ଚାଷୀଙ୍କ ନାଁରେ ଖାଇଗଲେ ୧୫ ଲକ୍ଷର ଫସଲ ବୀମା

ବାରିପଦା : ଫସଲବୀମା ବାବଦରେ ମୟୂରଭଞ୍ଜ ଜିଲ୍ଲାର ୨ ହଜାର ୧୨୩ ଜଣ ଚାଷୀଙ୍କ ନାଁରେ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହରିଲୁଟ୍ ହୋଇଥିବା ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ଏ ବାବଦରେ ଅବଗତ ଥିଲେ ସୁଦ୍ଧା ଏହାକୁ ଗୁରୁତ୍ବ ଦେଉନଥିବା ଓ ନାମକୁ ମାତ୍ର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଅଡିଟ୍ ଟିମ୍‌ର ଜଣେ ଅଧିକାରୀ କହିଛନ୍ତି । ଚାଷୀ ତାଲିକାରେ ନିଜ ନାଁ ଉଠାଇ କିଛି ସରକାରୀ କର୍ମଚାରୀ, ତଳିଆ ପୁଲିସ କର୍ମଚାରୀ ଓ ଗାଁର କୁଜିନେତା ଫସଲ ବୀମା ଟଙ୍କା ହାତେଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ବାତ୍ୟାବନ୍ୟା କିମ୍ବା ମରୁଡ଼ି; ପ୍ରାକୃତିକ ବିପର୍ଯ୍ୟୟଜନିତ କାରଣରୁ ଫସଲ ନଷ୍ଟ ହେଲେ ଚାଷୀଙ୍କୁ ଫସଲବୀମା ଯୋଜନାରେ ସହାୟତା ରାଶି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରାକୃତିକ ଦୁର୍ବିପାକରେ ୧୦୦ ପ୍ରତିଶତ ଫସଲ ନଷ୍ଟ ହେଲେ ହେକ୍ଟର ପିଛା ୬୭ ହଜାର ଓ ୫୦ ପ୍ରତିଶତ ନଷ୍ଟ ହେଲେ ହେକ୍ଟର ପିଛା ୨୫ ହଜାର ଟଙ୍କା ମିଳିବ । ଏହି ଅର୍ଥ କେବଳ ଜମି ମାଲିକ (ଚାଷୀ)ଙ୍କୁ ମିଳିବ ବୋଲି ନିୟମ ରହିଛି । ଜମିହୀନ ଓ ଭାଗଚାଷୀଙ୍କ ପାଇଁ ସହାୟତାର କୌଣସି ବ୍ୟବସ୍ଥା ନାହିଁ । ଫସଲବୀମା ବାବଦରେ ଚାଷୀଙ୍କୁ ହେକ୍ଟର ପିଛା ୧ ହଜାର ଟଙ୍କା ପ୍ରିମିୟମ୍‌ ଜମା କରିବାକୁ ପଡ଼ିବ । ଏଥିପାଇଁ ବ୍ୟାଙ୍କ ଖାତା ଓ ଆଧାର କାର୍ଡ ଲିଙ୍କ୍ ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରିବାକୁ ପଡ଼ିଥାଏ । ତେବେ ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାରେ ଫସଲବୀମା ସଂକ୍ରାନ୍ତରେ ଅଧିକାଂଶ ଚାଷୀ ସଚେତନ ନାହାନ୍ତି । ଚାଷ ନଷ୍ଟ ହେଲେ ବି ଭାଗ୍ୟକୁ ଆଦରି ରହନ୍ତି । ଏହାର ସୁଯୋଗରେ କିଛି ଲୋକ ଫସଲ ବୀମା ପାଇଁ ଆବେଦନ କରି ଫସଲ ନଷ୍ଟ ବାବଦରେ ବୀମା ଅର୍ଥ ଉଠାଇବାରେ ସଫଳ ହେଉଛନ୍ତି । ୨୦୧୯ ରୁ ୨୦୨୧ ମଧ୍ୟରେ ଜିଲ୍ଲାରେ ୨ ହଜାର ୧୨୩ ଜଣ ଚାଷୀଙ୍କ ନାଁରେ ଏହିପରି ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହରିଲୁଟ୍ ହୋଇଥିବା ଅଡିଟ୍‌ ରିପୋର୍ଟରେ ଉଲ୍ଲେଖ ରହିଛି । ବିଶେଷ କରି ବିଶୋଇ, ବାଙ୍ଗିରପୋଷି, ଜାମଦା, ଯଶିପୁର, ଉଦଳା, କପ୍ତିପଦା, ଠାକୁରମୁଣ୍ଡା ଓ ବହଳଦା ବ୍ଲକ୍‌ରେ ଏପରି କାରସାଦି ଅଧିକ ହୋଇଥିବା ଜଣାପଡ଼ିଛି ।

ଚାଷୀଙ୍କ ନାଁରେ ବୀମା ଟଙ୍କା ହରିଲୁଟ୍ ଘଟଣାର ବିଧିବଦ୍ଧ ତଦନ୍ତ ଏବଂ ଏଥିରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ଠାରୁ ହଡ଼ପ ଅର୍ଥ ଆଦାୟ କରିବାକୁ ଦାବି କରିଛନ୍ତି ଜିଲ୍ଲାର ଅଗ୍ରଣୀ ଚାଷୀ ଜଗବନ୍ଧୁ ମହାନ୍ତ ଓ ନୀଳକଣ୍ଠ ଦାସ ।

Leave a Reply

Your email address will not be published. Required fields are marked *