ରାଜ୍ୟରେ ମୌସୁମୀ ସକ୍ରିୟ, ଜୁନ ୨୦ ପରେ ବଢିବ ବର୍ଷା

ଭୁବନେଶ୍ୱର : ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରବେଶ କରିଛି । ଏହାବାଦ୍‌ ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଆଂଶିକ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏହି ଦାବି କରିଛି ।

ଆଇଏମ୍‌ଡି ଆକଳନ କରିଛି, ପାଗ ଅନୁକୂଳ ଥିବାରୁ ଆସନ୍ତା ୨-୩ ଦିନ ଭିତରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ମାଡ଼ିପାରେ ମୌସୁମୀ । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକୁ ମୌସୁମୀ ଆଗେଇବ । ବହୁପ୍ରତୀକ୍ଷିତ ମୌସୁମୀ ଏଥର ବିଳମ୍ବରେ ଓଡ଼ିଶା ଆସିଛି । ମୌସୁମୀ ପ୍ରବେଶ ପରେ ବି ପାଗ ବଦଳିଥିଲେ ବି ବର୍ଷା ସେଭଳି ନାହିଁ । ହେଲେ ପାଗ ବଦଳିଥିବାରୁ ପାରଦ ଖସିଛି । ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ରାଜ୍ୟତମାମ ତାପମାତ୍ରା ୩୯ ଡିଗ୍ରୀ ତଳେ ରହିଛି । ମାଲକାନଗିରି ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଥିବାବେଳେ କୋରାପୁଟ ୩୩.୫, ନବରଙ୍ଗପୁରରେ ୩୨ ଡିଗ୍ରୀ ରେକର୍ଡ ହୋଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି, ବର୍ଷା ବଢ଼ିଛି । ବର୍ତ୍ତମାନ ରାଜ୍ୟରେ ୭.୨ ମିଲିମିଟର ସ୍ୱାଭାବିକ ବର୍ଷା ହେବା କଥା, ମାତ୍ର ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯.୯ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକଠୁ ୩୯ ପ୍ରତିଶତ ଅଧିକ । ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା ପ୍ରାୟ ନଥିଲା । ନିଅଣ୍ଟିଆ ବର୍ଷା ସ୍ଥିତି ଦେଖା ଦେଇଥିଲା । ଜୁନ୍‌ ୧ ରୁ ୧୫ ତାରିଖ ମଧ୍ୟରେ ୭୩% ନିଅଣ୍ଟିଆ ବର୍ଷା ଭଳି ପରିସ୍ଥିତି ଥିଲା । ଏହା କମି ୬୪% ଆସିଛି । ଆଗକୁ ନିଅଣ୍ଟିଆ ବର୍ଷା ସ୍ଥିତି ସୁଧୁରିବ ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଏବେ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୨୩ କିମ୍ବା ୨୪ ତାରିଖ ବେଳକୁ ରାଜ୍ୟରେ ବଡ଼ ବର୍ଷା ହୋଇପାରେ । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ତା’ର ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଅଧିକ ବର୍ଷା ହେବ । ୨୦-୨୧ ତାରିଖ ବେଳକୁ ଏହାର ପ୍ରଭାବ ଅନୁଭୂତ ହେବ ।

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ସପ୍ତାହ ଭିତରେ ରାଜ୍ୟରେ ବିସ୍ତୃତ କିମ୍ବା ପ୍ରବଳ ବର୍ଷା ସମ୍ଭାବନା ନାହିଁ । ଅଧିକାଂଶ ସ୍ଥାନରେ ୩ ରୁ ୪ ଦିନ ସ୍ୱଳ୍ପ (୧୫ ମିମି ପର୍ଯ୍ୟନ୍ତ) କିମ୍ବା ମଧ୍ୟମ (୩୫ ମିମି ପର୍ଯ୍ୟନ୍ତ) ବର୍ଷା ହେବ । ସପ୍ତାହରେ ସମୁଦାୟ ବର୍ଷା ଭୁବନେଶ୍ୱର ସମେତ ଉପକୂଳରେ ହାରାହାରି ୪୦ ମିମି, ଆଭ୍ୟନ୍ତରୀଣରେ ୬୦ ମିମି ଓ ଉତ୍ତର ପଶ୍ଚିମରେ ୮୦ ମିମି ହୋଇପାରେ ।

ଆସନ୍ତା ୨୦ ତାରିଖରେ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୨୦ ରୁ ୨୩ ତାରିଖ ଅନେକ ସ୍ଥାନରେ ବିଶେଷ କରି ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ଜୁନ୍‌ ଶେଷ ସପ୍ତାହରେ ବର୍ଷା ବଢ଼ିବ । କିନ୍ତୁ, ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଲଘୁଚାପର ସଙ୍କେତ ମିଳୁନାହିଁ ।

ଅନୁମାନ କରାଯାଉଛି, ଜୁନ ଓ ଜୁଲାଇରେ ବର୍ଷା ନିଅଣ୍ଟିଆ ରହିପାରେ । ଜୁଲାଇ ମାସରେ ଓ ସମ୍ଭବତଃ ଅଗଷ୍ଟର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ବର୍ଷା ୪୦% ନିଅଣ୍ଟିଆ ରହିପାରେ । ଜୁନ୍‌ ମାସରେ ୩୦% ରୁ ଅଧିକ ନିଅଣ୍ଟିଆ ରହିପାରେ ବର୍ଷା ପରିମାଣ । ହେଲେ ଅକ୍ଟୋବର, ନଭେମ୍ବରରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ପ୍ରଫେସର ପଶୁପାଳକ କହିଛନ୍ତି, ବର୍ତ୍ତମାନ ଚାଷୀମାନେ ବୁଣାବୁଣି ଓ ତଳି ପକା କାମ ଆରମ୍ଭ କରିଦେବା ଉଚିତ । ପାଟ ଜମିରେ ପ୍ରଥମେ ବୁଣନ୍ତୁ । ତା’ପରେ ଧାନ ଧାନ ତଳି ପକାନ୍ତୁ । ବର୍ଷା କମିବା ସମ୍ଭାବନା ଥିବାରୁ ଅଣଧାନ ଫସଲକୁ ଗୁରୁତ୍ୱ ଦେବା ଉଚିତ ।

ଶୁକ୍ରବାର ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି ।

Leave a Reply

Your email address will not be published. Required fields are marked *