କାରଖାନା ମାଲିକଙ୍କ କଳା କାରନାମା, ସ୍ପଞ୍ଜ ଚୋରା ଚାଲାଣ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ଅଧିକାଂଶ ସ୍ପଞ୍ଜ ଆଇରନ କାରଖାନା ମାଲିକଙ୍କ କଳାକାରନାମା ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି । ପ୍ରଦୂଷଣ ବିଭାଗର ନୀତିନିୟମକୁ ଜଳାଞ୍ଜଳି ଦେଇ ସ୍ଥାନୀୟ ଅଞ୍ଚଳର ବିଷୟ ବଳୟ ସୃଷ୍ଟି କରୁଛନ୍ତି । କେବଳ ପ୍ରଦୂଷଣ ନୁହେଁ କୋଟି କୋଟି ଟଙ୍କାର ଜିଏସ୍‌ଟି ଫାଙ୍କି ସ୍ପଞ୍ଜ ଆଇରନ ଚୋରା ଚାଲାଣ କରୁଛନ୍ତି । ତା’ ପୁଣି ଅଧ ରାତିରେ । ଗତକାଲି ବଣାଇ ଅନ୍ତର୍ଗତ ‘ମହାକାଳୀ ସ୍ପଞ୍ଜ ଆଇରନ’ କାରଖାନାର ସ୍ପଞ୍ଜ ଆଇରନ ବୋଝେଇ ଟ୍ରକ ନରେନ୍ଦ୍ର ନିକଟରେ ଜବତ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ପୁଲିସ ଡ୍ରାଇଭର ସମେତ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । କେବଳ ଏତିକି ନୁହେଁ ପୁଲିସ କାରଖାନାର ସଞ୍ଚାଳକ ରିତେଶ ବାଗଡ଼ିଆ, ହର୍ଷ ଗୁପ୍ତା, ଟ୍ରାନ୍ସପୋର୍ଟର ବିକାଶ ବଂଶଲ ଓ ମ୍ୟାନେଜର ବ୍ରଜମୋହନଙ୍କୁ ଗିରଫ ପାଇଁ ବିଭିନ୍ନ  ସ୍ଥାନରେ ଚଢ଼ଉ ଜାରି ରଖିଛି । ଏମାନେ କେତେଦିନ ଧରି ଏଭଳି ଚୋରା କାରବାର କରିଆସୁଥିଲେ ?

ଟନ୍‌ ଟନ୍‌ ସ୍ପଞ୍ଜ ଆଇରନ ଜିଲ୍ଲାର କେଉଁ କେଉଁ ଇଣ୍ଡକ୍ସନ ଫର୍ଣ୍ଣେସ, ଷ୍ଟିଲ ମେଲ୍‌ଟିଂ ସପ୍‌ ଯାଉଥିଲା ? ମା’ କାଳୀ ସ୍ପଞ୍ଜ ଆଇରନ କାରଖାନା ସମେତ ଅନ୍ୟ କେଉଁ ସ୍ପଞ୍ଜ ଆଇରନ କାରଖାନା ଏଭଳି ବେଆଇନ କାମ କରୁଛନ୍ତି ? କେତେ ଟଙ୍କାର ଜିଏସ୍‌ଟି ଫାଙ୍କିଛନ୍ତି ? ସ୍ପଞ୍ଜ କାରଖାନା ମାଲିକମାନଙ୍କୁ କେଉଁ କେଉଁ ଟ୍ରାନ୍ସପୋର୍ଟରମାନଙ୍କ ସହ ମିଶି ଏଭଳି ଚୋରା କାରବାର କରୁଥିଲେ ? ଏମିତି ଅନେକ ଦିଗକୁ ନଇେ ପୁଲିସ ତା’ର ଖୋଳତାଡ ଆରମ୍ଭ କରିଛନ୍ତି । ଏହି ଘଟଣା ଭାସମାନ ବରଫଖଣ୍ଡର ଦୃଶ୍ୟମାନ ଅଂଶ ମାତ୍ର । ଅର୍ଥାତ୍‌ କେବଳ ମହାକାଳୀ ସ୍ପଞ୍ଜ ଆଇରନ କାରଖାନା ନୁହେଁ ଏମିତି ଅନେକ ସ୍ପଞ୍ଜ କାରଖାନା ଏଭଳି ବେଆଇନ ଚୋରା କାରବାର ସମ୍ପୃ୍କ୍ତ ଅଛନ୍ତି । ମହାକାଳୀ ଓ ଏହାର ଚତୁଃପାର୍ଶ୍ବରେ ରହିଥିବା ଅନେକ ସ୍ପଞ୍ଜ କାରଖାନା ଚୋରା କାରବାର କରି ସରକାରଙ୍କ କୋଟି କୋଟି ଟଙ୍କାର ଜିଏସ୍‌ଟି ଫାଙ୍କି ଚାଲିଛନ୍ତି ।

ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରି ମାଲେ ମାଲ୍‌ ହେଉଥିବା ଏଭଳି ସ୍ପଞ୍ଜ କାରଖାନା ମାଲିକଙ୍କ ବିରୋଧରେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ବରଂ ଉଭୟ ବିଭାଗର କିଛି କରିତକର୍ମା ଅଧିକାରୀ ଏମାନଙ୍କୁ ପରୋକ୍ଷରେ ସହାୟତା କରୁଥିବା ଅଭିଯୋଗ ହେଉଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଦୂଷଣ ସୃଷ୍ଟି କରିବା ଓ ଜିଏସ୍‌ଟି ଫାଙ୍କି ଚାଲିଥିବା ଏଭଳି ସ୍ପଞ୍ଜ କାରଖାନାଗୁଡ଼ିକ ଉପରେ ପ୍ରଦୂଷଣ ନା ଜିଏସ୍‌ଟି ବିଭାଗ କାହାରି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ । ମିଳିଥିବା ସୂଚନା ମୁତାବକ ବଣାଇ, ଲହୁଣିପଡା, ଲାଠିକଟା, କୁଆରମୁଣ୍ଡା, କଲୁଙ୍ଗା ଆଦି ଅଞ୍ଚଳରେ ୩୦ ରୁ ଅଧିକ ଛୋଟ ବଡ ସ୍ପଞ୍ଜ ଆଇରନ କାରଖାନା ରହିଛି । ସର୍ବାଧିକ ସ୍ପଞ୍ଜ ଆଇରନ କାରଖାନା ରହିଛି ବଣାଇ ଓ ଏହାର ଆଖପାଖ ଅଞ୍ଚଳରେ ।

ଏସବୁ ସ୍ପଞ୍ଜ କାରଖାନା ମଧ୍ୟରୁ ଅଧିକାଂଶ ସ୍ପଞ୍ଜ କାରଖାନା ମାଲିମାନେ ଏଭଳି କଳା କାରନାମାରେ ସମ୍ପୃକ୍ତ ରହିଥିବା ଅଭିଯୋଗ ହେଉଛି । ରାତି ହେଲେ ଚାଲୁଛି ଏସବୁ ଚୋରା କାରବାର । ପ୍ରତି ଟ୍ରକ୍‌ରେ ୩୦ ଟନ୍‌ ସ୍ପଞ୍ଜ ଆଇରନ ଲୋଡିଂ ହେଉଛି । ଟନ୍‌ ପିଛା ୩୫ ହଜାର ଟଙ୍କା କରି ମୋଟ ୧୦ ଲକ୍ଷ ୫୦ ହଜାର ଟଙ୍କାର ସ୍ପଞ୍ଜ ଆଇରନ ଯାଉଛି । ପ୍ରତି ଟ୍ରକ୍‌ରେ ଜିଏସ୍‌ଟି ବାବଦରେ ୧୮% ହିସାବରେ ୧ ଲକ୍ଷ ୮୯ ହଜାର ଟଙ୍କା ଫାଙ୍କୁଛନ୍ତି । ଦୈନିକ ରାତିରେ ପାଖାପାଖି ୪୦ ରୁ ୫୦ ଟ୍ରକ୍‌ ଏମିତି ଚୋରା ଚାଲାଣ ହେଉଥିବା ଜଣାପଡିଛି । ଏସବୁ ସ୍ପଞ୍ଜ ବେଦବ୍ୟାସ, ରାଜଗାଙ୍ଗପୁର, କଲୁଙ୍ଗା, ଲାଠିକଟା ସମେତ ଅନ୍ୟ କିଛି ସ୍ଥାନରେ ରହିଥିବା ଷ୍ଟିଲ ମେଲ୍‌ଟିଂ ସପ୍‌ ଓ ଇଣ୍ଡକ୍ସନ ଫର୍ଣ୍ଣେସକୁ ଯାଉଛି । ଯେଉଁଠି ରାତାରାତି ମେଲ୍ଟିଂ କରି ଦିଆଯାଉଛି । ଯେଉଁଥିରେ ଲୁହା ଛଡ, ଆଙ୍ଗଲ, ଲୁହା ଚାତର ଆଦି ତିଆରି ହେଉଛି । ଏଭଳି ସ୍ପଞ୍ଜ କାରଖାନାକୁ ଚିହ୍ନଟ କରିବା ସହ ମାଲିକମାନଙ୍କ ଗିରଫ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *