କାଲିମେଳା : ଆଜି ଭୋର ୩ଟା ସମୟରେ କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୨୧ ଠାରେ ମୁତୟନ ଥିବା ୭୬ ବାଟାଲିୟନ ବିଏସଫର କମାଣ୍ଡାଣ୍ଟ ରାକେଶ କୁମାର (୪୮) ନିଜ ସାଥୀମାନଙ୍କ ସହିତ ନିକଟସ୍ଥ ଜଙ୍ଗଲକୁ କମ୍ବିଙ୍ଗ ଅପରେସନରେ ଯାଇଥିଲେ । ତେବେ କୌଣସି କାରଣରୁ ବାଇକରୁ ଖସି ରାକେଶ କୁମାର ତଳେ ପଡି ଯାଇଥିଲେ । ଏହା ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।
ତାଙ୍କୁ ତୁରନ୍ତ ଏମପିଭି ୨୧ରେ ଥିବା ବିଏସଫ କ୍ୟାମ୍ପକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ହେଲେ ସେଥିରେ ସୁଧାର ନ ଆସିବାରୁ ତାଙ୍କୁ କାଲିମେଳା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବିଏସଫ କମାଣ୍ଡାଣ୍ଟଙ୍କ ଘର ରାଜସ୍ଥାନ ବୋଲି ଜଣା ପଡିଛି । ଆଜି ତାଙ୍କ ମୃତଶରୀର ରାଜସ୍ଥାନକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ବିଏସଫ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।
