ବିଶ୍ୱସ୍ତରୀୟ ରୂପନେବ ପୁରୀ ରେଳ ଷ୍ଟେସନ, ଖର୍ଚ୍ଚ ହେବ ୧୬୧.୫୧ କୋଟି

ପୁରୀ : ବିଶ୍ବସ୍ତରୀୟ ରୂପନେବ ପୁରୀ ରେଳ ଷ୍ଟେସନ୍‌ । ରେଳସେବା କ୍ଷେତ୍ରରେ ପୁରୀ ଅନ୍ତର୍ଜାତୀୟ ଗମନାଗମନର ହେବ ପ୍ରାଣକେନ୍ଦ୍ର । ଦୈନିକ ପ୍ରାୟ ୨୦ ହଜାର ରେଳ ଯାତ୍ରୀଙ୍କ ଗମନାଗମନର ମାର୍ଗ ପ୍ରଶସ୍ତ ହେବ । ଏହା ଦ୍ବାରା ପର୍ଯ୍ୟଟକଙ୍କ ଗମନାଗମନା ସୁବିଧାର ମାର୍ଗ ପ୍ରଶସ୍ତ ହେବନି, ବାଣିଜ୍ୟିକ ଦୃଷ୍ଟିକୋଣରୁ ବି ରେଳ ବିଭାଗ ଲାଭବାନ ହୋଇପାରିବ । କର୍ମନିଯୁକ୍ତିର ବି ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ । ବଡ଼କଥା ହେଉଛି, ରେଳ ଷ୍ଟେସନ୍‌ର ନବନିର୍ମିତ କୋଠା ଘଣ୍ଟା ପ୍ରତି ୨୫୦ କିମି ବେଗର ପବନକୁ ପ୍ରତିହତ କରିବାର ସାମର୍ଥ୍ୟ ରଖିବ । ପିପିପି(ପବ୍ଲିକ୍‌-ପ୍ରାଇଭେଟ୍‌) ମୋଡ୍‌ରେ ଏହି କାର୍ଯ୍ୟ କରାଯିବ । ପୁରୀ ରେଳ ଷ୍ଟେସନ୍‌କୁ ନେଇ ଏଭଳି ନୀଳ ନକ୍ସା ଆଙ୍କିଛି ରେଳ ମନ୍ତ୍ରାଳୟ । ପିପିପି ମୋଡ୍‌ରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୬୧.୫୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଇତି ମଧ୍ୟରେ ଟେଣ୍ଡର(ଇପିସି) ଆହ୍ବାନ ସରିଥିବା ବେଳେ ଆସନ୍ତା ୨୩ ତାରିଖରେ ଟେଣ୍ଡର ପେପର ଖୋଲିବ ବୋଲି ରେଳ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ରେଳ ବିଭାଗ ସୂଚନା ମୁତାବକ, ପୂର୍ବତନ ରେଳ ବିଭାଗର ଖୋର୍ଦ୍ଧା ରେଳ ଡିଭିଜନ୍‌ ଅଧୀନରେ ଥିବା ପୁରୀ ରେଳ ଷ୍ଟେସନ୍‌ ଏନ୍‌ଏସ୍‌ଜି-୨ ପର୍ଯ୍ୟାୟ ଷ୍ଟେସନ୍‌ ଅନ୍ତର୍ଭୁକ୍ତ । ପୁରୀ ରେଳ ଷ୍ଟେସନ୍‌ର ୮ଟି ପ୍ଲାଟଫର୍ମରେ ମେଲ୍‌, ଏକ୍ସପ୍ରେସ୍‌ ଓ ପାସେଞ୍ଜରକୁ ମିଶାଇ ଦୈନିକ ୫୨ଟି ଟ୍ରେନ୍‌ ଚଳାଚଳ କରୁଛି । ଐତିହାସିକ ଦୃଷ୍ଟିକୋଣରୁ ପୁରୀ ରେଳଷ୍ଟେସନ୍‌ ଏକ ବିଶ୍ବପରିଚିତ ସ୍ଥାନ ହୋଇଥିବାରୁ ଏଭଳି ବିକାଶର ପରିକଳ୍ପନା କରାଯାଇଛି । ରେଳ ଭୂମି ବିକାଶ ପ୍ରାଧିକରଣ(ଆର୍‌ଏଲ୍‌ଡିଏ) ଏହି ବିକାଶ କାର୍ଯ୍ୟ ହାତକୁ ନେଇଛି ।

ପ୍ରସ୍ତାବିତ ପ୍ରକଳ୍ପ ଅନୁଯାୟୀ, ଡିଜାଇନ୍‌, ବିଲ୍‌ଡ, ଫାଇନାନ୍ସ, ଅପରେଟ୍‌ ଓ ଟ୍ରାନ୍ସଫର(ଡିବିଏଫ୍‌ଓଟି) ମଡେଲ୍‌ରେ ପୁରୀ ରେଳ ଷ୍ଟେସନ୍‌ର ବିକାଶ କରାଯିବ । ୨୮ ହଜାର ୫୭୪ ବର୍ଗ ମିଟର ଜାଗାରେ ଏହି ଉନ୍ନୟନ କାର୍ଯ୍ୟ କରାଯିବ । ରେଳ ଷ୍ଟେସନ୍‌କୁ ତିନି ମହଲା ବିଶିଷ୍ଟ କରାଯିବ । ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ, ବ୍ୟାଗେଜ୍ ସୁରକ୍ଷା, ଚେକ୍ ଇନ୍ କ୍ଷେତ୍ରର ଆଧୁନିକୀକରଣ ସାଙ୍ଗକୁ ଏକ ସୂଚନା କେନ୍ଦ୍ର ଓ କଳା ଗ୍ୟାଲେରିର ବ୍ୟବସ୍ଥା କରାଯିବ । ରାମ୍ପ, ଲିଫ୍ଟ ସହ ଭିନ୍ନକ୍ଷମ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିବ । ସର୍ବନିମ୍ନ ତିନି ତାରକା ମୂଲ୍ୟାୟନ ବିଶିଷ୍ଟ କୋଠା ସହ ସୂର୍ଯ୍ୟାଲୋକରୁ ବିଜୁଳି ଉତ୍ପାଦନ ତଥା ସୋଲାର ସିଷ୍ଟମ ବ୍ୟବସ୍ଥା କରାଯିବ । ବର୍ଷା ଜଳ ଅମଳ ଓ ବିନିଯୋଗ ବ୍ୟବସ୍ଥା ରହିବ । ସବୁଜ ନିର୍ମାଣକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ।

ସୂଚନାଯୋଗ୍ୟ, ରେଳ ଭୂମି ବିକାଶ ପ୍ରାଧିକରଣ(ଆର୍‌ଏଲ୍‌ଡିଏ) ଦେଶର ୬୦ଟି ରେଳ ଷ୍ଟେସନ୍‌ର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଥିବାବେଳେ ଏହାର ସହଭାଗୀ ସଂସ୍ଥା ଭାରତୀୟ ରେଳ ଷ୍ଟେସନ୍‌ ଉନ୍ନୟନ ନିଗମ(ଆଇଆର୍‌ଏସ୍‌ଡିସିସି) ଦେଶର ଅନ୍ୟ ୬୨ଟି ଷ୍ଟେସନ୍‌ର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଛି ।

Leave a Reply

Your email address will not be published. Required fields are marked *