ରାଉରକେଲା : ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) ପରିସରରେ ୨୦୦୧ ମାର୍ଚ୍ଚ ମାସରେ ଏନ୍ଟିପିସି-ସେଲ୍ ପାୱାର କମ୍ପାନି ଲିମିଟେଡ୍(ଏନ୍ଏସ୍ପିସିଏଲ୍) ସ୍ଥାପିତ ହୋଇଥିଲା । ଉଦ୍ଦେଶ୍ୟଥିଲା, ଆର୍ଏସ୍ପି ଓ ସହରାଞ୍ଚଳକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବା । ଉଦ୍ଦେଶ୍ୟ କିଛି ପରିମାଣରେ ସାଧିତ ବି ହେଲା । ଭବିଷ୍ୟତରେ ଆର୍ଏସ୍ପି ଆଧୁନିକୀରଣ ଅଧିନରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକରେ ଅତ୍ୟଧିକ ପରିମାଣର ବିଦ୍ୟୁତ ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଏନ୍ଏସ୍ପିସିଏଲ୍ ପକ୍ଷରୁ ୨୫୦ ମେଗାୱାଟ୍ ପ୍ଲାଣ୍ଟ୍ ସ୍ଥାପନ କରାଯାଇଥିଲା । ଗତ ମାର୍ଚ୍ଚ ୨୯ ତାରିଖରେ ଏଠାରୁ ଉତ୍ପାଦନ ବି ଆରମ୍ଭ ହେଲା । ମାତ୍ର କୋଇଲା ଅଭାବ ଯୋଗୁଁ ଗତ ୯ ତାରିଖରୁ ଏଠାରେ ଉତ୍ପାଦନ ବନ୍ଦ ହୋଇଯାଇଛି । ତେବେ ଉଦ୍ଘାଟନର ମାତ୍ର ଦୁଇ ମାସ ଭିତରେ ଏଠାରେ ଉତ୍ପାଦନ ବନ୍ଦ ହୋଇଯିବା, ଏବେ ଆଲୋଡ଼ନ ସୃଷ୍ଟି କରିଛି ।
ସଂପ୍ରତି ଦେଶସାରା କୋଇଲା ସଙ୍କଟ ଦେଖାଦେଇଛି । ଫଳରେ ବିଭିନ୍ନ ଶିଳ୍ପ କାରଖାନା, ବିଶେଷକରି ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଏହା ଦ୍ବାରା ବହୁଳ ଭାବରେ ପ୍ରଭାବିତ ହୋଇଛନ୍ତି । ଏଥିରୁ ବାଦ୍ ପଡ଼ିନି ଏନ୍ଏସ୍ପିସିଏଲ୍ । ଆର୍ଏସ୍ପି ହିଁ ଏନ୍ଏସ୍ପିସିଏଲ୍କୁ ଆବଶ୍ୟକୀୟ କୋଇଲା ଯୋଗାଇଥାଏ । ତେବେ ବର୍ତ୍ତମାନ ଆର୍ଏସ୍ପିକୁ ନିଜ ଭାଗର କୋଇଲା ମିଳିପାରୁନି । ପୂର୍ବାପେକ୍ଷା ବର୍ତ୍ତମାନ ଆର୍ଏସ୍ପିକୁ ପ୍ରାୟ ୫୦% କମ୍ କୋଇଲା ଯୋଗାଣ ହେଉଛି । ଫଳ ସ୍ବରୂପ ଏନ୍ଏସ୍ପିସିଏଲ୍କୁ ନିଜ ଭାଗର କୋଇଲା ମିଳିପାରୁନି ।
ପ୍ରକାଶଥାଉକି, ଏନ୍ଏସ୍ପିଏଲ୍ର ଏହି ୨୫୦ ୱାଟ୍ ବିଶିଷ୍ଟ ପ୍ଲାଣ୍ଟରେ ଉତ୍ପାଦନ ବନ୍ଦ ହେଲେ ମଧ୍ୟ ଆର୍ଏସ୍ପି କିମ୍ବା ସହରାଞ୍ଚଳକୁ ବିଦ୍ୟୁତ ସରବରାହରେ କୌଣସି ବିଶେଷ ଫରକ ପଡ଼ିବନାହିଁ । ତେବେ ଭବିଷ୍ୟତରେ ହେବାକୁ ଥିବା ଆର୍ଏସ୍ପି ଆଧୁନିକୀକରଣ ଅନ୍ତର୍ଗତ ପ୍ରକଳ୍ପ ପାଇଁ ଏହା କାର୍ଯ୍ୟକ୍ଷମ ହେବା ନିତାନ୍ତ ଆବଶ୍ୟକ । ଏନ୍ଏସ୍ପିସିଏଲ୍ର ଏହି ୨୫୦ ମେଗାୱାଟ୍ ବିଶିଷ୍ଟ ପ୍ଲାଣ୍ଟର ଉତ୍ପାଦନ ବନ୍ଦକୁ ନେଇ କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ସ୍ବୀକାର କରିନାହାନ୍ତି । ମୋ’ ଜାଣତରେ ସବୁ ଠିକ୍ ଥିବା ସଂପୃକ୍ତ ଅଧିକାରୀ କହିଛନ୍ତି ।
