ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ମୌସୁମୀ ବର୍ଷା ଆସିବା ପରେ ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ତତ୍ପର ହୋଇଉଠିଛନ୍ତି । ହେଲେ ଧାନ ବିହନର ଅଭାବ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଡିଲର ଓ ପ୍ୟାକ୍ସର ଚକ୍ରବ୍ୟୁହ ଯୋଗୁ ଚାଷୀଙ୍କୁ ଆବଶ୍ୟକ ଧାନ ବିହନ ମିଳୁନଥିବା ବେଳେ ଚାହିଦା ନଥିବା ବିହନ ମହଜୁଦ ଥିବା ନେଇ ଚାଷୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି । ଦୋକାନଗୁଡ଼ିକରେ ଚଢ଼ା ଦରରେ ଚାହିଦା ଥିବା ଧାନ ମିଳୁଥିବା ଯୋଗୁ ବିହନ ଧାନର ଅଭାବ ଚାଷୀଙ୍କୁ ବ୍ୟଥିତ କରିଛି । ପ୍ରତିବର୍ଷ ଡିଲର ଓ ପ୍ୟାକ୍ସ ମିଳିମିଶି ଚାଷୀଙ୍କୁ ଧାନ ବିହନ ପାଇଁ ଶୋଷଣ କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

କଳାହାଣ୍ଡି ଜିଲ୍ଲାକୁ ସବୁବେଳେ ନୂଆ ଧାନ ଆସିଲେ ଏହାର ପ୍ରୟୋଗ ପାଇଁ ପଠାଯାଇଥାଏ । ଜିଲ୍ଲାର ଭୌଗୋଳିକ ପରିସ୍ଥିତି ଓ ଜଳସେଚନର ଅବସ୍ଥିତିକୁ ନେଇ ଆବଶ୍ୟକ ହେଉଥିବା ଧାନ ବିହନ ଜିଲ୍ଲାକୁ ପ୍ରଦାନ ନକରି ଚାଷୀଙ୍କ ଚାହିଦା ନଥିବା ଧାନ ଜବରଦସ୍ତି ଜିଲ୍ଲାକୁ ଆସୁଥିବା ଯୋଗୁ ଅସନ୍ତୋଷ ବୃଦ୍ଧିପାଇଲାଣି । କେବଳ ସେତିକି ନୁହେଁ, ଓଡ଼ିଶା ବିହନ ନିଗମରୁ ଡିଲରମାନଙ୍କୁ ଦିଆଯାଉଥିବା ଧାନ ଚଢ଼ା ଦରରେ ବିକ୍ରି ହେଉଛି ଓ ଜାଣିଶୁଣି ଅଭାବ ସୃଷ୍ଟି କରାଯାଉଛି । ପ୍ୟାକ୍ସ ଓ ଘରୋଇ ଡିଲରମାନେ ଆବଶ୍ୟକ ମୁତାବକ ବିହନ ନିମନ୍ତେ ଟଙ୍କା ଜମା କରୁନଥିବାରୁ ବିହନ ଯୋଗାଣରେ ବିଳମ୍ବ ହେଉଛି । ଅନ୍ୟପକ୍ଷରେ ଘରୋଇ ଡିଲରମାନଙ୍କ ଚକ୍ରବ୍ୟୂହ ଯୋଗୁ ସେମାନେ ବିହନ ଯୋଗାଣ ନେଇ କୃତ୍ରିମ ଅଭାବ ସୃଷ୍ଟି କରି ଏହାର ଫାଇଦା ଉଠାଉଛନ୍ତି । ପ୍ୟାକ୍ସମାନେ ଠିକ ସମୟରେ ବିହନ ପ୍ରଦାନ କରୁନଥିବାରୁ ଚାଷୀମାନେ ବାଧ୍ୟ ହୋଇ ଘରୋଇ ଡିଲରଙ୍କ ଠାରୁ ଚଢ଼ା ଦରରେ ଧାନ ବିହନ କିଣୁଛନ୍ତି । ଡିଲରଙ୍କ ଷ୍ଟକ୍ ଯାଞ୍ଚ ମଧ୍ୟ କରାଯାଉନାହିଁ ।
ଉଲ୍ଲେଖଥାଉକି, ଚାଷୀଙ୍କୁ ଆବଶ୍ୟକ ହେଉଥିବା ୧୩୫ ଦିନିଆ ଧାନ ପରିବର୍ତ୍ତେ କର୍ତ୍ତୃପକ୍ଷ ଜବରଦସ୍ତି ୧୪୫ ରୁ ୧୫୫ ଦିନିଆ ଧାନ ବିହନ ମହଜୁଦ ରଖୁଛନ୍ତି । ସେହିଭଳି ଚାଷୀଙ୍କ ଧାନ ବିହନ ସବ୍ସିଡିରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଛି । ଜୁନ୍ ୧୫ ତାରିଖ ମଧ୍ୟରେ ଚାହିଦା ଥିବା ଧାନ ମିଳୁନଥିବା ଯୋଗୁ ଚାଷ କାର୍ଯ୍ୟରେ ମଧ୍ୟ ବିଳମ୍ବ ଦେଖାଦେଉଛି । ରାଜ୍ୟ ସରକାର ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
