ସୁନ୍ଦରଗଡ଼ : ସୁନ୍ଦରଗଡ଼ ଇବ୍ ନଦୀ ସମେତ ଜିଲ୍ଲାର ବିଭିନ୍ନ ନଦୀ ଏବେ ବାଲି ମାଫିଆଙ୍କ କବ୍ଜାରେ । ଲିଜ୍ ନଥାଇ ଅଥବା ନାମକୁ ମାତ୍ର ଲିଜ୍ ନେଇ ଦିନ ରାତି ବେଆଇନ ଭାବେ ହଜାର ହଜାର ଘନ ମିଟର ବାଲି ବୋହି ଚାଲିଛନ୍ତି । ସବୁଠାରୁ ବଡ଼ କଥା ହେଲା, ନଦୀ ବାଲି ଉଠାଣ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଜାରି କରିଥିବା ଆଦେଶ ଓ ଲଘୁ ଖଣି ସର୍ତ୍ତ (ମାଇନିଂ ପ୍ଲାନ)କୁ ଏଠାରେ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିଲେ ମଧ୍ୟ ରାଜସ୍ବ ବିଭାଗ ଆଖି ବୁଜି ଦେଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ, ଜାତୀୟ ସବୁଜ ପ୍ରାଧିକରଣଙ୍କ ପରିବେଶ ମଞ୍ଜୁରୀ ବିନା ବାଲି ଖନନ ହେବ ନାହିଁ । ପରିବେଶ ମଞ୍ଜୁରୀ ପାଇଁ ଲଘୁ ଖଣି ଯୋଜନା (ମାଇନିଂ ପ୍ଲାନ୍) ବାଧ୍ୟତାମୂଳକ । ଆଉ ଲଘୁ ଖଣି ସର୍ତ୍ତ ଅନୁସାରେ, ବାଲିଘାଟରେ କେବଳ ଶ୍ରମିକଙ୍କ ଦ୍ବାରା ବାଲି ଖନନ ଓ ଟ୍ରାକ୍ଟରରେ ବୋଝେଇ କରିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ଏଠାରେ ପରିବେଶ ମଞ୍ଜୁରୀ ଥାଉ ନଥାଉ ବେଧଡ଼କ ବାଲି ବୁହା ଚାଲିଛି । ସମସ୍ତଙ୍କ ଆଖି ଆଗରେ ଜେସିବି ସହାୟତାରେ ହାଇୱା ଟ୍ରକରେ ବୋଝେଇ କରି ଚାଲାଣ କରାଯାଉଛି । କିନ୍ତୁ ତହସିଲଦାର ବା ରାଜସ୍ବ ଅଧିକାରୀ ସବୁ ଦେଖି ନିରବ ।
ଲିଜ୍ ଅଛି ତ ଲିଜଧାରୀଙ୍କ ସବୁ ଦୋଷ ବୈଧ । ଆଉ ଲିଜ୍ ନଥିଲେ କିଛି ଜରିମାନା ଆଦାୟ, ଅତି ବେଶୀରେ କେବେ କେମିତି ଗୋଟେ ଯୋଡ଼େ ଗାଡ଼ି ଜବତ କରି ହାତ ଝାଡ଼ି ଦେଉଛନ୍ତି ଅଧିକାରୀ । ଫଳ ସ୍ବରୂପ ବେଆଇନ ବାଲି ଖନନ ଓ ପରିବହନ ବେଧଡ଼କ ଚାଲିଛି । ସୁନ୍ଦରଗଡ଼ ଜିଲ୍ଲା ଛତିଶଗଡ଼ ସୀମାନ୍ତ ବାଲିଶଙ୍କରାର ତେଲିଯୋରରୁ ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ଭଷ୍ମା ଯାଏ ଲମ୍ବିଥିବା ଇବନଦୀର ଭଷ୍ମା, ରେମଣ୍ଡା, କିରପସିରା, ଦଲଦଲି, ବିଲେଇଗଡ଼, କୁଡ଼ାବଗା, କୋପସିଂହା, ନୂଆ ଅମଲିପାଲି, ଭୋଜପୁର, ଗିଲକୁଦର, ଭଗପାଲି, ଯାଏସର, କୁକୁରିଡିହି, ଗଏଲୋ, ବରପାଲି, କୁସୁମୁରା, ଘୋଘର, ତେଲିଯୋର ବାଲିଘାଟରୁ ମେସିନରେ ମନଇଚ୍ଛା ଓ ଅତ୍ୟଧିକ ବାଲି ଖନନ ନଦୀର ଗତିପଥ ବଦଳାଇ ନଦୀକୂଳିଆ ଗାଁ ପାଇଁ ବିପଦ ଡାକି ଆଣିବାର ଆଶଙ୍କା ସୃଷ୍ଟି କରିଛି । ଏହା ଛଡ଼ା ଗାଁ ରାସ୍ତା ଦେଇ ବାଲି ପରିବହନ ହେଉଥିବାରୁ ରାସ୍ତାଗୁଡ଼ିକର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି । ବାଲି ପରିବହନ ସମୟରେ ଗାଡ଼ିକୁ ପଲିଥିନ୍ ଦ୍ବାରା ଆବଦ୍ଧ ବାଧ୍ୟତାମୂଳକ ଥିଲେ ମଧ୍ୟ ଏଠାରେ ଖୋଲାମେଲା ବାଲି ପରିବହନ ହେଉଛି । ଆଜି ଯାଏ କୌଣସି ଗୋଟିଏ ବି ଗାଡ଼ିରେ ପଲିଥିନ୍ ଢଙ୍କାଯାଇଥିବା ନଜରକୁ ଆସି ନାହିଁ ।
ସ୍ଥାନୀୟ ଗାଁ ଲୋକେ ଏହାର ବିରୋଧ କଲେ ଲିଜଧାରୀ ଓ ମାଫିଆ ନାଲଆଖି ଦେଖାଇ ଅବୈଧ ବାଲି ଚାଲାଣ ଜାରି ରଖିଥିବା ଅଭିଯୋଗ ହୋଇଛି । ଏପରି ନୀତିନିୟମ ଓ ସୁପ୍ରିମକୋର୍ଟଙ୍କ ଆଦେଶର ଖୋଲା ଉଲ୍ଲଂଘନରେ ବାଲି ଉଠାଇ ମାଫିଆ ଓ ଅଧିକାରୀ ମାଲାମାଲ ହେଉଥିବା ବେଳେ ସରକାରଙ୍କ ବ୍ୟାପକ ରାଜସ୍ବ ହାନୀ ଘଟୁଛି । ଏସ୍ଥିତିରେ କିଛି ଦିନ ତଳେ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନଦୀ ବାଲିଘାଟଗୁଡ଼ିକର ନିୟନ୍ତ୍ରଣ ଓ ନିୟମ ଅନୁସାରେ ବାଲି ଉଠାଣ ହେଉଛି କି ନାହିଁ ତା’ ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି । ବିଶେଷ କରି ବାଲିଘାଟରେ ଶ୍ରମିକ ପରିବର୍ତ୍ତେ ମେସିନରେ ବାଲି ଖନନ ଓ ବୋଝେଇ କାମ ସମ୍ପୂର୍ଣ୍ଣ ରୋକିବାକୁ ଚିଠିରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ବିଭାଗ । ବିଭାଗର ନିର୍ଦ୍ଦେଶ ପରେ ଏବେ ନଦୀ ବାଲିଘାଟରୁ ଜେସିବି ଓ ଟ୍ରକ ହଟୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।
