ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଉଚ୍ଚ ବିଦ୍ୟାଳୟକୁ ୫-ଟି ଯୋଜନାରେ ରୁପାନ୍ତରିତ କରାଯାଇଥିବା ବେଳେ ଏହି ବିଦ୍ୟାଳୟରେ ମାତ୍ର ଘଣ୍ଟାକର ବର୍ଷାରେ ଶ୍ରେଣୀ ଗୃହରେ ପାଣି ପଶି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଗତକାଲି ରାତିରେ ବର୍ଷା ହେବା ଫଳରେ ଏହି ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହରେ ପ୍ରବଳ ବର୍ଷା ପାଣି ପଶି ଯାଇଥିଲା । ଜଳ ନିଷ୍କାସନର ସୁବିଧା ନଥିବାରୁ ଏଠାରେ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବା ପରେ ବିଦ୍ୟାଳୟର ଏପରି ଅବସ୍ଥା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ବାଧ୍ୟହୋଇ ଶିକ୍ଷକମାନେ ଶ୍ରେଣୀ ଗୃହରୁ ଟେବୁଲ୍ ଚେୟାର ଛାତ୍ରମାନଙ୍କ ଦ୍ଵାରା ବାହାରକୁ ଆଣିବା ସହ ବାଲଟି, ତାଟିଆ ଧରି ଶ୍ରେଣୀ ଗୃହରୁ ପାଣି ବାହାର କରିଥିଲେ । ପାଠ ପଢ଼ିବାକୁ ଆସି ଛାତ୍ରମାନେ ଟେବୁଲ ଚେୟାର ବୋହୁଥିବାରୁ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିବା ସହ ବର୍ଷା ଋତୁରେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ବିଦ୍ୟାଳୟରେ ମାଛ ଛାଡିବୁ ବୋଲି କଟାକ୍ଷ କରିଛନ୍ତି । କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାରୁ ଅଭିଭାବକମାନେ ଦାବି କରିଛନ୍ତି ।
