ଅନୁଗୁଳରେ ବଢ଼ୁଛି ବାଲ୍ୟ ବିବାହ, ପ୍ରତି ଶହେଟି ନାବାଳିକାଙ୍କ ମଧ୍ୟରେ ୨୫ ଜଣ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି

ଅନୁଗୁଳ : ଅନୁଗୁଳ ଜିଲ୍ଲାର ବାଲ୍ୟ ବିବାହ ସ୍ଥିତି ଅତି ସାଙ୍ଘାତିକ । ପ୍ରତି ଶହେଟି ନାବାଳିକାଙ୍କ ମଧ୍ୟରେ ୨୫ ଜଣ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ୧୮ ବର୍ଷ ହେବା ପୂର୍ବରୁ କେଉଁଠି ଜାଣିଶୁଣି ପରିବାର ଲୋକେ ନିଜ ନାବାଳିକା ଝିଅ ହାତରେ ହାତଗଣ୍ଠି ଭିଡି ଦେଉଛନ୍ତି ତ, ଆଉ କେଉଁଠି ବୟସ ହେବା ପୂର୍ବରୁ କାହା ସାଥୀରେ ନାବାଳିକା ଝିଅ ଘର ଛାଡ଼ି ପଳାଉଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିକଟରେ କରିଥିବା ସର୍ଭେରୁ ଏଭଳି ଚମକାଇଲା ଦେଲା ଭଳି ତଥ୍ୟ ପଦାକୁ ଆସିଛି । ଅନୁଗୁଳର ସ୍ଥିତି ରାଜ୍ୟ ହାରଠୁ ବି ଅଧିକ ହେବା ଜିଲ୍ଲାର ଜଟିଳ ସ୍ଥିତିକୁ କେବଳ ସୂଚାଇ ଦେଉ ନାହିଁ, ବରଂ ସମାଜ ପାଇଁ ଏକ ସତର୍କ ଘଣ୍ଟି ସଦୃଶ ହୋଇଛି । ବାଲ୍ୟ ବିବାହ ଉପରେ ଅଙ୍କୁଶ ନ ଲାଗିଲେ ଆଗାମୀ ବଂଶଧରଙ୍କ ପାଇଁ ବଡ଼ ବିପଦ ତିଆରି କରିବ ଏ ରିପୋର୍ଟ ସୂଚାଇ ଦେଉଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସ୍‌ନାଲ୍‌ ଫାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌-୫) କରାଯାଇଥିଲା । ୨୦୧୯ ମସିହାରୁ ୨୦୨୧ ମସିହାର ତଥ୍ୟ ନେଇ ଏ ସର୍ଭେ ରିପୋର୍ଟ ତିଆରି କରାଯାଇଛି । ଯେଉଁଥିରେ ବାଲ୍ୟ ବିବାହ, ବାଲ୍ୟ ଗର୍ଭବତୀ ମହିଳା ଏବଂ ବାଲ୍ୟ ପ୍ରସୂତିଙ୍କ ବିଷୟରେ ତଥ୍ୟ ଯୋଗାଡ଼ କରାଯାଇଛି । ରିପୋର୍ଟ କହୁଛି, ଅନୁଗୁଳ ଜିଲ୍ଲାର ୨୫ ପ୍ରତିଶତ ମହିଳା ଏମିତି ଅଛନ୍ତି, ଯେଉଁମାନେ ୧୮ ବର୍ଷ ପୂର୍ବରୁ ବାହାଘର ହୋଇଛନ୍ତି । ଯେଉଁମାନଙ୍କର ବର୍ତ୍ତମାନ ବୟସ ୨୦-୨୪ ବର୍ଷ ରହିଛି । ୨୦୧୫-୧୬ ମସିହାରେ ହୋଇଥିବା ନ୍ୟାସ୍‌ନାଲ୍‌ ଫାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌-୪)ରେ ଏ ସଂଖ୍ୟା ଆହୁରି କମ୍‌ ଥିଲା । ୫ ବର୍ଷ ତଳେ ବାଲ୍ୟ ବିବାହ ସଂଖ୍ୟା ୨୨ ପ୍ରତିଶତକୁ ଖସିଥିଲା ।

