ସମ୍ବଲପୁର : ସରିନି କେନାଲ ନବୀକରଣ କାମ । ଏଭଳି ସ୍ଥିତିରେ ଏଥର ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡ଼ିବାରେ ବଳିମ୍ବ ହେବ ବୋଲି ଜଣାପଡ଼ିଛି । ରାଜ୍ୟ ସରକାର ଚାଷୀମାନଙ୍କ ଦାବିକୁ ଗୁରୁତ୍ବ ଦେବା ସହିତ ହୀରାକୁଦ ଜଳଭଣ୍ଡାର କେନାଲ ବ୍ୟବସ୍ଥାକୁ ସୁଦୃଢ଼ କରିବା ବ୍ୟାପକ ପଦକ୍ଷେପ ନେଇଛନ୍ତି । ବରଗଡ଼ ମୁଖ୍ୟ କେନାଲ ଏବଂ ଶାସନ ମୁଖ୍ୟ କେନାଲ ସହିତ ଏଥିରୁ ବାହାରିଥିବା ଶାଖା କେନାଲଗୁଡ଼ିକର ନବୀକରଣ ପାଇଁ ପ୍ରାୟ ୩୧୬.୫୨ କୋଟି ଅର୍ଥ ମଂଜୁର ହୋଇଛି । ନିକଟରେ ବରଗଡ଼ ମୁଖ୍ୟ କେନାଲ ନିମନ୍ତେ ୧୭୮.୧୨ କୋଟି ଟଙ୍କା କ୍ୟାବିନେଟ୍ ଅନୁମୋଦନ ଲାଭ କରିଥିଲେହେଁ କାମ ଆରମ୍ଭ ହୋଇପାରିନାହିଁ ।
ତେବେ, ବରଗଡ଼ ମୁଖ୍ୟ କେନାଲରୁ ବାହାରିଥିବା ଡୁଙ୍ଗୁରିପାଲି ମାଇନର୍ କେନାଲ ୧୯.୨୪ କୋଟି, କୁଇବାହାଲ-ମହଦା ମାଇନର୍ କେନାଲ ୯.୪୩ କୋଟି ଟଙ୍କା ବ୍ୟୟରେ କଂକ୍ରିଟକରଣ(କଂକ୍ରିଟ ଲାଇନିଂ) କାମ ହେଉଛି । ଡୁଙ୍ଗୁରିପାଲି ମାଇନର୍ କେନାଲ ଏଚ୍ଏମ୍ କନ୍ଷ୍ଟ୍ରକ୍ଟସନ୍ ଏବଂ କୁଇବାହାଲ-ମହଦା ମାଇନର୍ କେନାଲ କଂକ୍ରିଟକରଣ କାମ ଶିବଜ୍ୟୋତି କନ୍ପ୍ରୋ ପ୍ରାଇଭେଟ୍ ଲିମିଟିଡ୍ କରୁଛି । ସେହିପରି ବହୁ ପ୍ରତୀକ୍ଷିତ ଶାସନ କେନାଲ କଂକ୍ରିଟ୍କରଣ କାମ ପାଇଁ ୬୩ .୦୪ କୋଟି ଟଙ୍କା ବ୍ୟୟରେ କାମ ହେଉଛି । ଶାସନ କେନାଲ ମୁହାଣରୁ ୧୫ କିଲୋମିଟର ପର୍ଯ୍ୟନ୍ତ କଂକ୍ରିଟକରଣ କାମ ଆରମ୍ଭ ହେବାକୁ ଥିବାବେଳେ ଏହି ଋତୁରେ ୪ କିଲୋମିଟର ପର୍ଯ୍ୟନ୍ତ କଂକ୍ରିଟ୍କରଣ କରାଯିବାର ଲକ୍ଷ୍ୟ ରହିଛି । ପ୍ରତିବର୍ଷ ଜୁନ୍ ୧୬/୧୭ ତାରିଖ ଦିନ ହୀରାକୁଦ ଜଳଭଣ୍ଡାରରୁ ଚାଷ କାମ ପାଇଁ କେନାଲଗୁଡ଼ିକରେ ପାଣି ଛଡ଼ାଯାଇଥାଏ । ମାତ୍ର, ଚଳିତ କେନାଲ କଂକ୍ରିଟ୍କରଣ କାମ ଯୋଗୁ ଏହା ବିଳମ୍ବ ହେବ ବୋଲି ଜଣାପଡ଼ିଛି ।
ଏ ସଂକ୍ରାନ୍ତରେ ଅପର୍ ମହାନଦୀ ବେସିନ୍ର ବେସିନ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କହିଲେ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କେନାଲ କଂକ୍ରିଟ୍କରଣ କାମ କରିବାକୁ ଅନୁମତି ଦିଆଯାଇଛି । ତେବେ, ପାଣିପାଗକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ଉଲ୍ଲେଖଯୋଗ୍ୟ ଯେ ପର୍ଯ୍ୟାୟକ୍ରମେ କେନାଲର ଶଯ୍ୟା ସହିତ ଉଭୟ ପାର୍ଶ୍ବ ହିଡ଼ର କଂକ୍ରିଟକରଣ କରାଯିବାର ଯୋଜନା ରହିଛି । କଂକ୍ରିଟକରଣ ହେଲେ କେନାଲ ହିଡ଼ ସୁରକ୍ଷିତ ରହିବା ସହିତ ପାଣି ବି ଆଗ ଭଳି ନଷ୍ଟ ହେବନାହିଁ । କେନାଲ ଶଯ୍ୟାରେ ଏକ ପ୍ରକାର ଘାସ ବଢ଼ିଥାଏ । ଏହା ଦ୍ବାରା କେନାଲରେ ଜଳ ପ୍ରବାହରେ ସମସ୍ୟା ସୃଷ୍ଟି ହୋଇଥାଏ । ପୂର୍ଣ୍ଣ କ୍ଷମତା ଅନୁଯାୟୀ ପାଣି ଛଡ଼ାଯିବା ସମୟରେ ଅନେକ ଥର କେନାଲର ହିଡ଼ ବି ଭାଙ୍ଗିଛି । କେନାଲର ଶଯ୍ୟା ଓ ହିଡ଼ ପାର୍ଶ୍ବ କଂକ୍ରିଟକରଣ ହେବା ପରେ ସେହି ଭୟ କମିଯିବ । କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚୁ ନଥିବାରୁ ଚାଷୀମାନଙ୍କ ଯେଉଁ ଫସଲ ହାନି ହେଉଥିଲା, ଏବେ ସେହି ସମସ୍ୟା ଦୂର ହୋଇଯିବ ବୋଲି କୁହାଯାଉଛି ।
