ଗୋଟିଏ ପଞ୍ଚାୟତରେ ମାସକ ମଧ୍ୟରେ ୧୧ ଜଣ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ସହାୟତା ଅର୍ଥ ଲୁଟ୍‌

ରାଜନଗର : ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ସରକାରୀ ଅର୍ଥ ଲୁଟ୍‌ ଘଟଣାର ପେଡ଼ି ଖୋଲିବାରେ ଲାଗିଛି । ଜଣେ କି ଦୁଇଜଣ ନୁହେଁ, ଗୋଟିଏ ପଞ୍ଚାୟତରେ ମାସକ ମଧ୍ୟରେ ୧୧ ଜଣ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ସହାୟତା ଅର୍ଥ ଉଠାଇ ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ୱେବ୍‌ସାଇଟ୍‌ରୁ ଏହି ତଥ୍ୟ ଜଣାପଡ଼ିବା ପରେ ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି । ପୀଡ଼ିତ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଏହି ୧୧ ଜଣଙ୍କ ମଧ୍ୟରୁ ଗୋଟିଏ ପରିବାରର ମୁଖିଆଙ୍କୁ କାଗଜକଲମରେ ମାରି ହରିଶ୍ଚନ୍ଦ୍ର ସହାୟତା ଉଠାଇବାର ୧୪ ଦିନ ପରେ ତାଙ୍କ ପୁଅକୁ ବି ମାରି ଦିଆଯାଇଛି । ଏପରି କାଣ୍ତ କରିଥିବା ଅଧିକାରୀ ଓ ପଞ୍ଚାୟତ ପ୍ରତିନିଧିଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି ।

ସୂଚନା ଅନୁସାରେ, କୁରୁଣ୍ଟି ପଞ୍ଚାୟତ ଚକ୍ରଧରପୁର ଗାଁର ଅଲେଖ ବେହେରାଙ୍କୁ ମେ ମାସ ୬ ତାରିଖ ଦିନ ମୃତ ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ହରିଶ୍ଚନ୍ଦ୍ର ସହାୟତା ବାବଦ ୨ ହଜାର ଟଙ୍କା ଅଲେଖଙ୍କ ସାନପୁଅ ଅଗ୍ରଜଙ୍କୁ ପ୍ରଦାନ କରାଯାଇଛି । ଏହାର ୧୪ ଦିନ ପରେ, ଅର୍ଥାତ୍‌ ମେ ୨୦ ତାରିଖରେ ଅଲେଖଙ୍କ ବଡ଼ପୁଅ ଚନ୍ଦ୍ରମଣି ବେହେରାଙ୍କୁ ସରକାରୀ ୱେବ୍‌ସାଇଟ୍‌ରେ ମୃତ ଦର୍ଶାଯାଇଛି । ଚନ୍ଦ୍ରମଣିଙ୍କ ପୁଅ ପଞ୍ଚାନନ ସରକାରୀ ଅଧିକାରୀ/ସରପଞ୍ଚଙ୍କ ଠାରୁ ୨ ହଜାର ଟଙ୍କା ଗ୍ରହଣ କରିଛନ୍ତି ବୋଲି ଦର୍ଶାଯାଇଛି । ମାତ୍ର ଅଲେଖ ବେହେରା ଓ ତାଙ୍କ ପୁଅ ଚନ୍ଦ୍ରମଣି ଜୀବିତ ଅଛନ୍ତି । ସରକାରୀ ୱେବ୍‌ସାଇଟ୍‌ରେ ଏଭଳି ତଥ୍ୟକୁ ନେଇ ଅଲେଖ ଓ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେମାନେ ବଞ୍ଚିଥିବା ବେଳେ କିପରି ସରପଞ୍ଚ କିମ୍ବା ପଞ୍ଚା‌ୟତ ନିର୍ବାହୀ ଅଧିକାରୀ ସେମାନଙ୍କ ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ପ୍ରଦାନ କଲେ ଓ ଏ ନେଇ ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଗଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସରକାରୀ ନିୟମ ମୁତାବକ, ଗରିବ ପରିବାରର କେହି ସଦସ୍ୟଙ୍କ ମୃତ୍ୟୁ ଘଟିଲେ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ମୃତ ବ୍ୟକ୍ତିର ଶବ ସତ୍କାର ପାଇଁ ପରିବାର ସଦସ୍ୟଙ୍କୁ ୨ ହଜାର ଟଙ୍କା ଯୋଗାଇ ଦେଇଥା’ନ୍ତି । ମୃତ୍ୟୁର ୧୫ ଦିନ ମଧ୍ୟରେ ମୃତକଙ୍କ ସଂପର୍କିତ ତଥ୍ୟ ୱେବ୍‌ସାଇଟ୍‌ରେ ପଂଚାୟତ ନିର୍ବାହୀ ଅଧିକାରୀ ଦରଜ କରିଥାନ୍ତି । ଏହାର ୧୫ ଦିନ ମଧ୍ୟରେ ପଂଚାୟତ ପକ୍ଷରୁ ୱେବ୍‌ସାଇଟ୍‌ରେ ଦିଆଯାଇଥିବା ମୃତବ୍ୟକ୍ତିର ତଥ୍ୟକୁ ବିଡିଓ ଅଥରାଇଜେସନ୍‌ କରିବାପରେ ସରକାର ପଞ୍ଚାୟତ ଆକାଉଣ୍ଟକୁ ଟଙ୍କା ଦେଇଥା’ନ୍ତି । ଏପରି ସ୍ଥଳେ ୧୧ ଜଣ ଲୋକ ଜୀବିତ ଥିବାବେଳେ ସେମାନଙ୍କୁ କିପରି ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମୃତ ବୋଲି ଦର୍ଶାଇ ହରିଶ୍ଚନ୍ଦ୍ର ସହାୟତା ରାଶି ଲୁଟିନେଲେ ତାହାକୁ ନେଇ ସମଗ୍ର ପଞ୍ଚାୟତରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *