ଯାଜପୁର : ଧାନ ରଖିବା ପାଇଁ ମଣ୍ଡିରେ ସୁବିଧା ନାହିଁ । ଗୋଟିଏ ପଟେ ଚାଷୀ ବିଭିନ୍ନ କାରଣରୁ ଧାନ ବିକି ପାରୁନଥିବାବେଳେ ଅନ୍ୟପଟେ ଯେଉଁମାନେ ବିକ୍ରିପାଇଁ ଆସୁଛନ୍ତି ସେମାନେ ମଣ୍ଡିରେ ଜାଗା ପାଉନାହାନ୍ତି । ଯାଜପୁର ଜିଲ୍ଲାବେଳେ ଏହିଭଳି ଅଜବ ପରିସ୍ଥିତି ଦେଖିବାକୁ ମିଳୁଛି । କେବଳ ନାମକୁ ମାତ୍ର ମଣ୍ଡି ଖୋଲି ଚାଷୀଙ୍କ ଠାରୁ ଧାନ କିଣାଯାଉଥିବାର କାଗଜପତ୍ର ପ୍ରସ୍ତୁତ ହେଉଛି । ଅନେକ ମଣ୍ଡି କେବଳ ୧୦ ଫୁଟ ଲମ୍ବ ଏବଂ ୧୦ ଫୁଟ ଚଉଡ଼ାର ଗୋଟିଏ ବଖରାରେ ଚାଲିଛି । କେବଳ ଯାଜପୁର କାହିଁକି, ବିଭିନ୍ନ ଜିଲ୍ଲାରେ ବି ଏହିଭଳି ସମସ୍ୟା ଥିବ ବୋଲି ଅନୁମାନ କରାଯାଉଛି ।
ଜିଲ୍ଲାର କୋରେଇ ବ୍ଲକ୍ ଅନ୍ତର୍ଗତ ତଳଗଡ଼ ପ୍ୟାକ୍ସକୁ ଉଦାହରଣ ଭାବେ ନିଆଯାଇପାରେ । ଏଠାରେ ଏକବଖରିଆ କ୍ୟାବିନ୍ରେ ମଣ୍ଡି ଚାଲିଛି । ଏହି ମଣ୍ଡିରେ ଦଣ୍ଡି ଲାଗିନଥିବା ବେଳେ ଧାନ ବୋଝେଇ ଟ୍ରାକ୍ଟରଟିଏ ଯିବା ମଧ୍ୟ କଷ୍ଟକର । ତେଣୁ ମଣ୍ଡି ଦାୟିତ୍ବରେ ଥିବା କର୍ମଚାରୀ ଏଠାରେ କେବଳ କାଗଜପତ୍ର ପ୍ରସ୍ତୁତ କରନ୍ତି । ଧାନ ଓଜନ, ମାନ ପରୀକ୍ଷା ସବୁ ଏହି ମଣ୍ଡି ସହ ଅନୁବନ୍ଧିତ ମିଲ୍ରେ ହୁଏ । ଚାଷୀମାନେ ଗାଡ଼ିରେ ଧାନ ନେଇ ସିଧା ମିଲ୍ରେ ପହଞ୍ଚନ୍ତି । କଟ୍ନି ଛଟ୍ନି ମିଲ୍ରେ କରାଯିବା ପରେ ବିକ୍ରି ଧାନର ପରିମାଣ ଚାଷୀଙ୍କୁ ଜଣାଇ ଦିଆଯାଏ । ଏଥିସହ ମିଲରଙ୍କ ଦଲାଲ ଜରିଆରେ ଯେଉଁ ଧାନ କିଣାଯାଇଥାଏ ସେ ସଂପର୍କରେ ମଧ୍ୟ କାଗଜପତ୍ର ପ୍ରସ୍ତୁତ କରିବାରେ କିଛି ଅସୁବିଧା ନଥାଏ ।
୨୦୨୧-୨୨ ବର୍ଷରେ ଯାଜପୁର ଜିଲ୍ଲାରେ ୧୫୧ ମଣ୍ଡି ଖୋଲାଯାଇଥିଲା । ଧାନକିଣା ସଂପର୍କରେ ଯେଉଁ ହାତଗଣତି ମଣ୍ଡିରେ ତଦନ୍ତ ହୋଇଥିଲା ସବୁଠି କେଳେଙ୍କାରୀ ହୋଇଥିବା ପଦାକୁ ଆସିଥିଲା । ମଣ୍ଡିରେ ଧାନ ମହଜୁଦ୍ ନଥିଲେ ମଧ୍ୟ ଭେଣ୍ଡର ରସିଦ କଟାଯାଇଥିଲା । ଚାଷୀଙ୍କ ଠାରୁ କିଣାଯାଇଥିବା ୮୫ ପ୍ରତିଶତ ଧାନ ପ୍ୟାକ୍ସକୁ ନଆସି କେବଳ କାଗଜପତ୍ର ପ୍ରସ୍ତୁତ ହୋଇଥିଲା । ସମବାୟ ବିଭାଗ କିମ୍ବା ଯୋଗାଣ ବିଭାଗ ତରଫରୁ ପ୍ୟାକ୍ସଗୁଡ଼ିକର ଧାନକିଣା ନେଇ ଜମାରୁ ଅନୁଧ୍ୟାନ କରାଯାଉ ନଥିବା ତଦନ୍ତ ବେଳେ ସ୍ପଷ୍ଟ ହୋଇଛି । ଏହି ତଦନ୍ତ ବେଳେ ସମସ୍ତ ୧୧ଟି ମଣ୍ଡିରେ ବ୍ୟାପକ ଅନିୟମିତତା ହୋଇଥିବା ନଜରକୁ ଆସିଛି ।
