ଆର୍‌ଡବ୍ଲୁଏସ୍‌ଏସ୍‌ର ଗୁପ୍ତଟେଣ୍ଡର ପେଡ଼ି ଖୋଲୁଛି : ଆଉ ୪ ବ୍ଲକ୍‌ରେ ୧୧୩ ଗୁପ୍ତ ଟେଣ୍ଡର କରି ୨ କୋଟିର ବିଲ୍‌

ଯାଜପୁର : ଯାଜପୁର ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ(ଚଣ୍ଡିଖୋଲ)ରେ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ ଗୁପ୍ତଟେଣ୍ଡର ଜରିଆରେ ହାତେଇଛନ୍ତି କୋଟି କୋଟି ଟଙ୍କା । ମାତ୍ର ତିନି ବର୍ଷ ମଧ୍ୟରେ ଜିଲ୍ଲାର ୭ ବ୍ଲକ୍‌ରେ ୨୭୨ଟି ଗୁପ୍ତ ଟେଣ୍ଡର ଜରିଆରେ ୪ କୋଟି ୮୮ ଲକ୍ଷ ୨୧ ହଜାର ୧୧୭ ଟଙ୍କା ବିଲ୍ ହୋଇଛି । ଗୁପ୍ତଟେଣ୍ଡର ପାଇଁ କାର୍ଯ୍ୟ ଯାହାହେଉନା କାହିଁକି ସରକାର ୭୩ ଲକ୍ଷ ଟଙ୍କା (୧୪.୯୯ ପ୍ରତିଶତ କମ୍‌) କ୍ଷତି ବି ସହିଛନ୍ତି । ପୂର୍ବରୁ ୩ଟି ବ୍ଲକ୍‌ର ୧୫୯ଟି ଗୁପ୍ତଟେଣ୍ଡର ‌କେଳେଙ୍କାରୀ ନେଇ ଖବର ପ୍ରକାଶ ପାଇବା ପରେ ସର୍ବୋଚ୍ଚ ଯନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଆଉ ୪ଟି ବ୍ଲକ୍‌ରେ ୧୧୩ଟି ଗୁପ୍ତଟେଣ୍ଡର ହୋଇଥିବା ପଦାକୁ ଆସିଛି ।

