ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣରେ ଦୁର୍ନୀତି, ବର୍ଷେ ଗଲାନି ପ୍ରଧାନମନ୍ତ୍ରୀ ସଡ଼କ

ଆନନ୍ଦପୁର : ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣରେ ଦୁର୍ନୀତି । ସରାକାରୀ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରି ରାସ୍ତା ନିର୍ମାଣ କରାଯାଉଥିବାରୁ ବର୍ଷକ ମଧ୍ୟରେ ଦୁଇ ଦୁଇ ଥର ମରାମତି ପରେ ମଧ୍ୟ ରାସ୍ତା ଅବସ୍ଥା ବେହାଲ ହୋଇପଡ଼ିଛି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ର ଭଣ୍ଡାରିଡିହା-ବଳରାମପୁର ପ୍ରଧାନମନ୍ତ୍ରୀ ଗ୍ରାମସଡ଼କକୁ ଦେଖିଲେ ଦୁର୍ନୀତିର ଚିତ୍ର ଜଳଜଳ ଦିଶୁଛି । ରାସ୍ତାରେ ଏବେ ଆଣ୍ଠୁଏ ଲେଖାଏଁ ଖାଲ ହୋଇଥିବାରୁ ଯ‌ାତାୟାତରେ ସମସ୍ୟା ହେଉଛି ।

ବଳରାମପୁର ଠାରୁ ଭଣ୍ଡାରିଡିହା ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଉପରେ ପାଞ୍ଚଟି ପଞ୍ଚାୟତର ୨୫ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ନିର୍ଭର କରିଥାନ୍ତି । ଏହି ରାସ୍ତା ନିର୍ମାଣ ପାଇଁ ପୂର୍ବରୁ ବାରମ୍ବାର ଲୋକେ ଦାବି କରିଆସୁଥିଲେ । ୫.୨ କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇ ଦୁଇକୋଟି ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଥିଲା । ୨୦୧୯ ଜୁଲାଇ ୬ ତାରିଖରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିବା ବେଳେ ୨୦୨୦ ଏପ୍ରିଲରେ ସମ୍ପୂର୍ଣ୍ଣ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା । ଠିକାଦାର ବିଭିନ୍ନ ଆଳ ଦେଖାଇ ରାସ୍ତା ନିର୍ମାଣ ଅଧାରୁ ବନ୍ଦ କରିଦେଇଥିଲେ । ୨୦୨୧ ଫେବ୍ରୁଆରିରେ ତରବରିଆ ଭାବେ ରାସ୍ତାରେ ପିଚୁ ପକାଯାଇ ନିର୍ମାଣ ଶେଷ କରାଯାଇଥିଲା । ସପ୍ତାହେ ମଧ୍ୟରେ ଧାଉଁଡ଼ିଡିହା ଗ୍ରାମ ନିକଟରେ ରାସ୍ତାରୁ ପିଚୁ ଉଠିଯିବାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜୁଲାଇ ୨୨ରେ ରାଜ୍ୟ ମାନ ନିର୍ଦ୍ଧାରଣ ଟିମ୍ ରାସ୍ତାର ଯାଞ୍ଚ କରିବା ସମୟରେ ସରକାରଙ୍କ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରାଯାଇ ରାସ୍ତା ନିର୍ମାଣ ହୋଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ବର୍ଷା ଦିନେ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ସୃଷ୍ଟି ହୋଇ ପାଣି ଜମିବାରୁ ଯାତାୟାତରେ ସମସ୍ୟା ‌ହୋଇଥିଲା । ଏନେଇ ଅକ୍ଟୋବର ୭ରେ ଖବର ପ୍ରକାଶ ପାଇବା ପରେ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ରାଉତ ତୁରନ୍ତ ରାସ୍ତା ମରାମତି କରିବାକୁ ନିର୍ଦେଶ ‌ଦେଇଥିଲେ । ଡିସେମ୍ବର ମାସରେ ଠିକାଦାର ରାସ୍ତା ମରାମତି କରିଥିଲେ । ଏବେ ରାସ୍ତାର ଏକାଧିକ ସ୍ଥାନରୁ ପିଚୁ ଉଠିଯାଇ ବିରାଟ ଖାଲ ସୃଷ୍ଟି ହୋଇଛି । ବର୍ଷା ହେଲେ ଖାଲରେ ପଡ଼ି ସାଇକଲ, ବାଇକ୍ ଆରୋହୀମାନେ ଖଣ୍ଡିଆଖାବରା ‌ହେଉଛନ୍ତି । ଆଗାମୀ ଦିନରେ ସମସ୍ୟା ଆହୁରି ବଢ଼ିବ ବୋଲି ଧ‌ାଉଁଡ଼ିଡିହାର ସ୍ବେଚ୍ଛାସେବୀ ବିଶ୍ବଜିତ୍ ବେହେରା କହିଛନ୍ତି । ତୁରନ୍ତ ରାସ୍ତା ମରାମତି କରିବାକୁ ଜନସାଧାରଣ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *