ଚଣ୍ତିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ରହିଛି ଏକାଧିକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ । ପ୍ରସିଦ୍ଧ ଶୈବପୀଠ ମହାବିନାୟକ, ଛତିଆ ବଟ, ଚଣ୍ତିଖୋଲ ଚଣ୍ତିମନ୍ଦିର, ଓଳାଶୁଣୀ ବାଦ୍ ଗାଙ୍ଗୀ ଓ ହୀରକ ତ୍ରିଭୁଜ ଅନ୍ତର୍ଗତ ପ୍ରସିଦ୍ଧ ବୌଦ୍ଧବିହାର ଉଦୟଗିରି ଭଳି ଐତିହାସିକ ପୀଠ ମଧ୍ୟ ରହଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏଗୁଡ଼ିକ ବେଶ୍ ଆଗରେ । ମାତ୍ର ସେମାନଙ୍କ ସୁବିଧା ପାଇଁ ନିର୍ମାଣ ହୋଇଥିବା ପାନ୍ଥଶାଳା, ଅଭ୍ୟର୍ଥନାଗୃହ, ସୁବିଧାକେନ୍ଦ୍ର ଭୂତକୋଠି ପାଲଟିଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଏ ପ୍ରକଳ୍ପ ସବୁ ନିର୍ମାଣ କରିବା ପରେ ତଦାରଖ କରୁନଥିବାରୁ ନଷ୍ଟ ହେବାକୁ ବସିଲାଣି । କେଉଁଠି ନିର୍ମାଣ ହେବା ଦିନ ଠାରୁ ତାଲା ଝୁଲୁଛି ତ ଆଉ କେଉଁଠି ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି । ସେହିପରି କେତେକ ପ୍ରକଳ୍ପ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ନଷ୍ଟ ହୋଇଗଲାଣି । ଏସବୁ ନିର୍ମାଣରେ ବ୍ୟୟ ହୋଇଥିବା କୋଟି କୋଟି ଟଙ୍କା ଅପବ୍ୟୟ ହେବା ସାର ହୋଇଛି ।
ବୌଦ୍ଧ ହୀରକ ତ୍ରିଭୁଜ ଉଦୟଗିରି-ଲଳିତଗିରି-ରତ୍ନଗିରିରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୧୨-୧୩ ଆର୍ଥିକ ବର୍ଷରେ କୋଟି କୋଟି ଟଙ୍କା ବ୍ୟୟରେ ଉଦୟଗିରି, ପତରାଜପୁର, ରତ୍ନଗିର ଓ ଲଳିତଗିରି ଠାରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯାଇଥିଲା । ପରିଚାଳନା ତଥା ରକ୍ଷଣାବେକ୍ଷଣ ନିମନ୍ତେ ଏହାକୁ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା । ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଏହାର ସୁବିଧା ନେଉଥିଲେ । ଏହି ଠାରେ ମଧ୍ୟ ପ୍ରଥମ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଘରୋଇ ସଂସ୍ଥା ଚୁକ୍ତି ଖିଲାପ କରିବା ପରେ ୨୦୨୦ ଶେଷ ବେଳକୁ ଏହି ସବୁ ପ୍ରକଳ୍ପକୁ ବିଭାଗ ନିଜ ଅଧୀନକୁ ନେଇଥିଲା । ୨୦୨୧ ଫେବ୍ରୁଆରି ମାସ ଠାରୁ ଜଗୁଆଳିଙ୍କ ସାହାରାରେ ଛାଡ଼ିଦେଇ ବିଭାଗ ନିଜ କାମ ସାରିଦେଇଛି । କୌଣସି ପ୍ରକାର ରକ୍ଷଣାବେକ୍ଷଣ କରାଯାଉ ନାହିଁ । ଫଳରେ ଏହି ସବୁ ବଡ଼ବଡ଼ ସୁଦୃଶ୍ୟ କୋଠା ନଷ୍ଟ ହେବାକୁ ବସିଲାଣି ।
ସେହିପରି ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଓଳାଶୁଣୀ ପାହାଡ଼ର ପୂର୍ବପଟେ ୨୦୧୪ ମସିହାରେ ୩୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ପର୍ଯ୍ୟଟକ ସୁବିଧାକେନ୍ଦ୍ର ନିର୍ମାଣ ଦିନ ଠାରୁ ତାଲା ଝୁଲୁଛି । ଏହି ପାହାଡ଼ର ଶୀର୍ଷ ଦେଶରେ ୪୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଡୁପ୍ଲେକ୍ସ ନିର୍ମାଣ ପାଇଁ ସ୍ଥିର କରାଯାଇଥିଲା । ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏକ ଗୃହ ନିର୍ମାଣ କରାଯାଇଛି । ଏହାର କାମ ୨୦୧୫ ରୁ ଶେଷ ହୋଇଥିଲେ ମଧ୍ୟ ଏଠାରେ ତାଲା ଝୁଲୁଛି । ମହାବିନାୟକରେ ଥିବା ପାନ୍ଥଶାଳା ଓ ଚଣ୍ତିଖୋଲ ଚଣ୍ତୀମନ୍ଦିର ଠାରେ ବିଭାଗ ପକ୍ଷରୁ ନିର୍ମିତ ପାନ୍ଥଶାଳା ଏବେ ଭାଙ୍ଗିରୁଜି ଗଲାଣି । ପର୍ଯ୍ୟଟନ ବିଭାଗ ପକ୍ଷରୁ ପତରାଜପୁର ଠାରେ ଜାତୀୟ ରାଜପଥ ପାର୍ଶ୍ବରେ ନିର୍ମାଣ କରାଯାଇଥିବା ଟୁରିଷ୍ଟ କମ୍ପ୍ଲେକ୍ସ ଭୂତକୋଠିରେ ପରିଣତ ହୋଇଛି ।
ଏହାକୁ ଲିଜ୍ ଆକାରରେ ନେଇଥିବା ଘରୋଇ ସଂସ୍ଥା ଓହରି ଯିବା ପରେ ବିଭିନ୍ନ ଦାମୀ ସରଞ୍ଜାମ, ଆସବାବପତ୍ର ଏପରିକି ଝରକାକବାଟ ସବୁ ଚୋରି ହୋଇଯାଇଛି । ଗୋଟିଏପଟେ ବିଭାଗ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛି, ଅନ୍ୟପଟେ ପରିଚାଳନାଗତ ତ୍ରୁଟି ପାଇଁ ସାଧାରଣ ଲୋକଙ୍କ ଟିକସ ଅର୍ଥ ବରବାଦ ହେଉଛି । ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
