ବଣାଇ : ଵଣାଇ ବ୍ଲକ୍ କେନ୍ଦ୍ରିକଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଲେଖପୁର ଏବଂ ବଣ୍ଡଡିହି ଗ୍ରାମରେ ବସବାସ କରୁଥିବା ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ବିଭିନ୍ନ ସମସ୍ୟା ଓ ଯିବା ଆସିବା କରିବା ପାଇଁ ହେଉଥିବା କଷ୍ଟକୁ ସ୍ଥାନୀୟ ସରପଞ୍ଚ ଉଗ୍ରସେନ କିସାନଙ୍କ ନଜରକୁ ଆସିବାପରେ ଦୁଇ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ସେ ଵଣାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀକୁ ଅବଗତ କରାଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସ୍ବଦୀପ ଟପ୍ପୋ ବ୍ୟକ୍ତି ଦ୍ବୟଙ୍କ କଷ୍ଟକୁ ଉପଲବ୍ଧି କରି ସଙ୍ଗେ ସଙ୍ଗେ ଦୁଇ ଭିନ୍ନକ୍ଷମ ଅଲେଖପୁର ଗ୍ରାମର ଟିକେଶର କିସାନ ଏବଂ ବଣ୍ଡଡିହି ଗ୍ରାମର ବିରେନ୍ଦ୍ର ସାହୁକୁ ନିଜ କାର୍ଯ୍ୟାଳୟକୁ ଡ଼ାକି ତିନି ଚକିଆ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ । ସରକାରଙ୍କ ଯୋଜନା ମାଧ୍ୟମରେ ଭିନ୍ନକ୍ଷମଙ୍କ କଲ୍ୟାଣ ନିମନ୍ତେ ଅନେକ ଯୋଜନା ରହିଥିବା ବେଳେ, ସେମାନଙ୍କୁ ଚିହ୍ନଟ କରି ସମସ୍ତ ସୁବିଧା ସୁଯୋଗ ଦେବା ପାଇଁ ଉପସ୍ଥିତ ସରପଞ୍ଚଙ୍କୁ ଅନୁରୋଧ କରିଥିଲେ । ସରପଞ୍ଚଙ୍କ ତୁରନ୍ତ ପଦକ୍ଷେପକୁ ପଞ୍ଚାୟତରେ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
