ଦୁଇ ଗାଁ ବିବାଦ ନେଲା ଉଗ୍ରରୂପ : ଚିଲିକାରେ ଯାତ୍ରୀ ସେବା ବନ୍ଦ

ବ୍ରହ୍ମଗିରି : ଦୀର୍ଘ ଦିନ ଧରି ଦୁଇ ଗାଁର ବିବାଦ ଶନିବାର ଦିନ ଉଗ୍ରରୂପ ନେଇଛି । ଏହି ବିବାଦ ଯୋଗୁଁ ଚିଲିକାରେ ଜୀବନ ଯାତ୍ରାକୁ ଠପ କରିଛି । ଶନିବାର ଦିନ ଚିଲିକାରେ ଯାତ୍ରୀ ପରିବହନ ବନ୍ଦ ରହିଛି । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଚିଲିକା ବୁଲି ନ ପାରି ଫେରିଛନ୍ତି । ପ୍ରଶାସନର ଦୀର୍ଘ ସମୟ ଧରି ଆଲୋଚନା ପରେ ମଧ୍ୟ ସ୍ଥିତିରେ ସୁଧାର ଆସି ନାହିଁ । ଗୋଟିଏ ପଟ ଘାଟରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣା ଜାରି ରହିଛି । ଡଙ୍ଗା କୂଳରେ ନ ଲାଗି ମଝି ଚିଲିକାରୁ ଫେରିଛି । ଅନ୍ୟପଟେ କୃଷ୍ଣପ୍ରସାଦରେ ଥିବା ସରକାରୀ କାର୍ଯ୍ୟାଳୟ ପ୍ରଭାବିତ ହୋଇଛି ।

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ପଣାଯାତ୍ରା ଚାଲିଥିବା ବେଳେ ଆଳୁପାଟଣା ଗାଁ ତିତିପ ଗାଁର କିଛି ଯୁବକ ମଧ୍ୟରେ କୌଣସି କାରଣକୁ ନେଇ ମାରପିଟ ହୋଇଥିଲା । ଏହି ଘଟଣା ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନ ହୋଇ ପାରିନଥିଲା । ତିତିପ ଗାଁର କିଛି ଯୁବକଙ୍କୁ ଘଟଣାର କିଛି ଦିନ ପରେ ଆଳୁପାଟଣା ଗାଁର ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ୩୫ ମୈାଜା ପରିଚାଳନା କମିଟି, ସ୍ଥାନୀୟ ପ୍ରଶାସନ ଓ ଉଭୟ ଗାଁ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ଘଟଣାର କିଛି ସମାଧାନ ହୋଇ ପାରି ନଥିଲା । ଦୁଇ ଦିନ ତଳେ ୩୫ ମୈାଜା ପରିଚାଳନା କମିଟିର ସମ୍ପାଦକ କୌଣସି କାମରେ ସାତପଡ଼ା ଆସିଥିବା ବେଳେ ଆଳୁପାଟଣା ଗାଁର କିଛି ଯୁବକ ତାଙ୍କୁ ମାଡ଼ମାରି ଗାଁ’ କୋଠଘରେ ଅଟକ ରଖିଥିଲେ । ଖବର ପାଇ ବ୍ରହ୍ମଗିରି ପୁଲିସ ଗାଁରେ ପହ‌ଞ୍ଚି ସମ୍ପାଦକଙ୍କ ଉଦ୍ଧାର କରି କୃଷ୍ଣପ୍ରସାଦରେ ଛାଡ଼ିଥିଲା । ଏହି ଘଟଣାକୁ ନେଇ ୩୫ ମୈାଜା ପରିଚାଳନା କମିଟି ବୈଠକ କରି ଆଜିଠାରୁ ଚିଲିକାରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଯାତ୍ରୀ ପରିବହନକୁ ବନ୍ଦ କରିଦେଇଛନ୍ତି ।

କୃଷ୍ଣପ୍ରସାଦ ବ୍ଲକ୍‌ର ଜହ୍ନିକୁଦା ଘାଟଠାରେ କମିଟିର ସଦସ୍ୟ ଏବଂ କର୍ମକର୍ତ୍ତା ଆନ୍ଦୋଳନରେ ବସି ରହିଛନ୍ତି । ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟ ଏବଂ ଜହ୍ନିକୁଦା ଘାଟରୁ ସାତପଡ଼ା ଘାଟ ପର୍ଯ୍ୟନ୍ତ ଯାତ୍ରୀବାହୀ ଡଙ୍ଗା ଚଳାଚଳ ବନ୍ଦ ରହିଛି । ଉଭୟ ଘାଟରେ ଭସାପୋଲ ସେମିତି ବନ୍ଧା ହୋଇ ରହିଛି । କୃଷ୍ଣପ୍ରସାଦ ବ୍ଲକ୍‌କୁ ଯାତ୍ରୀ ପରିବହନ ହୋଇପାରୁନାହିଁ । ଏହି ବ୍ଲକ୍‌କୁ ଯିବା ପାଇଁ କେବଳ ଏକମାତ୍ର ମାଧ୍ୟମ ହେଉଛି ଜଳପଥ । ତାହା ବନ୍ଦ ହୋଇଥିବାରୁ ସକାଳୁ ଯାତ୍ରୀମାନେ ଯାଇପାରିନାହାନ୍ତି । ଦୁଇଟି ଡଙ୍ଗା ଯାତ୍ରୀ ନେଇ ସାତପଡ଼ାରୁ ଜହ୍ନିକୁଦା ଯାଇଥିବା ବେଳେ ଘାଟରେ ଆନ୍ଦୋଳନକାରୀ ନ ଲଗାଇ ଦେବାରୁ ପୁଣି ତାହା ସାତପଡ଼ା ଘାଟକୁ ଫେରିଆସିଛି । ପୁରୀରୁ ବ୍ରହ୍ମପୁରକୁ ଯାଉଥିବା ଦୁଇଟି ଯାତ୍ରୀବାହୀ ବସ ଭସାପୋଲ ବନ୍ଦ ଯୋଗୁ ପୁଣି ପୁରୀ ଫେରିଛି । ଅନ୍ୟପଟେ ଚିଲିକାକୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକ ଆଜି ଚିଲିକା ବୁଲି ନ ପାରି ଫେରିଛନ୍ତି । ବିବାଦୀୟ ଘଟଣାର ସମାଧାନ ପାଇଁ କୃଷ୍ଣପ୍ରସାଦ ତହସିଲଦାର ଉଲ୍ଲାସ କୁମାର ସେଠୀ, ଆଇଆଇସି ଦିଲୀପ କୁମାର ସ୍ବାଇଁ, ବିଡିଓ ବିଜୟ କୁମାର ନାୟକ ପ୍ରମୁଖ ଜହ୍ନିକୁଦା ଘାଟଠାରେ ଧାରଣାରେ ବସିଥିବା ୩୫ ମୈାଜା ପରିଚାଳନା କମିଟି ସହିତ ଆଲୋଚନା କରି ବିଫଳ ହୋଇଛନ୍ତି । ଅନ୍ୟପଟେ ବ୍ରହ୍ମଗିରି ତହସିଲଦାର କାହ୍ନୁଚରଣ ଘଡ଼ାଇ, ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥୀ ଓ କୃଷ୍ଣପ୍ରସାଦ ବ୍ଲକ୍ ବିଡିଓ ମନୋଜ କୁମାର ନାୟକ ପ୍ରମୁଖ ସାତପଡ଼ା ଫାଣ୍ତିଠାରେ ଆଳୁପାଟଣା ଗ୍ରାମବାସୀଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *