ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ, ଅନ୍ୟ ଜଣେ ଆହତ

ଵଣାଇ : ଵଣାଇ ବନଖଣ୍ଡ କୋଇଡା ରେଞ୍ଜ ରାଣୀଶାଳ ସେକ୍ସନ ଅନ୍ତର୍ଗତ ସାନପାଟୁଳି ଗ୍ରାମରେ ଗତକାଲି ରାତିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୃ ବରଣ କରିଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।


ଘଟଣାରୁ ପ୍ରକାଶ ଗତକାଲି ରାତ୍ରିରେ ପାଟୁଳି ଗ୍ରାମର ବାସ ନାଏକ ଘରେ ଖାଇପିଇ ସମସ୍ତେ ଶୋଇବାକୁ ଯିବା ସମୟରେ ରାତ୍ରି ପ୍ରାୟ ୯ଟା ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତାହାତୀ ଘର ନିକଟକୁ ଆସି ଘର ଭାଙ୍ଗିବା ସହ ଘରେ ଥିବା ଧାନ, ଚାଉଳ ଖାଇବା ସହିତ ସମସ୍ତ ଆସବାବପତ୍ରକୁ ଭାଙ୍ଗିବା ସମୟରେ ଘରର ସମସ୍ତେ ଉଠି ଦୈାଡି ପଳାଇବାକୁ ଚେଷ୍ଟା କରିଥିଲେ । ହାତୀକୁ ଦେଖି ଭୟରେ ମହିଳା ଜଣକ ଚିତ୍କାର କରିବା ସମୟରେ ତାଙ୍କୁ ଘର ଭିତରୁ ଶୁଣ୍ଢରେ ଟେକି ନେଇ ପାଦରେ ଦଳି ଦେଇଥିଲା, ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘର ନିକଟକୁ ଆସି ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ପରେ ଗ୍ରାମବାସୀଙ୍କ ଠାରୁ ଖବରପାଇ ବନ ବିଭାଗ କର୍ମଚାରୀଙ୍କ ସହିତ କୋଇଡା ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କୋଇଡା ଡାକ୍ତରଖାନାକୁ ନେଇଥିଲେ । ପରବର୍ତ୍ତୀ ସମୟରେ ଡ଼ାକ୍ତରଖାନାରେ ବାସ ନାଏକକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପ୍ରକାଶ କରିଛି । ସେହିପରି ଭାବେ ମୃତ ମହିଳାଙ୍କ ପରିବାରକୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ରେଞ୍ଜ ଅଧିକାରୀ କାଜଲ କୁମାରୀ ନାୟକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *