରେ ଆପ୍ରୋଚ୍ ରୋଡ଼ ପାଇଁ ଆବଶ୍ୟକ ସରକାରୀ ଜମି ସମସ୍ୟା ନାହିଁ । କିନ୍ତୁ କେନ୍ଦୁପଦର ପାର୍ଶ୍ବରେ ସରକାରୀ ଜାଗା ନଥିବାରୁ ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି । ମୋଟ ୨୧ ଜଣ ଲୋକଙ୍କ ଠାରୁ ଜମି ଅଧିଗ୍ରହଣ ହେବ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଠାରୁ ଜମି କିଣା ପ୍ରକ୍ରିୟା ଶେଷ ହୋଇଛି । ଅନ୍ୟ କିଛି ଲୋକଙ୍କ ଜମି କିଣିବାରେ ଆଇନଗତ ସମସ୍ୟା ଥିବାରୁ ଜମି କିଣା ଅଟକିଛି । ଅନ୍ୟପକ୍ଷରେ ଯେଉଁମାନଙ୍କ ଜମି ଅଧିଗ୍ରହଣ କରାଯାଉଛି ସେମାନଙ୍କୁ ସରକାରୀ ନିୟମ ପ୍ରକାରେ କ୍ଷତିପୂରଣ ଦିଆଯିବ । ତେଣୁ ଗ୍ରାମବାସୀ ନିଜ ମଧ୍ୟରେ ବୈଠକ କରି ଜମି ଅଧିଗ୍ରହଣ ଦିଗରେ ସହଯୋଗ କଲେ କାମ ଶୀଘ୍ର ଶେଷ ହୋଇପାରିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ଅସଂପୂର୍ଣ୍ଣ ସେତୁ ଦେଇ ସାଇକେଲ୍ ଓ ବାଇକ୍ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛି । ଜମି ଅଧିଗ୍ରହଣ ପ୍ରକ୍ରିୟା ଶୀଘ୍ର‌ ଶେଷ କରି ଏହାକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *