ବାଲେଶ୍ବରରେ ଶିଳ୍ପ ମରୁଡି; ୨୫୦ କାରଖାନା ବନ୍ଦ, ୪୦ ହଜାର ବେକାର

ରେମୁଣା : ସରକାର ଶିଳ୍ପ ବିକାଶର କଥା କହିଛନ୍ତି । ଏକାଧିକ ବୁଝାମଣା ଓ ଚୁକ୍ତି ସ୍ବାକ୍ଷର କରାଯାଉଛି । ରାଜ୍ୟରେ ବାହାର କମ୍ପାନୀଙ୍କୁ ଆକର୍ଷିତ କରିବା ଲାଗି ଓଡ଼ିଶାରେ ଅନୁକୂଳ ଶିଳ୍ପ ପରିବେଶ ସୃଷ୍ଟି ହୋଇଥିବା ରାଜ୍ୟ ସରକାର ଦାବି କରୁଛନ୍ତି । କିନ୍ତୁ ଏସବୁ ଦାବି ଓ ପ୍ରଚାର ଭିତରେ ବାସ୍ତବତା ହେଉଛି ରାଜ୍ୟରେ ଚାଲୁଥିବା ଅନେକ ବୃହତ୍ତ ଶିଳ୍ପ କାରଖାନା ଏବେ ବନ୍ଦ ପଡିଛି । ଏମିତି ଦେଖିଲେ ବିର୍ଲା ଟାୟାର୍ସ ଫାଟକରେ ଏବେ ତାଲା । ବାଲେଶ୍ୱର ଆଲୟେଜ କାରଖାନା ଚିମନିରୁ ଆଉ ଧୂଆଁ ଉଠୁନି । ଇମାମି କାଗଜ କଳର ସବୁ ୟୁନିଟ୍‌ ଚାଲୁ ହେଉନି ।

ବାଲେଶ୍ୱର ଜିଲାର ଏହି ତିନୋଟି ବୃହତ୍‍ ଶିଳ୍ପ ଏଭଳି ଅବସ୍ଥାରେ ଥିବାବେଳେ ୨୫୦ ରୁ ଅଧିକ ବଏଲରଯୁକ୍ତ କାରଖାନା ବନ୍ଦ ହୋଇଯାଇଛିବ। ଫଳରେ ୪୦ ହଜାରରୁ ଅଧିକ ଲୋକ ବେକାର ହୋଇ ସୁରତ, ମଦୁରାଇ, ଗୋଆ ମୁହାଁ ହେଉଛନ୍ତି । ଏଠାରେ ବିଭିନ୍ନ କାରଖାନାରେ କେବଳ ଜିଲାର ଯୁବକ ଯୁବତୀ ନୁହନ୍ତି, ଅନ୍ୟ ଜିଲାର ଲୋକ ବି କାମ କରୁଥିଲେ । ମାତ୍ର ପ୍ରଚୁର ଲାଭ ଉଠାଇବା ପରେ, ନିଜର ଅନ୍ୟ ଉଦ୍ୟୋଗ ଓ ବିପୁଳ ଅର୍ଥ ଥିବାରୁ କାରଖାନା ଚଳାଇବାକୁ ମାଲିକଙ୍କ ବିମୁଖତା, ସଠିକ ପରିଚାଳନାର ଅଭାବ ଏବଂ ସରକାରୀ ଉଦାସୀନତା ଯୋଗୁଁ ଏଭଳି ଶିଳ୍ପ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି ।

କାରଖାନା ଓ ବାଷ୍ପିତ(ଫ୍ୟାକ୍ଟ୍ରି ଏଣ୍ଡ ବଏଲର) ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ଜିଲାରେ ବଏଲରଯୁକ୍ତ ୩୦୦ ରୁ ଅଧିକ କାରଖାନା ସ୍ଥାପିତ ହୋଇଥିବାବେଳେ ସେଥିରୁ ୨୫୦ ରୁ ଅଧିକ ଉଦ୍ୟୋଗ ବନ୍ଦ ହୋଇଯାଇଛି । ସେହିପରି ଜିଲା ଶିଳ୍ପ କେନ୍ଦ୍ରର ସୂଚନା ଅନୁସାରେ, ଜିଲାରେ ୧୯୮୦ ଦଶକରୁ ଶିଳ୍ପାୟନର ଧାରା ଆରମ୍ଭ ହୋଇ ୨୭୬୨ଟି ଛୋଡ଼ ବଡ଼ ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବାବେଳେ ଏବେ ଅଧିକାଂଶ ଉଦ୍ୟୋଗ ବନ୍ଦ । ୧୯୯୧ ରେ ବାଲେଶ୍ୱର ଉପକଣ୍ଠ ବାମପଦାର ବିର୍ଲା ଟାୟାର୍ସ ଜିଲାରେ ଶିଳ୍ପାୟନର ପ୍ରତୀକ ପାଲଟିଥିଲା । ବସନ୍ତ କୁମାର ବିର୍ଲାଙ୍କ କେଶୋରାମ ଇଣ୍ଡଷ୍ଟ୍ରିଜ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି କାରଖାନା ହେଉଛି ଜିଲାର ସର୍ବ ବୃହତ ଶିଳ୍ପ । ଏହି କାରଖାନାରୁ ବିଭିନ୍ନ ଯାନ ପାଇଁ ଊତ୍ପାଦିତ ଟାୟାର ଭାରତ ସମେତ ୪୩ଟି ଦେଶରେ ବିକ୍ରୟ ହେଉଥିଲା । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ ହଜାରରୁ ଅଧିକ କର୍ମଚାରୀ ତଥା ଶ୍ରମିକ କର୍ମନିଯୁକ୍ତି ପାଇଥିଲେ । ତେବେ ୨୦୧୯ ଦୁର୍ଗା ପୂଜା ଠାରୁ କାରଖାନା ବନ୍ଦ ରହିଛି । ନଭେମ୍ବର ୨୦୨୧ ସୁଦ୍ଧା କାରଖାନାର ଋଣ ପରିମାଣ ୧୦୫୭.୮ କୋଟି ଓ ୮୪୭.୭ କୋଟି ଟଙ୍କାର କ୍ଷତି ହୋଇଥିବା ଜଣାଯାଇଛି । କମ୍ପାନୀ ନିଜ ହରିଦ୍ୱାର ଟାୟାର ୟୁନିଟକୁ ଜେକେ ଟାୟାରକୁ ୨୧୫୦ କୋଟି ଟଙ୍କାରେ ବିକ୍ରି କରିଥିବାବେଳେ ବାଲେଶ୍ୱର ୟୁନିଟକୁ କାର୍ଯ୍ୟକ୍ଷମ କରୁ ନାହିଁ ।

Leave a Reply

Your email address will not be published. Required fields are marked *