ସପ୍ତାହ ପାଳନ ନାମକୁ ମାତ୍ର: ୧୦ ବର୍ଷ ହେଲା ହୋଇନି ଶିଶୁ ଶ୍ରମିକଙ୍କ ସର୍ଭେ

ସପ୍ତାହ ପାଳନ ନାମକୁ ମାତ୍ର: ୧୦ ବର୍ଷ ହେଲା ହୋଇନି ଶିଶୁ ଶ୍ରମିକଙ୍କ ସର୍ଭେ

ସପ୍ତାହ ପାଳନ ନାମକୁ ମାତ୍ର: ୧୦ ବର୍ଷ ହେଲା ହୋଇନି ଶିଶୁ ଶ୍ରମିକଙ୍କ ସର୍ଭେ
Latestରାଜ୍ୟ
By Sambad Digital Last updated Jun 16, 2022

Pinterest
ସେୟାର
ମହାମାରୀ ପୂର୍ବରୁ ସର୍ବାଧିକ ଥିଲେ, ଏବେ ଅବସ୍ଥା କ’ଣ?
ଛୁଆଙ୍କୁ ନେଇ କେତେ ଗମ୍ଭୀର ଓଡ଼ିଶା ସରକାର

ଭୁବନେଶ୍ବର : ମହାମାରୀ ପୂର୍ବରୁ ଦେଶର ସର୍ବାଧିକ ଶିଶୁ ଶ୍ରମିକ ଥିଲେ ଓଡ଼ିଶାରେ। ଅର୍ଥାତ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶରେ ୨୦୧୩ ମସିହାର ସର୍ଭେରେ ୨.୧୫ ଲକ୍ଷ ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରାଯାଇଥିଲା। ମହାମାରୀ ପରେ ୪୨ ହଜାର ଶିଶୁ ଶ୍ରମିକ ଅଭିଭାବକ ଛେଉଣ୍ଡ ହେଲେଣି। ୪୩ ହଜାର ମାଟ୍ରିକ ଓ ୧୩ ହଜାର ନବମ ଶ୍ରେଣୀ ପରୀକ୍ଷା ଦେଇ ନାହାନ୍ତି। ୧୧ରୁ ୧୪ ବର୍ଷୀୟା ୭୬୪୪ ଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ଏଥିରୁ ଶିଶୁ ଶ୍ରମିକଙ୍କ ସଂଖ୍ୟା କେତେ ହୋଇଯାଇଥିବ ଅନୁମାନ କରାଯାଇପାରେ। ମାତ୍ର ରାଜ୍ୟ ସରକାର ଶିଶୁ ଶ୍ରମିକଙ୍କୁ ଭୁଲି ସାରିଛନ୍ତି। ମହାମାରୀ ପରେ ସେମାନଙ୍କ ସଂଖ୍ୟା ଆକଳନ ଭଳି ପ୍ରାଥମିକ କାର୍ଯ୍ୟ ନକରି କେବଳ ଶିଶୁ ଶ୍ରମିକ ନିରୋଧ ସପ୍ତାହ ପାଳନ କେଉଁ ଉଦେଶ୍ୟକୁ ଚରିତାର୍ଥ କରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୩ ମସିହାର ସର୍ଭେ ଅନୁସାରେ, ଶିଶୁ ଶ୍ରମିକ ଭାବରେ ୯୩ ହଜାର ୬୯୬ ଝିଅ, ୧ ଲକ୍ଷ ୨୧ ହଜାର ୫୨୭ ପୁଅଙ୍କୁ ଚିହ୍ନଟ କରାଯାଇଥିଲା। ରାଜ୍ୟର ସମୁଦାୟ ଶିଶୁଙ୍କ ମଧ୍ୟରୁ ୪.୯ ପ୍ରତିଶତ ଶ୍ରମିକ ଏବଂ ୦.୫ ପ୍ରତିଶତଙ୍କ ବୟସ ୯ ବର୍ଷ ମଧ୍ୟରେ ରହିଛି। ୨୦୧୯ ମସିହାରେ ସଂସଦରେ ଦେଶରେ ୧୦ ହଜାର ୮୨୬ଟି ଶିଶୁ ଶ୍ରମ ଆଇନ ଉଲ୍ଲଂଘନ ମାମଲା ରୁଜୁ ହୋଇଥିବା କେନ୍ଦ୍ର ଶ୍ରମ ମନ୍ତ୍ରୀ ସୂଚନା ଦେଇଥିଲେ। ଏଥିରୁ କେବଳ ୪୫୧୭ଟି ଓଡ଼ିଶାର ଥିଲା। ମହାମାରୀ ପୂର୍ବରୁ ମଧ୍ୟ ଶିଶୁ ଶ୍ରମିକଙ୍କୁ ନେଇ ରାଜ୍ୟ ସରକାର ଗୁରୁତ୍ବ ଦେଉନଥିଲେ। ଏଠାକାର ବ୍ୟବସ୍ଥା ଏଭଳି ଯେ କୌଣସି ସ୍ଥାନରୁ ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପରେ ସିଡବ୍ଲୁସିରେ ହାଜର କରାଯାଇ ପରିବାରଙ୍କୁ ଦିଆଯାଏ। ଏହାପରେ ପିଲା ପୁଣି କାର୍ଯ୍ୟକ୍ଷେତ୍ରକୁ ଗଲା ନା ସ୍କୁଲ ଗଲା ସେ ସମ୍ପର୍କରେ ଶିଶୁଙ୍କ ପାଇଁ କାର୍ଯ୍ୟ କରୁଥିବା ଶିଶୁ ସୁରକ୍ଷା ବିଭାଗ, ଶିଶୁ ସୁରକ୍ଷା କମିସନ କି ସାମାଜିକ ସଙ୍ଗଠନ ଗୁରୁତ୍ବ ଦିଅନ୍ତି ନାହିଁ। ଶିଶୁ ଶ୍ରମିକ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ସହିତ ଜରିମାନାର ଆଇନଗତ ବ୍ୟବସ୍ଥା ରହିଛି। ସେହି ଟଙ୍କା ଉକ୍ତ ଶିଶୁଙ୍କ ନାମରେ ଜମା ହେବା ଉଚିତ। ଯାହା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୁଏ।

