ପୁରୀ : ସମଗ୍ର ଦେଶରେ ପର୍ଯ୍ୟଟନର ଅନ୍ୟତମ ପ୍ରାଣକେନ୍ଦ୍ର ହେଉଛି ଶ୍ରୀକ୍ଷେତ୍ର ପୁରୀ । ବିଶ୍ବରେ ଏହି ପର୍ଯ୍ୟଟନ ସହରର ସୁନାମ ଆହୁରି ବୃଦ୍ଧି କରିବା ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନାନା ଯୋଜନା କାର୍ଯ୍ୟକାରୀ ହେଉଛି । ପର୍ଯ୍ୟଟକ ଓ ସହରବାସୀଙ୍କୁ ଅତ୍ୟାଧୁନିକ ସୁବିଧାସୁଯୋଗ ପ୍ରଦାନ କରିବା ପାଇଁ ପ୍ରକଳ୍ପମାନ ପ୍ରସ୍ତୁତ କରାଯାଉଛି । ନିଜେ ରାଜ୍ୟ ସରକାର ପୁରୀକୁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନରେ ରଖିବା ଲାଗି ଉଦ୍ୟମ ଚଳାଇଛନ୍ତି । ହେଲେ ଏତିକିବେଳେ ପୁରୀର ପ୍ରାକୃତିକ ଜଳସଂପଦ କିଭଳି ଅବକ୍ଷୟମୁଖୀ ହେବାରେ ଲାଗିଛି ତାହାର ଏକ ଉଦ୍ବେଜନକ ଚିତ୍ର କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟର ସଦ୍ୟ ପ୍ରକାଶିତ ରିପୋର୍ଟରୁ ମିଳିଛି ।
ମନ୍ତ୍ରାଳୟ ପକ୍ଷରୁ ଭୂତଳ ଜଳସ୍ତର ନେଇ ୨୦୨୦-୨୧ର ସର୍ବେକ୍ଷଣ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ପୁରୀ ସହରର ଅମୃତ ଧାରା ଏବେ ରସାତଳଗାମୀ । ବର୍ଷକ ମଧ୍ୟରେ ସହରର ଭୂତଳ ଜଳସ୍ତର ଯେଭଳି ହ୍ରାସ ପାଇଛି, ତାହା ସହରରେ ଜଳ ପରିଚାଳନା ଉପରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଏହି ରିପୋର୍ଟ ଅନୁଯାୟୀ ପୁରୀ ସହରରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୭୩ ମିଟର ତଳେ ରହିଥିବା ବେଳେ ୨୦୨୦ ମସିହାରେ ଏହା ୨.୨୬ ମିଟର ତଳକୁ ହ୍ରାସ ପାଇଛି । ଏହା ଜିଲ୍ଲା ଓ ପୌର ପ୍ରଶାସନ ପାଇଁ ଆହ୍ବାନ ସୃଷ୍ଟି କରିଛି । ସହରରେ ଗତ କିଛି ବର୍ଷ ମଧ୍ୟରେ ହୋଟେଲ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇଥିବାବେଳେ ଅଧିକାଂଶ ହୋଟେଲ ବିନା ସ୍ବୀକୃତିରେ ଭୂତଳ ଜଳ ବିନିଯୋଗ କରୁଥିବାରୁ ଜଳସ୍ତର ଉପରେ ଚାପ ପଡ଼ୁଛି ।

