ହଜି ଯାଇଛି ଜୟବିଜୟ ଦ୍ବାର ଚାବି ; କଟାଗଲା ଶ୍ରୀମନ୍ଦିର ତାଲା

ପୁରୀ : ହଜି ଯାଇଛି ଜୟବିଜୟ ଦ୍ବାର ଚାବି । ଏଥିଯୋଗୁଁ ମଙ୍ଗଳବାର କଟାଯାଇଛି ଶ୍ରୀମନ୍ଦିର ଜୟବିଜୟ ଦ୍ବାର ତାଲା । ପ୍ରାୟ ୫ ଘଣ୍ଟା ବିଳମ୍ବରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ମଙ୍ଗଳ ଆଳତି । ଶ୍ରୀମନ୍ଦିର ଜୟବିଜୟ ଦ୍ବାର ଚାବି ହଠାତ ହଜିଯିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଦଇତାପତିମାନେ ଅଣସର ଘରେ ଦାରୁବ୍ରହ୍ମଙ୍କ ଗୁପ୍ତନୀତି ଶେଷକରି ସୋମବାର ରାତିରେ ବାହାରିଥିଲେ । ଦାୟିତ୍ବରେ ଥିବା ଜଣେ ସେବାୟତ ଜୟବିଜୟ ଦ୍ବାର ଚାବି ପକାଇଥିଲେ । ତେବେ ସକାଳୁ ଦୁଆର ଖୋଲିବା ପାଇଁ ଚାବି ଖୋଜିବା ବେଳେ ମିଳିନଥିଲା । ପ୍ରାୟ ୫ ଘଣ୍ଟା ଧରି ଖୋଜାଖୋଜି ପରେ ଚାବିର ଖୋଜ ଖବର ମିଳିନଥିଲା । ଜୟବିଜୟ ଦ୍ବାର ଚାବି କେଉଁଠି ରଖିଛନ୍ତି ସେଥିନେଇ ସମ୍ପୃକ୍ତ ସେବକ ନିର୍ଦିଷ୍ଟ ଉତ୍ତର ଦେଇପାରି ନଥିଲେ । ତେଣୁ ଦିନ ୯ଟା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ବାଧ୍ୟହୋଇ ଜୟବିଜୟ ଦ୍ବାର ତାଲା କାଟିବାକୁ ପଡ଼ିଥିଲା । ଏହାପରେ ଦିନ ୯ଟା ୨୫ ରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା । ଚାବି ହଜିବା ସମ୍ପର୍କରେ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ରାତି ୧୦ଟା ସୁଦ୍ଧା ଲିଖିତ ଅଭିଯୋଗ କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *