ଦିବ୍ୟାଙ୍ଗ ଶିକ୍ଷକଙ୍କୁ ସାମାଜିକ ବାସନ୍ଦ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ସାମାଜିକ ବାସନ୍ଦ ପ୍ରଥା ଗୁରୁତର ବ୍ୟାଧିର ରୂପ ନେଇଛି । ପ୍ରତିଦିନ ‌ବିଭିନ୍ନ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଥିବା ବେ‌ଳେ ଜରିମାନା, ଧମକ, ଗାଁ ଛାଡ଼ିବା ଓ ହିଂସା ବି ଘଟୁଛି । ଫଳରେ ଜିଲ୍ଲା ପୁଲିସ ପାଇଁ ଏହା ବର୍ତ୍ତମାନ ମୁଣ୍ଡବ୍ୟଥା ପାଲଟିଛି । ଗାଁ କମିଟି କିମ୍ବା କୁଳ ସମାଜ ଦ୍ବାରା ବାସନ୍ଦ ହୋଇ ନିର୍ଯାତିତ ଗ୍ରାମବାସୀ ନ୍ୟାୟ ପାଇବା ଆଶାରେ ପୁଲିସ ପଦାଧିକାରୀଙ୍କ ଦ୍ବାରସ୍ଥ ହେଉଛନ୍ତି । କିନ୍ତୁ କୌଣସି ସୁଫଳ ମିଳୁନି ।

ବିଶେଷକରି ଗଞ୍ଜାମ ବ୍ଲକ୍ ତଥା ଗଞ୍ଜାମ ଏବଂ ରମ୍ଭା ଥାନା ଇଲାକାରୁ ଏଭଳି ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି । ଫଳରେ ଏହାର ମୂଳୋତ୍ପାଟନ ପାଇଁ ଉଭୟ ଥାନା ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିବା ସହ ଗତ କିଛି ଦିନ ମଧ୍ୟରେ ୩୧ଟି ବାସନ୍ଦ ପରିବାରକୁ ଗ୍ରାମରେ ସାମିଲ କରାଯାଇଛି । ତଥାପି କୌଣସି ସୁଫଳ ମିଳୁନି । ଏଭଳି ପରିସ୍ଥିତିରେ ରମ୍ଭା ଥାନା ଇଲାକାର ଜଣେ ଦିବ୍ୟାଙ୍ଗ ତଥା ସହକାରୀ ଶିକ୍ଷକଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଭଳି ସଂଗିନ୍ ଅଭିଯୋଗ ସାମ୍ନାକୁ ଆସିଛି । ଶିକ୍ଷକଜଣକ ହେଲେ, ରମ୍ଭା ଥାନା ଅଧୀନ ତାରିଣୀପଲ୍ଲୀ ଗ୍ରାମର ରବୀନ୍ଦ୍ର କୁମାର ସେଠୀ । ବାସନ୍ଦ ହେବା ପରେ ରବୀନ୍ଦ୍ର ନ୍ୟାୟ ପାଇଁ ଗଞ୍ଜାମ ଏସ୍‌.ପି.ଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅତିରିକ୍ତ ଏସ୍‌.ପି. ପି‌କେ.ଦଳେଇଙ୍କୁ ଏସ୍‌.ପି.ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ବଡ଼ଚକଡ଼ା ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ରବୀନ୍ଦ୍ରଙ୍କ ଅଭିଯୋଗ ଅନୁସା‌ରେ ଗ୍ରାମର ସଭାପତି ତାଙ୍କ ଘର ଆଗରେ ବାଲି ଜମା କରି ରଖିଥିଲେ । ବାଲି ରଖିବା ପରେ ତାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ସେ ଦିବ୍ୟାଙ୍ଗ ହୋଇଥିବାରୁ ଘରୁ ଠିକ୍ ଭାବେ ବାହାରି ପାରୁନଥିଲେ । ବାଲି ଗଦା ନକରିବା ପାଇଁ ସଭାପତିଙ୍କୁ କହିବା ସତ୍ତ୍ବେ ସେ ଏଥିପ୍ରତି କର୍ଣ୍ଣପାତ କରି ନଥିଲେ । ଏଥିପାଇଁ ସେ ବାଧ୍ୟ ହୋଇ ଗଞ୍ଜାମ ବିଡିଓ ଓ ରମ୍ଭା ଥାନାଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ । ଏହା ଜାଣିବା ପରେ ଗତ ମାର୍ଚ୍ଚ ୬ ତାରିଖରେ ଗାଁରେ ଏକ ବୈଠକ ଡକାଯାଇ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା । ଏପରିକି ସେ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ଆକ୍ଷେପ କରାଯାଇଥିଲା । ‘ଗାଁର କଥା ବିଡିଓ ଓ ପୁଲିସକୁ ଜଣାଇ ଭୁଲ୍ କରିଛୁ ବୋଲି କହି ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିଲା ବୋଲି ରବୀନ୍ଦ୍ର କହିଛନ୍ତି ।’
ବାସନ୍ଦ ହେବା ପରେ ଗ୍ରାମର କୌଣସି ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଉପରେ ତାଙ୍କ ପରିବାର ଉପରେ ଅଙ୍କୁଶ ଲଗାଯାଇଛି । ଏପିରକି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାରଣ କରାଯାଇଛି । ରମ୍ଭା ପୁଲିସ ଗ୍ରାମରେ ପହଞ୍ଚି ବୁଝାସୁଝା କରିଥିଲେ ବି କୌଣସି ସୁଫଳ ନମିଳିବାରୁ ସେ ନ୍ୟାୟ ପାଇଁ ଗଞ୍ଜାମ ଏସ୍‌.ପି.ଙ୍କ ଦ୍ବାରସ୍ଥ ହୋଇଥିବା ରବୀନ୍ଦ୍ର କହିଛନ୍ତି । ଅତିରିକ୍ତ ଏସ୍‌.ପି ପିକେ.ଦଳାଇ କହିଛନ୍ତି ଯେ, ରବୀନ୍ଦ୍ରଙ୍କୁ ବାସନ୍ଦ କରାଯାଇନି କି, ଜରିମାନା ମଗାଯାଇନି । କିନ୍ତୁ ଅଭିଯୋଗର ତଦନ୍ତ ‌ହେବ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ।

Leave a Reply

Your email address will not be published. Required fields are marked *