ଯାଜପୁର ଜିଲ୍ଲାର ୩ଟି ବ୍ଲକ୍ ବିଂଝାରପୁର, ଯାଜପୁର ଓ ଦଶରଥପୁରରେ ୩ ବର୍ଷରେ ୧୫୯ ଗୁପ୍ତ ଟେଣ୍ଡର କରି ୨ କୋଟି ୮୨ ଲକ୍ଷ ୮୦ ହଜାର ୯୪୭ ଟଙ୍କା ହେରଫେର ‌ହୋଇଥିବା ତଥ୍ୟ ସାମନକୁ ଆସିଥିଲା । ଏବେ ଆଉ ୪ ବ୍ଲକ୍‌ରେ ୧୧୩ଟି ଗୁପ୍ତଟେଣ୍ଡର ଜରିଆରେ ୨ କୋଟି ୫ ଲକ୍ଷ ୪୦ ହଜାର ୧୭୦ ଟଙ୍କା ବିଲ୍‌ ହୋଇଥିବା ପଦାକୁ ଆସିଛି । ସେଥି ମଧ୍ୟରେ ରସୁଲପୁର ଓ ବଡ଼ଚଣାରେ ୨ ବର୍ଷରେ ୫୩ଟି ଗୁପ୍ତଟେଣ୍ଡରରେ ୬୫ ଲକ୍ଷ ୮୧ ହଜାର ୪୭୪ ଟଙ୍କା ବିଲ୍ ହୋଇଥିବା ବେଳେ ଧର୍ମଶାଳା ଓ ବରୀ ବ୍ଲକରେ ୩ ବର୍ଷରେ ୬୦ଟି ଗୁପ୍ତଟେଣ୍ଡର ଜରିଆରେ ୧ କୋଟି ୩୯ ଲକ୍ଷ ୫୮ ହଜାର ୬୯୬ ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଏହି ୩ ବର୍ଷରେ ବିଂଝାରପୁର ବ୍ଲକ୍‌ରେ ୫୦ଟି ଗୁପ୍ତଟେଣ୍ଡର କରି ୬୮ ଲକ୍ଷ ୧୩ ହଜାର ୪୮୯ ଟଙ୍କା ବିଲ୍ ହୋଇଥିବା ‌ବେଳେ ଦଶରଥପୁର ବ୍ଲକରେ ୬୩ଟି ଗୁପ୍ତଟେଣ୍ଡର କରି ୫ ଜଣ ଠିକାଦାରଙ୍କ ଜରିଆରେ ୧ କୋଟି ୧୯ ଲକ୍ଷ ୯୧ ହଜାର ୮୪୬ ଟଙ୍କା ବିଲ୍ ହୋଇଛି । ସେହିପରି ଯାଜପୁର ବ୍ଲକ୍‌ରେ ୮ ଜଣ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ନାମରେ ୪୬ଟି ଗୁପ୍ତଟେଣ୍ଡର କରି ୯୪ ଲକ୍ଷ ୭୫ ହଜାର ୬୧୨ ଟଙ୍କା ହରିଲୁଟ୍ କରାଯାଇଛି । ଜିଲ୍ଲାର ମୋଟ ୧୦ଟି ବ୍ଲକ୍ ମଧ୍ୟରୁ ଏବେ ସୁଦ୍ଧା ହସ୍ତଗତ ହୋଇଥିବା ୭ଟି ବ୍ଲକ୍‌ରେ ଗତ ୨/୩ ବର୍ଷରେ ମୋଟ ୨୭୨ଟି ଗୁପ୍ତଟେଣ୍ଡର କରାଯାଇ ୪ କୋଟି ୮୮ ଲକ୍ଷ ୨୧ ହଜାର ୧୧୭ ଟଙ୍କା ବିଲ୍ ହୋଇଛି । ମୁଷ୍ଟିମେୟ ନିର୍ଦ୍ଦିଷ୍ଟ ଠିକଦାରଙ୍କ ଜରିଆରେ ଏହି ଗୁପ୍ତଟେଣ୍ଡର କରାଯାଇଛି । ଯଦି ଏହା ଖୋଲା‌ଟେଣ୍ଡର କରାଯାଇଥାନ୍ତା ସରକାର ୧୪.୯୯ ପ୍ରତିଶତ କମ୍‌ ବାବଦରେ ୭୩ ଲକ୍ଷ ୧୮ ହଜାର ୨୮୫ ଟଙ୍କା ରାଜସ୍ବ ଅପବ୍ୟୟକୁ ରୋକି ପାରିଥାନ୍ତେ । ୩ ବର୍ଷରେ ୧୫୯ ଗୁପ୍ତଟେଣ୍ଡର ଶୀର୍ଷକ ଖବର ଉପରେ ସର୍ବୋଚ୍ଚ ଯନ୍ତ୍ରୀ ଚିଠି ନମ୍ବର ୪୮୬୩ ତା ୧୭/୬/୨୨ରେ ତଦନ୍ତ କରିବା ପାଇଁ କଟକର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ ତାରିଖ ସୁଦ୍ଧା ଏହା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ସମୟ ସୀମା ଧାର୍ଯ୍ୟ କରିଛନ୍ତି । ଏହାପରେ ଆଉ ୪ ବ୍ଲକ୍‌ର ୧୧୩ଟି ଗୁପ୍ତଟେଣ୍ଡର ସଂପର୍କରେ ସୂଚନା ମିଳିଛି । ଫଳରେ ଠିକାଦାର ଓ ଯନ୍ତ୍ରୀଙ୍କ ଅସାଧୁମେଣ୍ଟ ପାଇଁ ଅଡୁଆ ବଢିଛି ।

Leave a Reply

Your email address will not be published. Required fields are marked *