ଉଦଳା : ଗତକାଲି (ବୁଧବାର) ଅପରାହ୍ନରେ ମୟୂରଭଞ୍ଜ ଜିଲା ଉଦଳାରେ ଥିବା ସୁଭଦ୍ରା ଗାର୍ମେଣ୍ଟସ ସମ୍ମୁଖରୁ ପଲସର ବାଇକରେ ଆସିଥିବା ଦୁଇ ଜଣ ଲୁଟିଆ ଜଣେ ପେନସନଧାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ କରିବାକୁ ସକ୍ଷମ ହୋଇଛନ୍ତି । ଲୁଟର ଶିକାର ବ୍ୟକ୍ତି ଜଣକ ବାରିପଦା ବିଜୟ ରାମଚନ୍ଦ୍ରପୁର (ୱାର୍ଡ ନମ୍ବର -୧୭)ବାସିନ୍ଦା ଥିବାବେଳେ ନାମ ଜିତେନ୍ଦ୍ର କୁମାର ସେଠୀ ବୋଲି ଜଣାଯାଇଛି । ସେ ଘର ତିଆରି ପାଇଁ ଷ୍ଟେଟ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ସୁଭଦ୍ରା ଗାର୍ମେଣ୍ଟସ ସମ୍ମୁଖରେ ଥଣ୍ଡା ପାନୀୟ ପିଉଥିବା ସମୟରେ ଜଣେ ଲୁଟିଆ ଡିକି ଭାଙ୍ଗି ବ୍ୟାଗରେ ଥିବା ଟଙ୍କା ନେଇ ବାଇକରେ ଅପେକ୍ଷା କରିଥିବା ଅନ୍ୟ ଲୁଟିଆ ସହିତ ଫେରାର ହୋଇଯାଇଥିଲେ । ଏହି ଲୁଟିଆ ଟଙ୍କା ନେବା ସମୟରେ ଲୋକେ ନେଇଗଲା ନେଇ ଗଲା ପାଟି କରୁଥିବା ସମୟରେ ଲୁଟିଆ ଦୁଇ ଜଣ ମଧ୍ୟ ନେଇଗଲା ନେଇଗଲା କହି ଚକମା ଦେଇ ଖସି ଯିବାକୁ ସକ୍ଷମ ହୋଇଥିଲେ । କ୍ରମାଗତ ଭାବେ ଏଭଳି ଲୁଟ ଜନସାଧାରଣରେ ଆତଙ୍କ ଖେଳାଇ ଦେଇଛି । ବାରମ୍ବାର ବାଇକ୍ ଡିକିରୁ ଟଙ୍କା ଚୋରି ହେଉଥିଲା ବେଳେ ଜନସାଧାରଣ କାହିଁକି ଯେ ସଚେତନ ହେଉନାହାନ୍ତି, ସେନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ବାବଦରେ ଉଦଳା ଥାନାରେ ଅଭିଯୋଗ ପରେ ତଦନ୍ତ ଜାରି ରହିଛି ।
