ପୁରୀ : ଜୁଲାଇ ୧ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରାୟ ୨୫ ଲକ୍ଷ ଭକ୍ତଙ୍କ ସମାଗମ ହେବ । କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଚଳିତ ବର୍ଷ ଭକ୍ତଙ୍କ ମେଳରେ ଘୋଷଯାତ୍ରା କରିବେ ଦାରୁବ୍ରହ୍ମ। ତାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ରଥଯାତ୍ରା ପ୍ରସ୍ତୁତି । ତେବେ ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ସେବାୟତଙ୍କ ସମେତ ମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ ରଥଯାତ୍ରା ପୂର୍ବରୁ କରୋନା ପ୍ରତିଷେଧକ ଟିକା ଦେବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏଥିପାଇଁ ପ୍ରସ୍ତାବ ଦେଇଥିଲେ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତାହାକୁ ଅନୁମୋଦନ କରିବା ସହ ସ୍ବତନ୍ତ୍ର ଟିକାକେନ୍ଦ୍ର ଖୋଲି ସେବାୟତଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦେବାକୁ ପରାମର୍ଶ ଦେଇଛି । ସେହିପରି ରଥଯାତ୍ରା ସହ ସମ୍ପୃକ୍ତ ଜିଲା ପ୍ରଶାସନ, ପୁଲିସ, ପୌରସଂସ୍ଥା, ଜନସ୍ବାସ୍ଥ୍ୟ, ପୂର୍ତ୍ତ, ଅଗ୍ନିଶମ ଏବଂ ବିଜୁଳି ବିଭାଗ କର୍ମଚାରୀଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବା ପାଇଁ ଦାବି ହେଉଛି । ସେବାୟତଙ୍କ ପାଇଁ ୬ଟି ସ୍ଥାନରେ ସ୍ବତନ୍ତ୍ର ଟିକାଦାନ କେନ୍ଦ୍ର ଖୋଲାଯାଇଛି । ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି, ରଥଯାତ୍ରା ପୂର୍ବରୁ ସବୁ ସେବକ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ତୃତୀୟ କରୋନା ପ୍ରତିଷେଧକ ଟିକା ଦିଆଯିବା ଆରମ୍ଭ ହୋଇଛି । ଅନ୍ୟମାନେ ଏହି ଟିକା ନେବାପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି । ରଥଯାତ୍ରା ସମୟରେ ଯଦି କରୋନା ସଂକ୍ରମଣ ଦେଖାଦିଏ ତାହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ସିଡିଏମ୍ଓ କହିଛନ୍ତି ।