ଅନୁଗୁଳ ସହିତ ଓଡ଼ିଶାର ଚିତ୍ର ତୁଳନା କଲେ ଜିଲ୍ଲାର ସ୍ଥିତି ଯେ ଅଧିକ ବିଗିଡ଼ିଛି, ତାହା ଜଳଜଳ ଦିଶୁଛି । ୨୦୧୫-୧୬ ସର୍ଭେରେ ରାଜ୍ୟରେ ବାଲ୍ୟ ବିବାହ ୨୧.୩ ପ୍ରତିଶତ ଥିଲା । ୨୦୧୯-୨୧ ସର୍ଭେରେ ଏ ସଂଖ୍ୟା ୨୦.୫ ପ୍ରତିଶତକୁ ଖସିଥିବା ବେଳେ ଗତ ୫ ବର୍ଷରେ ଅନୁଗୁଳ ଭଳି ଶିଳ୍ପ ସମୃଦ୍ଧ ଇଲାକାରେ ତିନି ପ୍ରତିଶତ ବାଲ୍ୟ ବିବାହ ବୃଦ୍ଧି ବଡ଼ ଚିନ୍ତାଜନକ ସ୍ଥିତି ତିଆରି କରିଛି ।

ସର୍ଭେ ସମୟରେ କେତେ ଜଣ ନାବାଳିକା ଗର୍ଭବତୀ ହୋଇଥିଲେ କିମ୍ବା ଶିଶୁ ପ୍ରସବ କରାଇଥିଲେ ? ସେନେଇ ସର୍ଭେ ହୋଇଥିଲା । ତା’ର ତଥ୍ୟ ମଧ୍ୟ ବେଶ୍‌ ଚିନ୍ତାଜନକ । ତଥ୍ୟ ମୁତାବକ, ୨୦୧୫-୧୬ରେ ରାଜ୍ୟରେ ନାବାଳିକା ଗର୍ଭବତୀ କିମ୍ବା ପ୍ରସୂତିଙ୍କ ସଂଖ୍ୟା ୭.୬ ପ୍ରତିଶତ ଥିଲା । ୨୦୧୯-୨୧ ସର୍ଭେରେ ବି ଅନୁରୂପ ନାବାଳିକା ଗର୍ଭବତୀ କିମ୍ବା ପ୍ରସୂତିଙ୍କ ସଂଖ୍ୟା ସ୍ଥିର ରହିଛି । କିନ୍ତୁ, ଗଲା ୫ ବର୍ଷ ମଧ୍ୟରେ ଅନୁଗୁଳରେ ନାବାଳିକା ଗର୍ଭବତୀ ଏବଂ ନାବାଳିକା ପ୍ରସୂତିଙ୍କ ସଂଖ୍ୟା ବଢ଼ିଛି । ୨୦୧୫-୧୬ ସର୍ଭେରେ ଏମାନଙ୍କ ସଂଖ୍ୟା ୯.୯ ପ୍ରତିଶତ ଥିଲା । କିନ୍ତୁ, ୨୦୧୯-୨୧ ସର୍ଭେରେ ୧୫-୧୯ ବର୍ଷ ବୟସର ୧୨.୨ ପ୍ରତିଶତ ଝିଅ ଗର୍ଭବତୀ ଅଥବା ମା’ ହୋଇଥିବା ସର୍ଭେ ତଥ୍ୟ ସ୍ପଷ୍ଟ କରୁଛି । ଅର୍ଥାତ୍‌ ଗତ ୫ ବର୍ଷ ମଧ୍ୟରେ ଏ ସଂଖ୍ୟା ବି ତିନି ପ୍ରତିଶତ ବୃଦ୍ଧି ପାଇଛି । ସର୍ଭେ ରିପୋର୍ଟକୁ ବେଶ୍ ଗୁରୁତର ସହିତ ଗ୍ରହଣ କରାଯାଇଛି । ତେଣୁ, ରାଜ୍ୟ ସରକାର, ୟୁନିସେଫ୍‌ ଏବଂ ଆକ୍ସନଏଡ୍ ଅନୁଷ୍ଠାନ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ବିଭାଗ ପକ୍ଷରୁ ଅନୁଗୁଳ ଜିଲ୍ଲାରେ ସ୍ବତନ୍ତ୍ର ମାନବ ସମ୍ବଳ ଦେଇ ବାଲ୍ୟ ବିବାହକୁ ରୋକିବାକୁ ଉଦ୍ୟମ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *