କଟକ : ଟିକେଟ ପାଇଁ ଲାଠିମାଡ । ଭାରତ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମରେ ବୁଧବାର ରାତିରେ ଲମ୍ବା ଲାଇନ ଲଗେଇଥିଲେ କ୍ରିକେଟ୍ ପ୍ରେମୀ । ଭିଡ଼ ନିୟନ୍ତ୍ରଣ ଅସମ୍ଭାଳ ହେବା ପରେ ଠେଲା ପେଲା ଓ ମାଡ଼ଗୋଳ ହୋଇପଡିଥିଲେ ଲୋକେ । ଶେଷରେ ବାଧ୍ୟ ହୋଇ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଛି ।
ବାରବାଟୀ ବିଗ୍ ଫାଇଟକୁ ନେଇ ଆଜି ଠୁ ଟିକେଟ କାଉଣ୍ଟରରେ ଅଫଲାଇନ ଟିକେଟ ବିକ୍ରି ହେଉଛି । ସକାଳ ୯ ରୁ ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି, ଯାହା ୬ ଟା ଯାଏଁ ଚାଲିବ । ଯାହାକୁ ନେଇ ଷ୍ଟାଡିୟମ ନିକଟରେ ବିଳମ୍ବିତ ରାତିରୁ ଟିକେଟ କିଣିବାକୁ କ୍ରିକେଟ୍ ପ୍ରେମୀଙ୍କ ଲମ୍ବାଲାଇନ ଲାଗିଥିବା ଦେଖିବାକୁ ମିଳିଛି । ଟିକେଟ ବିକ୍ରି ପାଇଁ ଅସ୍ଥାୟୀ ଗୃହ ନିର୍ମାଣ କରାଯାଇଥିବା ବେଳେ ଏଥିରେ ୯ଟି କାଉଣ୍ଟର ରହିଛି । ୭ଟି କାଉଣ୍ଟର ପୁରୁଷଙ୍କ ପାଇଁ ଉଦ୍ଧିଷ୍ଟ ରହିଥିବା ବେଳେ ୨ଟି ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ରହିଛି । ଆଜି ମୋଟ ୧୨ ହଜାର ୯୩ଟି ଟିକେଟ ବିକ୍ରି କରାଯିବ, ଏଥିରେ ୫ ହଜାର ଟଙ୍କାରୁ ଅଧିକ ଦାମର ଟିକେଟ ବିକ୍ରି କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ଭିଡ ନିୟନ୍ତ୍ରଣ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗତ ରାତିରୁ ଏଠାରେ ପ୍ରାୟ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି । ଟିକେଟ ବିକ୍ରି ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ଦିଗରେ ପୋଲିସ ଅଧିକ ଗୁରୁତ୍ୱ ଦେଉଛି ।
