ଭୁବନେଶ୍ବର : ୬୦୦ ରୁ ଅଧିକ ଡିଗ୍ରି କଲେଜରେ ଅଧ୍ୟକ୍ଷ ନାହାନ୍ତି । ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବି ସମାନ ଅବସ୍ଥା । କେଉଁଠି ଅଧ୍ୟାପକ ତ ଆଉ କେଉଁଠି ଅଧ୍ୟାପିକା ସମ୍ଭାଳୁଛନ୍ତି ଅଧ୍ୟକ୍ଷ ପଦ । ସରକାରୀ ଠାରୁ ଆରମ୍ଭ କରି ଅନୁଦାନପ୍ରାପ୍ତ କଲେଜ, ସ୍ବୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି କାମଚଳା ଅଧ୍ୟକ୍ଷରେ ଚାଲିଛି । ଅଧ୍ୟାପକଙ୍କ ଅବସ୍ଥା ବି ତଦ୍ରୂପ । ଗତ ତିନି ବର୍ଷ ମଧ୍ୟରେ କିଛି କଲେଜରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବି ପୂରଣ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ସତ, ମାତ୍ର ତାହା ସମୁଦ୍ରକୁ ଶଙ୍ଖେ । ଏମିତି ବି କିଛି କଲେଜ ରହିଛି, ଯେଉଁଠି ଜଣେ ଅଧ୍ୟାପକରେ ଗୋଟିଏ ବିଭାଗ ଚାଲିଛି । ଆଉ କିଛି ସ୍ଥାନରେ ଅତିଥି ଅଧ୍ୟାପକ ହିଁ କେବଳ ଭରସା । ଗୋଟିଏ ପଟେ ରାଜ୍ୟ ସରକାର ନିଯୁକ୍ତି ଦେଉଥିବା ବେଳେ ଅନ୍ୟପଟେ ପ୍ରତି ମାସରେ ଅଧ୍ୟାପକଙ୍କ ଅବସର ଗ୍ରହଣ ସ୍ଥିତିକୁ ଅଧିକ ଜଟିଳ କରିଛି ।
ରାଜ୍ୟର ୫୦ଟି ସରକାରୀ କଲେଜ ଓ ୫୮୨ଟି ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ତେଣୁ ଅଧ୍ୟାପକମାନଙ୍କୁ ଅଧ୍ୟକ୍ଷ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି । ସେମାନେ ଛାତ୍ରଛାତ୍ରୀଙ୍କ କ୍ଲାସ ନେବା ସହ କଲେଜର ସମସ୍ତ ଦାୟିତ୍ୱ ବୁଝୁଛନ୍ତି । ଗୋଟିଏ ପଟେ ଡିଗ୍ରି କଲେଜରେ ଆବଶ୍ୟକ ଅଧ୍ୟାପକ ନଥିବା ବେଳେ ଅନ୍ୟପଟେ ଅଧ୍ୟାପକଙ୍କୁ ଭାରାପ୍ରାପ୍ତ ଦାୟିତ୍ୱରେ ବସାଇବା ଦ୍ୱାରା କ୍ୟାମ୍ପସରେ ପାଠପଢ଼ା ଠିକ୍ ଭାବେ ଚାଲି ପାରୁନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ଯେଉଁମାନଙ୍କୁ ଅଧ୍ୟକ୍ଷ ପଦରେ ବସାଯାଉଛି, ସେମାନଙ୍କ ନିଯୁକ୍ତିପତ୍ରରେ ଲେଖାଯାଉଛି ଯେ ଅଧ୍ୟକ୍ଷ ଦାୟିତ୍ୱରେ ରହିବା ସହ କ୍ଲାସ ନେବେ । ନିୟମିତ ଅଧ୍ୟକ୍ଷଙ୍କ କ୍ଷେତ୍ରରେ ଏଭଳି ନିୟମ ନଥିବା ବେଳେ ଭାରପ୍ରାପ୍ତ କ୍ଷେତ୍ରରେ ଏଭଳି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବଢ଼ୁଛି ।

ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ ପାଇଁ ଏବେ ଯୋଗ୍ୟତାଧାରୀଙ୍କ ଅଭାବ ଦେଖିବାକୁ ମିଳୁଛି । ପୂର୍ବ ନିୟମ ଅନୁଯାୟୀ, ଜଣେ ସରକାରୀ ପ୍ରଫେସର୍ ହିଁ ସ୍ୱୟଂଶାସିତ କଲେଜ ଅଧ୍ୟକ୍ଷ ହୋଇପାରିବେ । ଡିଗ୍ରି କଲେଜ ଲାଗି ରିଡର୍ ଯୋଗ୍ୟତା ଥିବା ଆବଶ୍ୟକ । ମାତ୍ର ପୂର୍ବ ପ୍ରଚଳିତ ନିୟମରେ ପରିବର୍ତ୍ତନ କରାଯାଇଥିବାରୁ ଏବେ ଯେକେହି ଅଧ୍ୟକ୍ଷ ହୋଇପାରୁଛନ୍ତି । ବେସରକାରୀ କଲେଜ ଶିକ୍ଷକ ସଂଘ ପୂର୍ବତନ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ପରିଡ଼ାଙ୍କ କହିବାନୁଯାୟୀ, କଲେଜଗୁଡ଼ିକରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ଏକାଡେମିକ୍ ଓ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । କନିଷ୍ଠଙ୍କୁ ଅଧ୍ୟକ୍ଷ ପଦରେ ବସାଯିବା ଦ୍ବାରା ବରିଷ୍ଠମାନେ ସହଜରେ ଗ୍ରହଣ କରୁନାହାନ୍ତି । ଏଭଳି ପାତରଅନ୍ତର କରାଯିବା ଦ୍ବାରା ପିଲାଙ୍କ ପାଠପଢ଼ା ବି ପ୍ରଭାବିତ ହେଉଛି । ତେଣୁ କଲେଜ ଅଧ୍ୟକ୍ଷଙ୍କ ଲାଗି ସ୍ବତନ୍ତ୍ର କ୍ୟାଡର୍ କରାଯିବା ସହ ଯୋଗ୍ୟତା ସ୍ଥିର ହେଉ । ଚାକିରି କେତେବର୍ଷ ଥିଲେ, ଜଣେ ଅଧ୍ୟକ୍ଷ ହୋଇପାରିବେ, ସେନେଇ ନିଷ୍ପତ୍ତି ନିଆଯାଉ । ବିଶ୍ବବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତି ଢାଞ୍ଚାରେ ସରକାରୀ କଲେଜ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଲାଗି ଓପିଏସ୍ସି ଏବଂ ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ଲାଗି ଓଏସ୍ଏସ୍ବି ମାଧ୍ୟମରେ ଚୟନ ପ୍ରକ୍ରିୟା କରାଯିବାର ଆବଶ୍ୟକତା ରହିଛି ।
ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘର ପୂର୍ବତନ ସଭାପତି ଅମୀୟ କୁମାର ମହାନ୍ତିଙ୍କ କହିବା କଥା, ସରକାରୀ କଲେଜସ୍ତରରେ କ୍ୟାଡର୍ ବ୍ୟବସ୍ଥା ପ୍ରଚଳିତ ଥିଲା । ମାତ୍ର ତାହାକୁ ଉଠାଇ ଦିଆଯିବା ଦ୍ବାରା କଲେଜର ପ୍ରଶାସନିକସ୍ତରରେ ନେତୃତ୍ବର ଅଭାବ ପରିଲକ୍ଷିତ ହେଉଛି । ରାଜ୍ୟ ସରକାର ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ସହ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ କ୍ୟାଡର୍ ସୃଷ୍ଟି କରନ୍ତୁ ।
