କ୍ଲାସରୁମ୍‌ରେ ମାତୃଭାଷାରେ କଥା ହେଉନାହାନ୍ତି ପିଲା

ଭୁବନେଶ୍ବର : ଛୋଟ ପିଲାମାନେ ମାତୃଭାଷାକୁ ନିଜର ଯୋଗାଯୋଗର ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି । କ୍ଲାସରୁମ୍‌ ଠାରୁ ଆରମ୍ଭ କରି ପରିବାରରେ ଅଭିଭାବକ, ଜେଜେବାପା, ଜେଜେ ମା’ଙ୍କ ସହ କଥାବର୍ତ୍ତା ସମୟରେ ମାତୃଭା‌ଷାରେ କଥା ହେଉଛନ୍ତି । ମାତ୍ର ବୟସ ବଢ଼ିବା ସହ ସେମାନେ ମାତୃଭାଷା ଠାରୁ ଦୂରେଇ ଯାଉଛନ୍ତି । ଅର୍ଥାତ୍‌ ତୃତୀୟ ଶ୍ରେଣୀରେ ଯେଉଁମାନେ କ୍ଲାସରୁମ୍‌ରେ ନିଜ ମାତୃଭ‌ାଷାରେ କଥା ହେଉଛନ୍ତି, ୮ମ ବେଳକୁ ଅନ୍ୟ ଭାଷାରେ କଥାବାର୍ତ୍ତା କରୁଛନ୍ତି । ବି‌ଶେଷ କରି ଘରୋଇ ସ୍କୁଲଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ତଫାତ୍‌ ଦେଖିବାକୁ ମିଳୁଛି । ଅନ୍ୟ ଭାଷାରେ କଥା ହେଉଥିବା ଅଧିକାଂଶ ପିଲାଙ୍କ ଯୋଗାଯୋଗର ମାଧ୍ୟମ ଇଂରାଜୀ ଭାଷା ରହୁଛି । ହିନ୍ଦୀ ଭାଷାରେ ବହୁତ କମ୍‌ ପିଲା କ୍ଲାସରୁମ୍‌ରେ ସାଙ୍ଗମାନଙ୍କ ସହ ବାର୍ତ୍ତାଳାପ କରୁଛନ୍ତି । ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଶିକ୍ଷଣର ମାନ ଯାଞ୍ଚ ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ନ୍ୟାସନାଲ ଆଚିଭ୍‌ମେଣ୍ଟ ସର୍ଭେ(ନାସ୍‌) ‌ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ତୃତୀୟ ଶ୍ରେଣୀରେ ପଢ଼ୁଥିବା ୮୫% ପିଲା ନିଜର ମାାତୃଭାଷାକୁ କ୍ଲାସରୁମ୍‌ରେ ଯୋଗାଯୋଗର ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି । ୫ମ ଶ୍ରେଣୀର ୮୧%, ୮ମ ଶ୍ରେଣୀର ୭୫% ଓ ଦଶମ ଶ୍ରେଣୀର ୭୬% ଛାତ୍ରଛାତ୍ରୀ କ୍ଲାସରୁମ୍‌ରେ ସାଙ୍ଗ‌ସାଥୀ ଓ ଶିକ୍ଷକମାନଙ୍କ ସହ ନିଜ ମାତୃଭାଷାରେ କଥା ହେଉଛନ୍ତି । ଅର୍ଥାତ୍‌ ଦଶମ ଶ୍ରେଣୀର ୨୪% ପିଲା ଅନ୍ୟାନ୍ୟ ଭାଷାରେ କଥା ହେଉଛନ୍ତି । ଖୁସିର କଥା ହେଉଛି, ସ୍କୁଲ ଯିବା ପାଇଁ ବହୁ ଛାତ୍ରଛାତ୍ରୀ ଆଗ୍ରହ ଦେଖାଉଛନ୍ତି । ତୃତୀୟ, ୫ମ ଓ ୮ମ ଶ୍ରେଣୀର ୯୮% ପିଲା ସ୍କୁଲ ଯିବାକୁ ଚାହୁଛନ୍ତି । ଦଶମ ଶ୍ରେଣୀର ୯୯% ପିଲା ସ୍କୁଲ ଯିବାକୁ ଚାହୁଛନ୍ତି । ଡିଜିଟାଲ ଶିକ୍ଷା ପିଲାଙ୍କ ପାଇଁ ଅପହଞ୍ଚ ରହିଛି । ତୃତୀୟ ଶ୍ରେଣୀର ୪୫% ପିଲାଙ୍କ ନିକଟରେ କୌଣସି ପ୍ରକାର ଡିଜିଟାଲ ଡିଭାଇସ୍‌ ନାହିଁ । ୫ମ ଶ୍ରେଣୀର ୪୩%, ୮ମ ଶ୍ରେଣୀର ୭୫% ଏବଂ ଦଶମ ଶ୍ରେଣୀର ୩୭% ପିଲାଙ୍କ ଘରେ କୌଣସି ପ୍ରକାର ଡିଜିଟାଲ ଡିଭାଇସ୍‌ ନ ଥିବାରୁ ସେମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ।

