ରାଉରକେଲା : ପ୍ରଥମ ରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲା ରହିଛି । ସକାଳ ୬ଟା ରୁ ୯ଟା ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଛି । ଏହା ଭିତରେ ଅର୍ଥାତ୍ ସକାଳ ପ୍ରାୟ ସାଢ଼େ ୮ଟା ରେ ହିଁ ୧-୮ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି । ଜଳଖିଆ ସମୟରେ ପିଲାମାମାନେ ଗରିଷ୍ଠ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି । ଅନେକ ଖାଉ ନାହାନ୍ତି ମଧ୍ୟ । ଏଠାରେ ପ୍ରଶ୍ନ ଉଠେ, ଯେଉଁ ଉଦ୍ଦେଶ୍ୟରେ ମଧ୍ୟାହ୍ନଭୋଜନ ବଣ୍ଟନ ଯୋଜନା ଆରମ୍ଭ ହୋଇଥିଲା, ତାହା ସାଧିତ ହେଉଛି ତ ? ପ୍ରକୃତରେ ଏବେ ଏହା କେବଳ ଏକ ଔପଚାରିକତାରେ ସୀମିତ ରହିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ପିଲାମାନେ ସ୍କୁଲକୁ ଭୋର୍ ସମୟରୁ ଆସୁଥିବାବେଳେ ଘରୁ ପ୍ରାୟତଃ ଜଳଖିଆ ଖାଇ ଆସୁଛନ୍ତି । ସ୍କୁଲରେ ପାଦ ଦେବାର ମାତ୍ର ଅଢ଼େଇ ଘଣ୍ଟା ପରେ, ମଧ୍ୟାହ୍ନ ଭୋଜନ ପରସାଯାଉଛି । ଏଣୁ ପିଲାମାନେ ଅନିଚ୍ଛା ସତ୍ତ୍ବେ ମଧ୍ୟାହ୍ନଭୋଜନ ଖାଉଥିବା ଦେଖାଯାଉଛି । ସକାଳ ସାଢ଼େ ୮ଟାରେ ଭାତ ଡାଲି ଖାଇବାର ଅଭ୍ୟାସ ନଥିବାରୁ ଅନେକ ଛାତ୍ରଛାତ୍ରୀ ତା’ ଠାରୁ ଦୂରେଇ ରହୁଛନ୍ତି । ଫଳରେ ବହୁ ପରିମାଣରେ ମଧ୍ୟାହ୍ନ ଭୋଜନ ନଷ୍ଟ ହେଉଛି । ଏହା ନିର୍ଦ୍ଦିଷ୍ଟ ଗୋଟିଏ ସ୍କୁଲରେ ନୁହେଁ, ଜିଲ୍ଲାର ପ୍ରାୟ ସବୁ ସ୍କୁଲରେ ଏହା ଘଟୁଛି । କେବଳ ମଧ୍ୟାହ୍ନ ଭୋଜନ ବାଣ୍ଟିବା ନାଁରେ ବଣ୍ଟାନଯାଇ କିଭଳି ପିଲାମାନେ ଏହା ଦ୍ବାରା ଉପକୃତ ହେବେ ସେଥିପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଅଭିଭାବକ, ଶିକ୍ଷାବିତ୍ ମତ ଦେଇଛନ୍ତି ।
ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଶହେ ଗ୍ରାମ ଚାଉଳ ଓ ପନିପରିବା, ଅଣ୍ଡା ବାବଦକୁ ୫.୪୨ ଟଙ୍କା ଏବଂ ୬-୮ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୧୫୦ ଗ୍ରାମ ଚାଉଳ ଓ ପନିପରିବା ବାବଦକୁ ୮.୧୦ ଟଙ୍କା ଅନୁଦାନ ଦିଆଯାଇଥାଏ । ସଂପୃକ୍ତ ସ୍କୁଲର ବ୍ୟାଙ୍କ୍ ଆକାଉଣ୍ଟ୍କୁ ଏହି ଅନୁଦାନ ରାଶି ଆସିବାପରେ ତଦନୁଯାୟୀ କିଣାବିକା କରାଯାଏ । ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଏମ୍ଡିଏମ୍ ବଣ୍ଟାଯାଉଛି । ବର୍ତ୍ତମାନ ଜିଲ୍ଲାର ୨୩୨୪ ସ୍କୁଲର ୧ ଲକ୍ଷ ୮୭ ହଜାର ୧୬୧ ଜଣ ଛାତ୍ରଛାତ୍ରୀ ଏହା ଦ୍ବାରା ଉପକୃତ ହେଉଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ଦୁଇଟି ଶିକ୍ଷାବର୍ଷ, ଅର୍ଥାତ୍ ୨୦୨୦-୨୧ ଓ ୨୦୨୧-୨୨ରେ କରୋନା ମହାମାରୀ ଯୋଗୁଁ ସ୍କୁଲଗୁଡ଼ିକ ବନ୍ଦ ରହିବାରୁ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିଲା । ତେବେ ଏହି ଯୋଜନାରୁ ପିଲାଙ୍କୁ ବଞ୍ଚିତ ନ ରଖିବାକୁ ସରକାର ପଦକ୍ଷେପ ନେଇଥିଲେ । ସେତେବେଳେ ମଧ୍ୟାହ୍ନ ଭୋଜନ ବାବଦକୁ ଆସୁଥିବା ପ୍ରତ୍ୟେକ ପିଲା ପିଛା ଅନୁଦାନକୁ ସିଧାସଳଖ ପିଲାମାନଙ୍କ ଆକାଉଣ୍ଟ୍ରେ ଡିପୋଜିଟ୍ କରାଯାଇଥିଲା । ଯେଉଁ ପିଲାମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ୍ ନଥିଲା, ସେମାନଙ୍କ ପିତା-ମାତାଙ୍କୁ ନଗଦ ଟଙ୍କା ଦିଆଯାଉଥିଲା । ସୁରୁଖୁରୁରେ ଗତ ଦୁଇ ବର୍ଷ ଏହି ପ୍ରକ୍ରିୟା ଚାଲିଥିବାବେଳେ ଏହି ନିୟମକୁ ଏଥର ଲାଗୁ କରିବାକୁ ଦାବି ହୋଇଛି । ଅତି ସକାଳୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବାରୁ ପିଲାମାନେ ଏଥିପ୍ରତି ବିମୁଖ ହେବା ସ୍ବାଭାବିକ୍ । ଏଣୁ ପୂର୍ବଭଳି ପିଲା ଆକାଉଣ୍ଟ୍କୁ ଟଙ୍କା ପଠାଗଲେ ଅପଚୟ ରୋକାଯାଇପାରିବ ଏବଂ ଉକ୍ତ ଅର୍ଥର ସୁବିନିଯୋଗ ସମ୍ଭବ । ଏହି ଅନୁଦାନରେ ଅନ୍ତତଃ ପିଲାମାନେ ନିଜ ନିଜ ଘରେ ମଧ୍ୟାହ୍ନ ଭୋଜନ ବେଳେ ସୁସ୍ବାଦୁ ବ୍ୟଞ୍ଜନ ଖାଇପାରିବେ ବୋଲି ମତ ଆସିଛି ।
ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ରାଜ୍ୟ ସରକାର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଜରିଆରେ ଏମ୍ଡିଏମ୍ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଯାଏଁ କିନ୍ତୁ ଏହା ପୂରଣ ହୋଇପାରିଲାନି । ଜିଲ୍ଲାରେ ଏମ୍ଡିଏମ୍ ବଣ୍ଟନ ପାଇଁ ମୋଟ୍ ୨୪୧ଟି ଏସ୍ଏଚ୍ଜିକୁ ଚୟନ କରାଯାଇଥିବାବେଳେ ମାତ୍ର ୯୭ଟି ଏସ୍ଏଚ୍ଜି ଏଥିରେ ସହମତି ପ୍ରକାଶ କରିଛନ୍ତି । ଫଳରେ ସ୍କୁଲ କର୍ତ୍ତୃପକ୍ଷ ଖୋଦ୍ ଏମ୍ଡିଏମ୍ ବଣ୍ଟନ ଦାୟିତ୍ବ ନେଇଛନ୍ତି । ଏଭଳି ସ୍ଥିତିରେ ପିଲାଙ୍କ ଅଧିକ ଉପସ୍ଥାନ ଦର୍ଶାଇ ଅର୍ଥ ବାଟମାରଣା ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଏଣୁ ସବୁ ଦିଗକୁ ବିଚାରକୁ ନେଇ ଯଥାଶୀଘ୍ର ଏମ୍ଡିଏମ୍ ବଣ୍ଟନରେ ନୀତି ପରିବର୍ତ୍ତନ କରିବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।
