ମାଫିଆଙ୍କ ଠାରୁ ଟଙ୍କା ନେଉଛି ପୁରୀ ପୁଲିସ, କମିସନର୍‌ଙ୍କୁ ଇନସ୍‌ପେକ୍ଟର୍‌ଙ୍କ ଖୋଲା ଚିଠି

କଟକ : ପୁରୀ ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଛନ୍ତି । ଯାହା ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି । ଏ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟିକାରୀ ଚିଠି ଅବକାରୀ କମିସନର୍‌ଙ୍କୁ ଲେଖିଛନ୍ତି ପୁରୀ ଜିଲ୍ଲାର ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡା । ଜୁନ୍‌ ୪ ତାରିଖରେ ଶ୍ରୀ ପଣ୍ଡା ଏଭଳି ଚିଠି ଲେଖିଛନ୍ତି । ଚିଠିଟି ଏବେ ଉଭୟ ଅବକାରୀ ବିଭାଗ ଓ ଓଡ଼ିଶା ପୁଲିସରେ ହଟଚମଟ ସୃଷ୍ଟି କଲାଣି । କିନ୍ତୁ ଚିଠି ସମ୍ପର୍କରେ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ମୁହଁ ଖୋଲୁନାହାନ୍ତି ।

ପୁରୀ ଜିଲ୍ଲା ମୋବାଇଲ୍ ୟୁନିଟ୍‌ର ଇନସ୍‌ପେକ୍ଟର୍‌ ଇନ୍‌-ଚାର୍ଜ ଅଫିସ୍‌ରେ ଇନସ୍‌ପେକ୍ଟର୍‌ ଭାବେ କାମ କରୁଥିବା ସଞ୍ଜୟ କୁମାର ପଣ୍ଡା ଜୁନ୍‌ ୪ ତାରିଖରେ ଏକ ଚିଠି(ଡି.ବି ନଂ ୧୨)ରେ ଅବକାରୀ କମିସନର୍‌ଙ୍କ କଟକ ଠିକଣାରେ ଲେଖିଛନ୍ତି । ଏହା ସହିତ ସମାନ ଚିଠି ପୁରୀ ଜିଲ୍ଲାପାଳ, ପୁରୀ ପୁଲିସ ଏସ୍‌ପି, ପୁରୀ ଅବକାରୀ ଏସ୍‌ପିଙ୍କୁ ମଧ୍ୟ ପଠାଇଛନ୍ତି । ଶ୍ରୀ ପଣ୍ଡା ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ‘ପୁରୀ ଜିଲ୍ଲାରେ ଗଲା ଏକ ବର୍ଷ ହେବ ଯେତେବେଳେ ଅବକାରୀ ଅଧିକାରୀମାନେ ନିଶା କାରବାର କରୁଥିବା ଦୁର୍ବୃତ୍ତଙ୍କୁ ଗିରଫ କରୁଛନ୍ତି, ସେମାନେ ଥାନା ପୁଲିସକୁ ମାସିକିଆ ଟଙ୍କା ଦେଉଥିବା କହୁଛନ୍ତି । ତେଣୁ ‘‘ଅବକାରୀ ବାଲାଙ୍କୁ ଖାତିର କରୁନାହାନ୍ତି ବୋଲି ଦୁର୍ବୃତ୍ତମାନେ କହୁଛନ୍ତି । ଏହା ଫଳରେ ଥାନା ଅଧିକାରୀଙ୍କ ଦ୍ବାରା ଅଳ୍ପ ସଂଖ୍ୟକ ଅବକାରୀ ମାମଲା ଠାବ ହେଉଛି ।

ବିଭାଗର ଜଣେ ଦାୟିତ୍ବବାନ୍ ଅଧିକାରୀ ହିସାବରେ ଅଳ୍ପ କର୍ମଚାରୀ, ଅଳ୍ପ ଦରମା, ବିନା ଗାଡ଼ି, ବିନା କ୍ବାର୍ଟର୍ସ, ବିନା ମେଡାଲ୍‌ରେ ହତୋତ୍ସାହିତ ଅନୁଭବ କରୁଛି । ତେଣୁ, ପୁଲିସ କର୍ମଚାରୀଙ୍କ ଏ ପ୍ରକାର ଅସାଧୁ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଆମକୁ କଠିନ ପରିଶ୍ରମ, ସଚ୍ଚୋଟତା ପାଇଁ ପୁରସ୍କୃତ କରାଯିବା ଉଚିତ ବୋଲି ଶ୍ରୀ ପଣ୍ଡା ଚିଠିରେ ଦର୍ଶାଇଛନ୍ତି । ତେବେ ବିଭାଗରେ ଦୁଇ ଦିନ ହେବ ଏଭଳି ଚିଠିକୁ ନେଇ ବରିଷ୍ଠ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି । ପୁରୀ ପୁଲିସ ଅଧିକାରୀଙ୍କ ବିରୋଧରେ ମାସିକିଆ ଟଙ୍କା ସଂଗ୍ରହ ଭଳି ସଂଗିନ ଅଭିଯୋଗ ଆସିଥିବା ଘଟଣା ଏବଂ ବିଭାଗରେ ଭିତ୍ତିଭୂମିର ଅଭାବ ଥିବା ଶ୍ରୀ ପଣ୍ଡା ଦର୍ଶାଇଥିବାରୁ ଏଭଳି ଚିଠିକୁ ନେଇ ଓଡ଼ିଶା ପୁଲିସ ଓ ଅବକାରୀ ବିଭାଗ କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛି, ତାକୁ ଅପେକ୍ଷା ରହିଛି ।

Leave a Reply

Your email address will not be published. Required fields are marked *