ଗୁଣାତ୍ମକ ଶିକ୍ଷା ନେଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ବି ନିଜର ମତ ଦେଇଛନ୍ତି । ତୃତୀୟ ଶ୍ରେଣୀର ୩୯% ଶିକ୍ଷକଙ୍କ ମତ ହେଉଛି ଯେ ସ୍କୁଲ କୋଠାର ମରାମତି କରାଯାଉ । ୨୪% ଶିକ୍ଷକ କାର୍ଯ୍ୟରେ ଭାରାକ୍ରାନ୍ତ ହୋଇପଡ଼ୁଛନ୍ତି । ୨୧% ଶିକ୍ଷକ ପାନୀୟ ଜଳ ସୁବିଧାର ଆବଶ୍ୟକତା କଥା କହିଛନ୍ତି । ୯୫% ଶିକ୍ଷକଙ୍କ ମତ, ସ୍କୁଲ କାର୍ଯ୍ୟକ୍ରମରେ ଅଭିଭାବକମାନେ ଭାଗ ନିଅନ୍ତୁ । କ୍ଲାସରୁମ୍‌ରେ ପର୍ଯ୍ୟାପ୍ତ ସାମଗ୍ରୀ ରଖିବା, ସ୍କୁଲ ବିଲଡିଂ ମରାମତି, ପାନୀୟ ଜଳ ଓ ଶୌଚାଳୟ ସୁବିଧାର ଉପଲବ୍ଧ କରାଯିବା ଉପରେ ଶିକ୍ଷକମାନେ ମତ ରଖିଛନ୍ତି । କରୋନା ସମୟରେ ୬୩% ପିଲା ନିଜର ଅଭିଭାବକ, ଅଜା, ଆଈ, ଜେଜେ, ଜେଜେ ମା’ ପ୍ରମୁଖଙ୍କ ସହ ଚିତ୍ରାଙ୍କନ, ରୋଷେଇ, ଯୋଗ, ସଙ୍ଗୀତ, ଇନ୍‌ଡୋର ଗେମ୍‌ ଖେଳିବାକୁ ପସନ୍ଦ କରିଥିଲେ । ୮୭% ପିଲା କୋଭିଡ୍‌-୧୯ ସ୍ବଚ୍ଛତା ପାଳନ କରିଥିବା ବେଳେ ୯୪% ପିଲା କୋଭିଡ୍‌ ସଂକ୍ରମଣର ଲକ୍ଷଣ ବିଷୟରେ ଜାଣିଥି‌ଲେ । ସ୍କୁଲ ଖୋଲିବା ସମୟରେ ଗାଇଡ୍‌ଲାଇନ୍‌ ବିଷୟରେ ୯୮% ଅବଗତ ରହିଥିଲେ । ସମସ୍ତ ଶ୍ରେଣୀର ପ୍ରଧାନ ଶିକ୍ଷକମାନେ ସ୍କୁଲ ଲାଇବ୍ରେରିକୁ ସୁଦୃଢ଼ କରିବା, ଶିକ୍ଷକ ଓ ସହାୟକ ପଦ ପୂରଣ, ପିଲାଙ୍କ ଲାଗି ସ୍କୁଲରେ ଆବଶ୍ୟକ ଅଡିଓ ଭିଜୁଆଲ୍‌ ସୁବିଧା‌ ଉପଲବ୍ଧ କରିବାକୁ ମତ ଦେଇଛନ୍ତି । ସ୍କୁଲରେ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ କରାଯିବାର ଆବଶ୍ୟକତା ଥିବା ନେଇ ମତପ୍ରକାଶ ପାଇଛି । ୯୮% ଶିକ୍ଷକଙ୍କ କହିବା କଥା, ଖେଳପଡ଼ିଆ ସହ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ଦିଆଯାଉ । ୯୯% ପିଲା ସ୍କୁଲରେ କରୋନା କଟକଣା ପାଳନ ସମ୍ପର୍କରେ ଅବଗତ ରହିଥିବା ନେଇ ନାସ୍‌ ରିପୋର୍ଟରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *