ତେଲକୋଇ : କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ୍ ଦାମୋଦରଗୌଣି ଗ୍ରାମବାସୀଙ୍କ କାର୍ଯ୍ୟକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା । ହନୁମନ୍ତିଆ ନାଳ ଉପରେ ପୋଲ ନିର୍ମାଣ ପାଇଁ ଲୋକେ ବାରମ୍ବାର ଦାବି କରିଆସୁଥିଲେ । କିନ୍ତୁ ସେମାନଙ୍କ କଥାକୁ ଜନପ୍ରତିନିଧି କିମ୍ବା ପ୍ରଶାସନ ଶୁଣିଲା ନାହିଁ । ଶେଷରେ ନିଜ ଉଦ୍ୟମରେ ଗ୍ରାମବାସୀ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଚାନ୍ଦା ଆଦାୟ କରି ନାଳ ଉପରେ ପୋଲ ନିର୍ମାଣ କରିଛନ୍ତି ।
ତେଲକୋଇ ବ୍ଲକ୍ ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ଦାମୋଦରଗୌଣି ରାଜସ୍ବ ଗ୍ରାମକୁ ହନୁମନ୍ତିଆ ନାଳ ଦୁଇଭାଗ କରିଛି । ନାଳର ଗୋଟିଏ ପାର୍ଶ୍ୱରେ ମୂଳ ଗ୍ରାମଟି ରହିଥିବା ବେଳେ ଅନ୍ୟପାର୍ଶ୍ବରେ ମଝିସାହି, ଦଣ୍ଡାହୁଳି ଓ ମାଝୀସାହି ରହିଛି । ୧୫୦ ରୁ ଊର୍ଦ୍ଧ୍ବ ପରିବାର ଏହି ୩ଟି ସାହିରେ ବାସ କରୁଛନ୍ତି । ସମସ୍ତେ ଅତ୍ୟନ୍ତ ଗରିବ ଅନୁସୂଚିତ ଜନଜାତି ସମ୍ପ୍ରଦାୟର । ଗାଁ ଠାରୁ ୫ କିମି ଦୂରରେ ସଲେଇକେନା ପଞ୍ଚାୟତ କାର୍ଯ୍ୟାଳୟ ରହିଛି । ସେଠାକୁ ବିଭିନ୍ନ କାମ ପାଇଁ ଯିବାକୁ ହେଲେ ହନୁମନ୍ତିଆ ନାଳ ପାର ହେବାକୁ ପଡ଼ିଥାଏ ।
ଫଳରେ ପିଡିଏସ୍ ସାମଗ୍ରୀ, ବାର୍ଦ୍ଧକ୍ୟ ଭତ୍ତା, ଅଙ୍ଗନବାଡି ଓ ବିଦ୍ୟାଳୟ ଯିବାକୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବର୍ଷର ୬ ମାସ ଅର୍ଥାତ ଜାନୁଆରି ଠାରୁ ଜୁନ୍ ପର୍ଯ୍ୟନ୍ତ ଲୋକେ ଯେନତେନ ପ୍ରକାରେ ନାଳ ଭିତରେ ପଶି ଯାତାୟାତ କରିଥାନ୍ତି । ବାକି ୬ ମାସ ନାଳରେ ଅଧିକ ପାଣି ରହୁଥିବାରୁ ଲୋକେ ହଇରାଣ ହୋଇଥାନ୍ତି । ବିଶେଷ କରି ବର୍ଷା ଦିନେ ଗ୍ରାମଟି ପଞ୍ଚାୟତ ମୁଖ୍ୟାଳୟ ଠାରୁ ବିଚ୍ଛିନ୍ନ ହୋଇଯାଇଥାଏ । ଲୋକେ ବହୁ କଷ୍ଟରେ ବିପଜ୍ଜନକ ଭାବେ ନାଳର ପ୍ରଖର ସ୍ରୋତକୁ ଅତିକ୍ରମ କରି ଗୋଟିଏ ପାର୍ଶ୍ବରୁ ଅନ୍ୟକୁ ପାର୍ଶ୍ବକୁ ଯାତାୟାତ କରିଥାନ୍ତି । ଦୁଇବର୍ଷ ତଳେ ଗ୍ରାମକ ଭ୍ରମର ଜୁଆଙ୍ଗ ନାମକ ଜଣେ ବ୍ୟକ୍ତି ନାଳରେ ଭାସି ପ୍ରାଣ ହରାଇଥିଲେ । ଗ୍ରାମର ଉଭୟ ପାର୍ଶ୍ଵରେ ଥିବା ଚାଷଜମିକୁ ଯିବାପାଇଁ ମଧ୍ୟ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।
ହନୁମନ୍ତିଆ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ ଲୋକେ ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ବିଧାୟକଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୌଣସି ସୁଫଳ ନ ମିଳିବାରୁ ନିଜେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଅଣ୍ଟା ଭିଡ଼ିଥିଲେ । ପରିବାର ପିଛା ଏକ ହଜାର ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରିଥିଲେ । ଜେସିବି ମେସିନ୍ ସାହାଯ୍ୟରେ ନାଳ ଗର୍ଭକୁ ଖୋଳି ୧୦ଟି କଂକ୍ରିଟ ପିଲାର ନିର୍ମାଣ କଲେ । ୪ଟି ଲୁହା ଧାରଣା, କାଠ ଓ ବାଉଁଶ ସାହାଯ୍ୟରେ ପୋଲ ନିର୍ମାଣ ହୋଇଛି ।
ଗ୍ରାମବାସୀ ଶ୍ରମଦାନ କରି ପୋଲ ନିର୍ମାଣ କାମ ଶେଷ କରିଛନ୍ତି । ଆଜି ପୋଲରେ ଶେଷସ୍ପର୍ଶ ଦିଆଯିବା ପରେ ଲୋକେ ଯାତାୟାତ ଆରମ୍ଭ କରିଛନ୍ତି । ସ୍ଥାନୀୟ ସରପଞ୍ଚ ପାଙ୍ଗେଲା ମୁଣ୍ଡା ଉପସ୍ଥିତ ପୋଲକୁ ଉଦ୍ଘାଟନ କରିଥିଲେ । ନାଳ ଉପରେ ଏକ ସୁଉଚ୍ଚ ସ୍ଥାୟୀ ପୋଲ ନିର୍ମାଣ କରାଗଲେ ସଲେଇକେନା, ଓରିଆବିରିଦା, ଶିବନାରାୟଣପୁରଗୋଡ଼ା, ତେଲକୋଇ, ଛାମୁଣ୍ଡା, ଦୋବଲାପାଳ, ଜଗମୋହନପୁର, ବାଂଶପାଳ ବ୍ଲକ୍ର କରଙ୍ଗାଡିହ ପଞ୍ଚାୟତବାସୀ ଉପକୃତ ହେବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସରପଞ୍ଚ ପାଙ୍ଗେଲା ମୁଣ୍ଡା, ବଳରାମ ପ୍ରଧାନ, ସହଦେବ ପ୍ରଧାନ, ଚକ୍ର ନାଏକ, ତ୍ରିଲୋଚନ ନାଏକ, ବୁଧୁରାମ ମାଝୀ, ଭାବଗ୍ରାହୀ ମାଝୀ ପ୍ରମୁଖ ଦାବି କରିଛନ୍ତି । ଏନେଇ ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁଙ୍କୁ ପଚାରିବାରୁ, ଜିଲ୍ଲାସ୍ତରରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ତୁରନ୍ତ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
