କେନ୍ଦୁଝର : ଥାନାରୁ ନ୍ୟାୟ ନପାଇ ଏସ୍ପି ଅଫିସ ସମ୍ମୁଖରେ ଆଜି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିବା ଘଟଣା କେନ୍ଦୁଝର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀମାନେ ଠିକ୍ ସମୟରେ ଉଦ୍ଧାର କରିବାରୁ ମହିଳାଙ୍କର କୌଣସି କ୍ଷତି ହୋଇନାହିଁ ।
ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝର ସହରର ଜଣେ ନାବାଳିକାକୁ ଟାଉନ ଥାନା ଅନ୍ତର୍ଗତ କାଶୀପୁର ଗ୍ରାମର ପ୍ରକାଶ କୁମାର ଜେନା ଅକ୍ଟୋବର ୨୨ ତାରିଖରେ ଅପହରଣ କରିଥିଲା । ପୁଲିସ ତାଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ପରେ ଜୁନ୍ ୨ ତାରିଖରେ ନାବାଳିକାଙ୍କୁ ସମ୍ପୃକ୍ତ ଯୁବକ ପୁଣି ଅପହରଣ କରିନେଇଛି । ଏନେଇ ନାବାଳିକାଙ୍କ ମା’ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିବାରେ ବିଫଳ ହୋଇଛି ।
ଏ ସମ୍ପର୍କରେ ୬ ତାରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ମହିଳା ଜଣକ ଅଭିଯୋଗ କରିଥିଲେ । ଏହା ସତ୍ତ୍ବେ କୌଣସି ସୁଫଳ ନମିଳିବାରୁ ଆଜି ଏସ୍ପିଙ୍କ ଅଫିସ ସମ୍ମୁଖରେ କିରାସିନି ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଥିବା ମହିଳା ପୁଲିସ ତାଙ୍କୁ ଉଦ୍ଧାର କରିଥିଲେ । ଏ ସମ୍ପର୍କରେ ଏସ୍ପି ମିତ୍ରଭାନୁ ମହାପାତ୍ର କହିଛନ୍ତି, ନାବାଳିକାଙ୍କୁ ପୂର୍ବରୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଥିଲା । ସେଠାରୁ ତାଙ୍କୁ ପରିବାର ଲୋକେ ଘରକୁ ନେଇଥିଲେ । ବର୍ତ୍ତମାନ ଅଭିଯୋଗ ପରେ ନାବାଳିକାଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ ନିଆଯିବା ସହ ଅପହରଣକାରୀ ଯୁବକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି ।
