ବ୍ରହ୍ମପୁର : ବିସ୍କୁଟ୍ କିଣିବା ପାଇଁ ୫ ଟଙ୍କା ମାଗିବାରୁ ଜଣେ ୮-୯ ବର୍ଷର ନାବାଳିକାକୁ ସାବତ ମା’ ଗରମ ଚେଙ୍କ ଦେଇଛନ୍ତି । ରୋଷେଇ କରୁଥିବା ଗରମ ପିଠାପାତିଆରେ ଝିଅର ଦୁଇ ଗାଲ, ପିଠି, ବେକ, ପିଠି ଓ ହାତକୁ ଚେଙ୍କି ଦେଇଛନ୍ତି । ଏହି ଘଟଣା ଆଜି ଜଣାପଡ଼ିବା ପରେ ପୁଲିସ୍ ମହିଳାଙ୍କୁ ଅଟକ ରଖି ପଚରାଉରା କରୁଛି ।
ସୂଚନା ଅନୁସାରେ, ଗତ ଶୁକ୍ରବାର ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ୭ମ ଗଳିରେ ଏହି ଘଟଣା ଘଟିଥିଲା । ବିସ୍କୁଟ୍ ଖାଇବା ପାଇଁ ୫ ଟଙ୍କା ମାଗିବାରୁ ନାବାଳିକାକୁ ଚେଙ୍କ ଦେଇଥିଲେ ସାବତ ମା’ । ଫଳରେ, ଦେହରେ ଘାଆ ହୋଇଯାଇଥିଲା । ଆଜି ଘାଆରେ ପାଉଡର ଲଗାଇ ନାବାଳିକାକୁ ଟ୍ୟୁସନ୍ ଛାଡ଼ିଥିଲା । ସେଠାରେ ଟ୍ୟୁସନ୍ ସାର୍ ପଚାରିବାରୁ ଝିଅଟି ସବୁକଥା କହିଥିଲା । ଖବର ପାଇ ବଡ଼ବଜାର ଥାନା ପୁଲିସ ସେଠାରେ ପହଁଚିଥିଲା । ଝିଅକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲା । ଅଭିଯୁକ୍ତ ସାବତ ମା’ ଜାନକୀ ମହାରଣାଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖିଥିବା ଜଣାପଡ଼ିଛି ।