୨୦୦୫ ମସିହାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ସ୍କୁଲ ଥିଲା। ଉଦ୍ଧାର ହେଉଥିବା ଶିଶୁ ଶ୍ରମିକ ଏହି ସ୍କୁଲରେ କିଛି ଦିନ ପାଠପଢ଼ି ସାଧାରଣ ସ୍କୁଲରେ ପଢ଼ିବା ପାଇଁ ଯୋଗ୍ୟ ହେଲେ ସେଠାକୁ ଚାଲି ଯାଉଥିଲେ। ଏହା ସତ୍ତ୍ବେ ମଧ୍ୟ ସେତେବେଳେ ଉଦ୍ଧାର ଶିଶୁ ଶ୍ରମିକଙ୍କ ପାଇଁ ଆବାସିକ ସ୍କୁଲ ପାଇଁ ଦାବି କରାଯାଉଥିଲା। ଯେମିତି ପିଲା ଘରକୁ ନଯାଇ ହଷ୍ଟେଲରେ ପାଠପଢ଼ିବା ସହିତ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ କାର୍ଯ୍ୟ କରିପାରିବେ। ସେମାନଙ୍କ ପାଇଁ ଆବାସିକ ସ୍କୁଲ ତ ହେଲା ନାହିଁ ବରଂ ଯେଉଁ ସ୍ବତନ୍ତ୍ର ଶିଶୁ ଶ୍ରମିକ ସ୍କୁଲ ଥିଲା ତାହା ମଧ୍ୟ ବନ୍ଦ କରି ଦିଆଗଲା। ଏଭଳି ସ୍ଥିତିରେ ବିଭିନ୍ନ ସ୍ଥାନରେ କାମ କରୁଥିବା ପିଲାଙ୍କୁ ଉଦ୍ଧାର ପରେ ପୁନର୍ବାର ସ୍କୁଲକୁ ପଠାଇବା ଅବାସ୍ତବ ହୋଇ ପଡ଼ିଛି। ଏବେ ମହାମାରୀ ପରେ ଆର୍ଥିକ ଅନଗ୍ରସରତା ବଢ଼ିଛି। ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ଯୋଗୁଁ ଅନେକ ପିଲା ଦୋକାନ, ଗ୍ୟାରେଜରେ କାମ କରୁଛନ୍ତି। ଚାଇଲ୍ଡ ଲାଇନ ନିର୍ଦେଶକଙ୍କ ଆକଳନ ଅନୁସାରେ କେବଳ ଭୁବନେଶ୍ବରରେ ୧୦ ହଜାର ଶିଶୁ ଶ୍ରମିକ ରହିଥିବା ଅନୁମାନ କରାଯାଉଛି। ଏକ ବଡ଼ ଭାଗ ବାହାର ରାଜ୍ୟକୁ ମଧ୍ୟ ଚାଲି ଯାଇଛନ୍ତି। ଝିଅ ଶିଶୁ ଶ୍ରମିକ ଘରେ କାମ କରୁଥିବାରୁ ସେମାନଙ୍କ ସଂଖ୍ୟା ସ୍ପଷ୍ଟ ଜଣାପଡ଼ୁ ନାହିଁ। ଅବସ୍ଥା କେଉଁ ଆଡ଼କୁ ଗଲାଣି ତାକୁ ନେଇ ସରକାର ଗୁରୁତ୍ବ ନଦେଇ କେବେଳ କାର୍ଯ୍ୟକ୍ରମରେ ସୀମିତ ରଖିଲେ ଶିଶୁ ଶ୍ରମିକ ନିରୋଧ ସପ୍ତାହ କେବଳ ପ୍ରହସନରେ ପରିଣତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *