କଟକ : ସେନାବାହିନୀରେ ୪ ବର୍ଷିଆ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ନେଇ ସମଗ୍ର ଦେଶରେ ଦେଖାଦେଇଥିବା ଅସନ୍ତୋଷର ନିଆଁ ଆଜି ଓଡ଼ିଶାକୁ ବ୍ୟାପିଛି । ଅଗ୍ନିପଥ ଯୋଜନାକୁ କଟକରେ ବିରୋଧ କରି ଶହ ଶହ ସଂଖ୍ୟାରେ ଯୁବକ ରାସ୍ତାକୁ ଓହ୍ଲାଇଛନ୍ତି ।
କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଯୁବକମାନେ କଟକରେ ଏକାଠି ହୋଇ ଏହାକୁ ବିରୋଧ କରିଥିଲେ । ବାରବାଟୀ ଷ୍ଟାଡିୟମ ନିକଟସ୍ଥ ଆର୍ମି ରିକ୍ରୁଟମେଣ୍ଟ୍ ଅଫିସ ନିକଟରେ ଏହି ଯୁବକମାନେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହାତରେ ଠେଙ୍ଗାବାଡ଼ି ଧରି ବିକ୍ଷୋଭ କରିଥିଲେ । ଆର୍ମି ରିକ୍ରୁଟମେଣ୍ଟ୍ ଅଫିସ୍ ଫାଟକକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଏପରିକି କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ମଧ୍ୟ କରିଥିଲେ । ପୁଲିସ ସେଠାରୁ ସେମାନଙ୍କୁ ଘଉଡ଼ାଇ ଦେବାପରେ ଯୁବକମାନେ ଗଡ଼ଗଡିଆ ମନ୍ଦିର ନିକଟସ୍ଥ ରିଂବନ୍ଧ ନିକଟରେ ଏକାଠି ହୋଇ ରାସ୍ତା ଅବରୋଧ କରିଥିଲେ ।