ରିପୋର୍ଟ ଅନୁଯାୟୀ, ଗୋଟିଏ ବର୍ଷ ମଧ୍ୟରେ ସହରର ସିଦ୍ଧମହାବୀର ଓ ତୋଟା ସାହି ଅଞ୍ଚଳରେ ଜଳସ୍ତର ପାଖାପାଖି ୧ ମିଟର ତଳକୁ ଖସିଗଲାଣି । ଅନ୍ୟ ଅଞ୍ଚଳର ସ୍ଥିତି ମଧ୍ୟ ସଙ୍ଗିନ । କେବଳ ବଳଗଣ୍ଡି, ପୁଲିସ୍ ଲାଇନ୍, ଗୌଡ଼ବାଡ଼ ସାହି, ଶ୍ରୀରାମ ଟକିଜ୍, ଜଗନ୍ନାଥ ବଲ୍ଲଭ ମଠ ଓ ବେହେରା ସାହି ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟ ଅଞ୍ଚଳଗୁଡ଼ିକରେ ଭୂତଳ ଜଳସ୍ତର ସଙ୍କଟଜନକ ସ୍ଥିତିରେ । ଜଗନ୍ନାଥ ମନ୍ଦିର ମଧ୍ୟରେ ଭୂତଳ ଜଳସ୍ତର ୨୦୧୯ ମସିହାରେ ୬.୨୬ ମିଟର ତଳେ ରହିଥିବା ବେଳେ ୨୦୨୦ରେ ୬.୨୩ ମିଟର ତଳେ ରହିଛି । ସିଦ୍ଧ ମହାବୀର ଅଞ୍ଚଳରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୪୦ ମିଟର ତଳେ ଥିବା ବେଳେ ଗୋଟିଏ ବର୍ଷ ବ୍ୟବଧାନରେ ଏହା ୨.୩୯ ମିଟର ତଳକୁ ଖସି ଯାଇଛି । ତୋଟା ସାହିରେ ଭୂତଳ ଜଳସ୍ତର ୨.୯୦ ମିଟର ତଳେ ଥିବା ବେଳେ ଗୋଟିଏ ବର୍ଷରେ ଏହା ୩.୮୬ ମିଟର ତଳକୁ ଖସିଯାଇଛି । ଆଇଟିଆଇ ଛକ ଅଞ୍ଚଳରେ ୨୦୧୯ରେ ୩.୭୫ ମିଟର ତଳେ ଭୂତଳ ଜଳସ୍ତର ଥିବା ବେଳେ ୨୦୨୦ରେ ଏହା ୪.୨୨ ମିଟର ତଳକୁ ଖସି ଯାଇଛି । ନରେନ୍ଦ୍ର କୋଣରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୧୫ ମିଟର ତଳେ ଥିବା ବେଳେ ୨୦୨୦ ମସିହାରେ ଏହା ୨.୨୯ ମିଟର ତଳକୁ ଖସିଯାଇଛି । କୁମ୍ଭାରପଡ଼ାରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୩.୧୦ ମିଟର ତଳେ ରହିଥିବା ବେଳେ ଏହା ଗୋଟିଏ ବର୍ଷ ଭିତରେ ୩.୫୪ ମିଟର ତଳକୁ ଖସିଯାଇଛି । ସର୍ବୋଦୟ ନଗରରେ ଗୋଟିଏ ବର୍ଷ ବ୍ୟବଧାନରେ ଭୂତଳ ଜଳସ୍ତର ୦.୪୧ ମିଟର ତଳକୁ ଖସି ଯାଇଛି । ଗୋବର୍ଦ୍ଧନ ମଠ ଅଞ୍ଚଳରେ ଭୂତଳ ଜଳସ୍ତର ୩.୯୨ ମିଟର ତଳେ ରହିଥିବା ବେଳେ ଗୋଟିଏ ବର୍ଷ ବ୍ୟବଧାନରେ ଏହା ୪.୩୯ ମିଟର ତଳକୁ ହ୍ରାସ ପାଇଛି । ବାଲିଘାଟ ଅଞ୍ଚଳରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୪୦ ମିଟର ତଳେ ରହିଥିବା ବେଳେ ବର୍ଷକ ମଧ୍ୟରେ ଜଳସ୍ତର ୧.୯୦ ମିଟର ତଳକୁ ଖସିଛି । ଗ୍ରାଣ୍ଡରୋଡ୍ ଅଞ୍ଚଳରେ ଭୂତଳ ଜଳସ୍ତର ୩.୯୪ ମିଟର ତଳେ ରହିଥିବା ବେଳେ ବର୍ଷକ ମଧ୍ୟରେ ଏହା ୩.୯୯ ମିଟର ତଳକୁ ଖସିଛି । ଛପନଛକରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୪୫ ମିଟର ତଳେ ରହିଥିବା ବେଳେ ଏହା ୧.୯୫ ମିଟର ତଳକୁ ଖସିଛି ।
