ସମ୍ବଲପୁର : ଗ୍ରୀଷ୍ମ ଋତୁରେ ଯେବେ ବିଦ୍ୟୁତ୍ର ସର୍ବାଧିକ ଆବଶ୍ୟକତା ରହିଛି ସେତେବେଳେ ଜଳାଭାବରୁ ଏକପ୍ରକାର ବନ୍ଦ ହେବାକୁ ବସିଛି ହୀରାକୁଦ ଜଳବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର । ହୀରାକୁଦ ପାଣିରେ ପରିଚାଳିତ ବୁର୍ଲା ଓ ଚିପିଲିମା ଜଳବିଦ୍ୟୁତ୍ କେନ୍ଦ୍ରରୁ ଗତ ୨୪ ଘଣ୍ଟାରେ (ଶୁକ୍ରବାର ସକାଳ ୮ଟା ରୁ ଶନିବାର ସକାଳ ୮ଟା) ମାତ୍ର ୧୭.୫୮୩ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦିତ ହୋଇଛି । ଏହି ସମୟ ଭିତରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ହୀରାକୁଦ ଜଳଭଣ୍ଡାରରୁ ସେକେଣ୍ଡ ପିଛା ହାରାହାରି ମାତ୍ର ୭୧୪ ଘନଫୁଟ୍ (କ୍ୟୁସେକ୍) ଜଳ ଛଡ଼ା ଯାଇଥିଲା । ବୁର୍ଲା ଜଳବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା ୨୭୫.୫ ମେଗାୱାଟ୍ ହୋଇଥିବା ବେଳେ ଚିପିଲିମାର ୭୨ ମେଗାୱାଟ୍ । କିନ୍ତୁ ଗତ ୨୪ ଘଣ୍ଟାରେ ଉଭୟ କେନ୍ଦ୍ରରେ ଯଥାକ୍ରମେ ୪.୩୭୫ ମେଗାୱାଟ୍ ଓ ୧୩.୨୦୮ ମେଗାୱାଟ୍ ହାରାହାରି ବିଦ୍ୟୁତ୍ ଉତ୍ପାଦିତ ହୋଇଛି । ୩୪୭.୫ ମେଗାୱାଟ୍ ବିଶିଷ୍ଟ ରାଜ୍ୟର ଏହି ପ୍ରମୁଖ ଜଳବିଦ୍ୟୁତ୍ କେନ୍ଦ୍ରରୁ ଏବେ ମୋଟ କ୍ଷମତାର ମାତ୍ର ୫% ବିଦ୍ୟୁତ୍ ଉତ୍ପାଦନ ହେଉଛି । ଗତ କିଛି ଦିନ ହେଲା ଏହି ଦୁଇ କେନ୍ଦ୍ରରେ ଜଳବିଦ୍ୟୁତ୍ ଉତ୍ପାଦନ ଲଗାତାର ଭାବେ ଖସି ଚାଲିଛି । ମୌସୁମୀ ସମୟରେ ଯେବେ ହୀରାକୁଦରେ ପାଣି ଉଛୁଳୁ ଥାଏ ସେ ସମୟରେ ବି ଏହି ଜଳବିଦ୍ୟୁତ୍ କେନ୍ଦ୍ର ଦ୍ବୟ ନିଜ କ୍ଷମତା ଅନୁଯାୟୀ ବିଦ୍ୟୁତ୍ ଉତ୍ପାଦନ କରିପାରି ନଥାନ୍ତି । ପୁଣି ଆଷାଢ଼ ମାସରେ ଏଭଳି ଚିତ୍ର ପରିସ୍ଥିତିକୁ ଚିନ୍ତାଜନକ କରିଦେଇଛି । ସମସ୍ତ ୟୁନିଟ୍ ଠିକ୍ ସତ୍ତ୍ବେ ହୀରାକୁଦରୁ ଜଳଯୋଗାଣ ହ୍ରାସ ଯୋଗୁ ଉତ୍ପାଦନ ଏକ ପ୍ରକାର ଠପ୍ ହେବା ସ୍ଥିତିକୁ ଆସିଯାଇଛି ।
ହୀରାକୁଦ ଜଳସ୍ତର ଆଗୁଆ ଖସିବା କାରଣରୁ ଏଥର ବିଦ୍ୟୁତ୍ ଉତ୍ପାଦନ ପାଇଁ ଜଳଯୋଗାଣକୁ ନିୟନ୍ତ୍ରିତ କରା ଯାଉଥିବା ଜଣାପଡ଼ିଛି । ଅନ୍ୟ ବର୍ଷ ଜୁନ୍ ୨୫ ତାରିଖ ବେଳକୁ ହୀରାକୁଦ ଜଳସ୍ତର ୬୦୦ ଫୁଟ୍କୁ ଖସିଥାଏ । କିନ୍ତୁ ଏଥର ଜୁନ୍ ୧୦ ତାରିଖରୁ ଏହା ୬୦୦ ଫୁଟ୍ ସ୍ତରରେ ପହଞ୍ଚି ଯାଇଛି । ଡ୍ୟାମ୍ କର୍ତ୍ତୃପକ୍ଷ ଏହି ୬୦୦ ଫୁଟ୍ ଜଳସ୍ତରକୁ ବଜାୟ ରଖି ଯାହା ଇନ୍ଫ୍ଲୋ ଆସୁଛି ସେହି ଅନୁଯାୟୀ ପାଣି ବିଦ୍ୟୁତ୍ ଉତ୍ପାଦନ ପାଇଁ ପାୱାର୍ ଚାନେଲ୍କୁ ଛାଡ଼ୁଛନ୍ତି । ରବି ଧାନ ଅମଳ ଆରମ୍ଭ ହେବା ଦିନଠୁ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲ୍ଗୁଡ଼ିକରେ ପାଣି ବନ୍ଦ ରହିଛି । ତେବେ ଚଳିତ ବର୍ଷ ତାପଜ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେବା କାରଣରୁ ଏପ୍ରିଲ୍ ଓ ମେ ମାସରେ ଜଳବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ଉପରେ ଅଧିକ ଚାପ ପଡ଼ିଥିଲା । ହୀରାକୁଦ ଜଳଭଣ୍ଡାରରୁ ଅପେକ୍ଷାକୃତ ଅଧିକ ପାଣି ଛାଡ଼ି ବୁର୍ଲା ଓ ଚିପିଲିମା କେନ୍ଦ୍ରରୁ ସାମାନ୍ୟ ଅଧିକ ବିଦ୍ୟୁତ୍ ଉତ୍ପାଦନ କରା ଯାଇଥିଲା । ତେଣୁ ସେହି କାରଣରୁ ହୀରାକୁଦ ଜଳସ୍ତର ଆଗୁଆ ଖସି ଯାଇଥିବା କହାଯାଉଛି ।
ଅପରପକ୍ଷରେ ଚଳିତ ବର୍ଷ ଜଳସେଚନ ପାଇଁ ବର୍ତ୍ତମାନ ସୁଦ୍ଧା ହୀରାକୁଦରୁ ବାହାରୁଥିବା ବରଗଡ଼ ଓ ଶାସନ କେନାଲ୍ ଖୋଲାଯାଇ ନାହିଁ । ଏହି କେନାଲ୍ ଦ୍ବୟରେ ପାଣି ଛାଡ଼ିବାକୁ ହେଲେ ହୀରାକୁଦ ଜଳସ୍ତର ୬୦୦ ଫୁଟ୍ ରହିବା ଆବଶ୍ୟକ । ୬୦୦ ଫୁଟ୍ରୁ ଜଳସ୍ତର କମିଲେ କେନାଲ୍ ପାଣିରେ ବେଗ ରହିବ ନାହିଁ ଓ ତାହା ଶେଷ ମୁଣ୍ଡରେ ପହଞ୍ଚି ପାରିବ ନାହିଁ । ତେଣୁ ଖରିଫ୍ ଚାଷ ଆରମ୍ଭ ହେଲା ବେଳକୁ ବର୍ଷା ହୋଇ ଜଳସ୍ତର ନବଢ଼ିଲେ କେନାଲ୍ ପାଣି ଛାଡ଼ିବାରେ ସମସ୍ୟା ହୋଇପାରେ । ସେହି କାରଣରୁ ଜଳସେଚନ ବିଭାଗ ଏବଂ ଓଡ଼ିଶା ଜଳବିଦ୍ୟୁତ୍ ନିଗମ କର୍ତ୍ତୃପକ୍ଷ ଆଲୋଚନା କରି ଜଳବିଦ୍ୟୁତ୍ କେନ୍ଦ୍ରକୁ ପାଣି ଛାଡ଼ିବା ନିୟନ୍ତ୍ରିତ କରୁଥିବା ଜଣାପଡ଼ିଛି ।
ଏ ସଂପର୍କରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମର ମୁଖ୍ୟ ମହାପ୍ରବନ୍ଧକ ଦେବାଶିଷ ମିଶ୍ରଙ୍କ କହିବା ହେଲା, ବୁର୍ଲା ଜଳବିଦ୍ୟୁତ୍ କେନ୍ଦ୍ରର ୭ ରୁ ୬ଟି ଓ ଚିପିଲିମାର ୩ଟି ଯାକ ୟୁନିଟ୍ ସଚଳ ଅଛି । ବୁର୍ଲାର ଅନ୍ୟ ୟୁନିଟ୍ଟି ବି ଶୀଘ୍ର କାର୍ଯ୍ୟକ୍ଷମ ହୋଇଯିବ । କିନ୍ତୁ ଜଳସେଚନ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏବେ ପାୱାର୍ ଚାନେଲ୍କୁ ଜଳ ନିଷ୍କାସନ ନିୟନ୍ତ୍ରଣ କରାଯାଇଛି । କାରଣ ମୌସୁମୀ ବର୍ଷାରୁ କେବେ ଜଳଭଣ୍ଡାରକୁ ପାଣି ଆସିବ ତାହା ନିର୍ଦ୍ଦିଷ୍ଟ ଭାବେ କହି ହେବ ନାହିଁ । ତେଣୁ ବର୍ତ୍ତମାନ ଜଳସ୍ତର ୬୦୦ ଫୁଟ୍ ଥିବାରୁ କେନାଲ୍ ଖୋଲିବା ପାଇଁ ସେହିସ୍ତର ବଜାୟ ରଖିବା ଜରୁରି । ଯେବେ ତାପଜ ବିଦ୍ୟୁତ୍ ଉତ୍ପାଦନେର ସମସ୍ୟା ଥିଲା ଆମେ ଅଧିକ ବିଜୁଳି ଉତ୍ପାଦନ କରିଥିଲୁ । ଏବେ ତାପଜ କ୍ଷେତ୍ର ସ୍ବାଭାବିକ ହୋଇଛି, ତେଣୁ ଆମର ଉତ୍ପାଦନ ହ୍ରାସ ପାଇଥିଲେ ବି ବିଶେଷ ସମସ୍ୟା ନାହିଁ । ବର୍ଷା ପାଣି ଆସିବା ମାତ୍ରେ ହୀରାକୁଦରୁ ଜଳବିଦ୍ୟୁତ୍ ଉତ୍ପାଦନ ବି ସ୍ବାଭାବିକ ହୋଇଯିବ ବୋଲି ଶ୍ରୀ ମିଶ୍ର ଆଶା ପ୍ରକାଶ କରିଛନ୍ତି ।
